ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ ଅନୁଷ୍ଠିତ…

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପରିଚାଳନା କମିଟି ବୈଠକ ଏବଂ କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଫୁଲବାଣୀର ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକାରୀ ଯୋଜନା ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ। ଆଲୋଚନାରୁ ଜଣାପଡ଼ିଛି ଯେ, ଜିଲ୍ଲାର ଖମଣଖୋଲ, ଲଙ୍କାଗଡ଼, ସାଡିଙ୍ଗିଆ, ବୁଢାଗୁଡ଼ା ଓ କଟିଙ୍ଗିଆ-୧ ଓ କଟିଙ୍ଗିଆ-୨ରେ ସର୍ବମୋଟ୍ ୫ଟି ବାଇକ୍ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । ସ୍ଵେଚ୍ଛାସେବୀ ଅନୁଷ୍ଠାନ ଶାନ୍ତି ମୈତ୍ରୀ ସୌଜନ୍ୟରୁ ୨ଟି, ସ୍ବାତୀ ସୌଜନ୍ୟରୁ ୧ଟି ଏବଂ ଜାଗୃତି ସୌଜନ୍ୟରୁ ୨ଟି କାର୍ଯ୍ୟ କରୁଥିବାବେଳେ ଜାଗୃତି ସୌଜନ୍ୟରୁ ସୁବର୍ଷଗିରିରେ ଗୋଟିଏ ଡେଲିଭରି ଭ୍ୟାନ, ସ୍ଵାତୀ ସୌଜନ୍ୟରୁ ଫିରିଙ୍ଗିଆ,ଇନ୍ଦ୍ରଗଡ଼, ବେଲଘର ଓ ସାରଙ୍ଗଡ଼ରେ ୪ଟି ଡେଲିଭରି ଭ୍ୟାନ ଏବଂ ବିକଳ୍ପ ବିକାଶ ସୌଜନ୍ୟରୁ ବ୍ରାହ୍ମଣୀଗାଁରେ ବୋଟିଏ ଡେଲିଭରି ଭ୍ୟାନ୍ କାର୍ଯ୍ୟ କରୁଛି । ସେହିପରି, ପ୍ରଦାତା, ଏ.ସି.ଏମ୍., ସେବା ଭାରତୀ, ଜାଗୃତି, ଆମଗାମ ସୌଜନ୍ୟରୁ ଜିଲ୍ଲାର ବିଭିନ୍ନ ଅପହଞ୍ଚ ଇଲାକାରେ ଆରୋଗ୍ୟ ପ୍ଲସ୍ କାର୍ଯ୍ୟ କରୁଛି । ଆହୁରି ଅନେକ ସ୍ଵେଚ୍ଛାସେବୀ ଅନୁଷ୍ଠାନଙ୍କ ସୌଜନ୍ୟରୁ ଜିଲ୍ଲାର ବିଭିନ୍ନ ଯାଗାରେ ମା’ ଗୃହ ଓ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଆଦି କାର୍ଯ୍ୟ କରାଯାଉଛି । ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପର୍କୀତ ଯେଉଁ ସବୁ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଫୁଲବାଣୀର ରୋଗୀ କଲ୍ୟାଣ ସମିତି ସମ୍ପର୍କୀତ ଆଲୋଚନାବେଳେ ଗତ ବୈଠକରେ ଆଗତ ହୋଇଥିବା କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଆବଶ୍ୟକ ହେଉଥ‌ିବା କାର୍ଯ୍ୟ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ।
ଉକ୍ତ ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା- ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ରାଜେନ୍ଦ୍ର କୁମାର ରଞ୍ଜିତ, ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ), କନ୍ଧମାଳ ଜିଲ୍ଲା ପରିଷଦ ହର ପ୍ରସାଦ ଭୋଇଙ୍କ ସମେତ ଉଭୟ କମିଟିର ସମସ୍ତ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.