ସୁନ୍ଦରଗଡ /ରାଉରକେଲା :ରାଉରକେଲା ମହାନଗର ନିଗମ ପକ୍ଷରୁ ଧୁମ୍ଧାମର ସହ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ୨ଟି ନୂତନ ପ୍ରକଳ୍ପର ଲୋକାର୍ପଣ ଓମିଶନ ଶକ୍ତି କାଫେ ର ଶିଳାନ୍ୟାସ କରାଯାଇଛି।
ମହାନଗର ନଗର ନିଗମ ପକ୍ଷରୁ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ନାୟକ ଏହି ଅବସରରେ ଉଦିତନଗରରେ ‘ମିଶନ ଶକ୍ତି କାଫେ’ର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବା ସହିତ ଟ୍ରାଫିକ ଛକ ସ୍ଥିତ ଶୀତଳ ଭଣ୍ଡାର ଓ ଛେଣ୍ଡ ଫୁଡ୍ କୋର୍ଟର ଉଦ୍ଘାଟନ କରିଥିଲେ।
ଶ୍ରୀ ନାୟକ ନିଗମର କର୍ମଚାରୀଙ୍କ ସହଯୋଗ ଫଳରେ ମହାନଗର ନିଗମ ଲୋକଙ୍କୁ ସେବା ଯୋଗାଇବାରେ ସଫଳ ହୋଇଛି ବୋଲି କହିଥିଲେ। ସେ କହିଲେ ଯେ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ମୋର ଆଶା। ସେ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେବା ସହ ସ୍ବାୟତ୍ତ ଶାସନ ଦିବସର ଶୁଭେଚ୍ଛା ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର ମଧ୍ଯ ନିଗମର କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଅନ୍ୟ ପକ୍ଷରେ ଆଜିର ଏହି ସ୍ବତନ୍ତ୍ର ଦିବସ ଅବସରରେ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ନିଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର, ରଙ୍ଗୋଲୀ ପ୍ରତିଯୋଗିତା, ସ୍ଥାନୀୟ ଉଦିତ ନଗର ସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ମହାନଗର ନିଗମ କର୍ମଚାରୀଙ୍କ ମଧ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଓ ଟଗ୍ ଅଫ୍ ଓ୍ବାରା ଖେଳାଯାଇଥିଲା । ଫେନସି ଡ୍ରେସ୍ ପ୍ରତିଯୋଗିତା, ସଫେଇ କର୍ମଚାରୀଙ୍କ ଦ୍ବାରା ଗ୍ରୁପ୍ ଡ୍ୟାନ୍ସ, ମହାନଗର ନିଗମ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବାକୁ ନେଇ ନାଟକ ‘ସପନ ନୁହେଁ ସତ’ ସହ ମହାନଗର ନିଗମ କର୍ମଚାରୀଙ୍କ ଦ୍ବାରା ପରିବେଷଣ କରାଯାଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ହୋଇଥିଲା। ସନ୍ଧ୍ୟାରେ ମହାନଗର ପାଠାଗାର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର ବିଭିନ୍ନ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ମହାନଗର ନିଗମର ଉପ ଆୟୁକ୍ତ ସୁଧାଂଶୁ ଭୋଇ, ସୁକାନ୍ତ କୁମାର ବେଉରା, ଅତିରିକ୍ତ ଆୟୁକ୍ତ ନରେନ୍ଦ୍ର ପ୍ରଧାନଙ୍କ ସମେତ ମହାନଗର ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।