ଓଡ଼ିଶାରେ ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ, କାର୍ଯ୍ୟନିର୍ବାହୀ ସର୍ବେସର୍ବା

ଭୁବନେଶ୍ୱର:  ରାଜ୍ୟରେ ଓଲଟା ଗଣତନ୍ତ୍ର ଚାଲିଛି  । ଏଠାରେ  ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ । କାର୍ଯ୍ୟନିର୍ବାହୀ ସର୍ବେସର୍ବା ।  ୨୩ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନବି ଅଭିଯୋଗ ପ୍ରକୋଷ୍ଠରେ ବସି ଓଡ଼ିଆ ଲୋକଙ୍କଠାରୁ ଦରଖାସ୍ତ କାଗଜ ନେବାର ନଜିର ନାହିଁ ।   ଅଭିଯୋଗ ଶୁଣିବା ଆଳରେ ଜଣକୁ ବିଜ୍ଞାପିତ କରିବାକୁ ଯାଇ ରାଜ୍ୟ ରାଜକୋଷରୁ ୩ଶହ କୋଟି ଅର୍ଥ ବରବାଦ କରାଯାଇଛି ।  ନେତା, ମନ୍ତ୍ରୀ ଓ ବିଧାୟକମାନେ ନିଜକୁ ଚାକର, କ୍ରୀତଦାସ ବୋଲି ସର୍ବସାଧାରଣରେ ପ୍ରକାଶ କରୁଛନ୍ତି, ଯାହା ବିଜୁ ବାବୁଙ୍କୁ ଲଜ୍ଜିତ କରୁଥିବ । ଏମିତି କହି ମୁଖ୍ୟମନ୍ତ୍ରୀ  ଏବଂ ୫ଟି ସଚିବଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର  ।

ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଶ୍ରୀ ମହାପାତ୍ର କହିଛନ୍ତି,  ରାଜ୍ୟରେ ଆଇନର ଶାସନ ନାହିଁ । ସମ୍ବିଧାନର ସମ୍ମାନ ନାହିଁ  । ଠିକାରେ ଶାସନ ଚାଲିଛି ।  ପ୍ରଶାସନୀକ କଳକୁ ମୁଖ୍ୟମନ୍ତ୍ରୀ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ରାଜ୍ୟରେ ଅରାଜକତା କାୟା ବିସ୍ତାର କରିଛି ।

ସେତିକି ନୁହେଁ,  ଓଡ଼ିଆ ଲୋକ ରାଜ୍ୟରେ କାମ ନପାଇ ବାହାରେ ଖଟୁଛନ୍ତି । ଅଣଓଡ଼ିଆ ଆସି ଲୁଟ୍ କରୁଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ କେବେ ଯାଇଥିଲେ?  ଯାଜପୁରରେ ୫-ଟି ମାର୍କା ଟି-ସାଟ ପିନ୍ଧି ହାତରେ ବାଡି, କିଳା ଧରି କେଉଁମାନେ ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିବା ପାଇଁ ଧାଉଁଥିଲେ ?  ସ୍ୱାର୍ଥ ସରିଗଲେ ‘ଶଙ୍ଖାସୁର’ ଯେଉଁଭଳି ଶଙ୍ଖ ଖୋଳପାରେ ଲୁଚିଯାଏ, ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଠିକ୍ ସେହିପରି ବୋଲି କହିଛନ୍ତି ବିଜେପି ମୁଖପାତ୍ର ।

ଜୀବନବ୍ୟାପି ଓଡିଆଙ୍କ ସ୍ୱାଭିମାନ ଓ ସମ୍ମାନ ପାଇଁ ଲଢ଼େଇ କରୁଥିବା ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଦଳର ଦୀର୍ଘ ୨୩ବର୍ଷ ଶାସନରେ ଓଡିଶା ଓ ଓଡ଼ିଆଙ୍କ ସ୍ଥିତି କେଉଁଠି?  ରାଜ୍ୟର ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବାକୁ କିମ୍ବା ବୁଝିବାକୁ ଅସମର୍ଥ, ତେଣୁ ବୋଧ ହୁଏ ଅଭିଯୋଗ ଶୁଣିବାକୁ ଠିକାରେ ବ୍ୟବସ୍ଥା କରାଯାଇଛି ବୋଲି କହି ଶ୍ରୀ ମହାପାତ୍ର 5ଟି ବିଭାଗକୁ କଟାକ୍ଷ କରିଛନ୍ତି ।

ବିଜେଡି ନିଜର ଦଳୀୟ ସ୍ୱାର୍ଥ ସାଧନ ପାଇଁ ତିନିଦିନ ତଳେ ଭୁବନେଶ୍ୱର ସାଂସଦ  ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ କରିଥିବା ନଜିର ଆସିଛି । ବିଜେଡି ପ୍ରଶ୍ନ କରୁଛି ଶ୍ରୀମତୀ ଷଡଙ୍ଗୀ ତାଙ୍କ ସଂସଦୀୟ କ୍ଷେତ୍ରକୁ ଯାଉନାହାନ୍ତି । ବାସ୍ତବତା ଓଡ଼ିଶାବାସୀ ଜାଣନ୍ତି । ଶ୍ରୀମତୀ ଷଡଙ୍ଗୀ ସବୁସମୟରେ ତାଙ୍କ ସଂସଦୀୟ କ୍ଷେତ୍ରରେ ସାଧାରଣ ଲୋକଙ୍କ ସୁଖ, ଦୁଃଖରେ ସାମିଲ ଥାଆନ୍ତି । କିନ୍ତୁ ବିଜେଡି ଉତର ଦେବା ଆବଶ୍ୟକ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ କେବେ ଯାଇଥିଲେ?

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଜି ଯାଜପୁର ଯାଇଛନ୍ତି । ୫-ଟି ସଚିବ ଅଭିଯୋଗ ଆଳରେ ନିଜକୁ ବିଜ୍ଞପିତ କରିବା ବନ୍ଦ କରନ୍ତୁ । ପାଂଚଟି ପରିବାର ଯାଜପୁରରୁ ଲୁଟ୍ କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ପରିବାରର ବାପ ଓ ପୁଅ କୋଣାର୍କ ଟିଭିକୁ ଖାଇଦେଲେ, ସରକାରୀ ଜମି ହଡପ କରିଛନ୍ତି । ଧର୍ମଶାଳାର ଡଙ୍କାରୀ ଓ ବିଚ୍ଛାଖଣ୍ଡ ପାହାଡ ଲୁଟ୍‌ରେ ମାନ୍ୟବର ଲୋକାୟୁକ୍ତ ବ୍ୟାପକ ଲୁଟ୍‌କୁ ଗମ୍ଭୀରତାର ସହ ନେଇ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଲୁଟେରାମାନଙ୍କୁ କେବେ ବାନ୍ଧିବେ ୫-ଟି ସଚିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସାଧାରଣ ଲୋକଙ୍କ ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ଅଭିଯୋଗ ନେବା ପାଇଁ ସେ ନିଜେ ଯିବା ଉଚିତ । ମୁଖ୍ୟମନ୍ତ୍ରୀ ସ୍ୱାର୍ଥପର ହେବା ଉଚିତ ନୁହେଁ । ସ୍ୱାର୍ଥ ସରିଗଲେ ଶଙ୍ଖାସୁର ଯେଉଁଭଳି ଶଙ୍ଖଖୋଳପାରେ ଲୁଚିଯାଏ, ବର୍ତମାନ ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଠିକ୍ ସେହିପରି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ସୁଜିତ୍ କୁମାର ଦାସ୍‌, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.