ଭୁବନେଶ୍ୱର: ବିଜେଡି-ବିଜେପି ମୁହାଁମୁହିଁ । ଜବାବ-ସୁଆଲରେ ରାଜନୀତି ସରଗରମ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ର କଡା ଜବାବ ଦେଇଥିବାବେଳେ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।
ସାଂସଦ ଅପରାଜିତା ଭୋଟରଙ୍କୁ ନିଜର ଅହଙ୍କାର ଦେଖାଉଛନ୍ତି । ମହିଳାଙ୍କ ପ୍ରଶ୍ନ ଏଡାଇବାକୁ ଯାଇ ସେମାନଙ୍କୁ ଗୁଣ୍ଡା ବୋଲି କହୁଛନ୍ତି । ଜାଲ୍ ଫଟୋ ପୋଷ୍ଟ କରି ମହିଳାଙ୍କୁ ଅପମାନିତ କରୁଛନ୍ତି । ଏମିତି କହି ସାଂସଦଙ୍କ ଉପରେ ବର୍ଷିଛନ୍ତି ଶ୍ରୀମୟୀ । ଏଥିସହିତ ଓଡିଆଙ୍କୁ ଗୁଣ୍ଡା ବୋଲି ନ କହିବାକୁ ପରାମର୍ଶ ବି ଦେଇଛନ୍ତି ।
ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ଅପରାଜିତା ଷଡଙ୍ଗୀ ଏତେ ଅହଂକାରୀ ହୋଇଯାଇଛନ୍ତି ଯେ ଗତକାଲି ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ଗୁଣ୍ଡା ବୋଲି କହିଛନ୍ତି। ଆଜି ଭୁବନେଶ୍ୱରର ମହିଳାମାନେ ଆପଣଙ୍କୁ ଆକ୍ରମଣ କରିବାକୁ ଆସିଥିବା କହି ସେମାନଙ୍କୁ ଅପମାନିତ କରିଛନ୍ତି ।
ଶ୍ରୀମତୀ ମିଶ୍ର ଅପରାଜିତାଙ୍କୁ କଡା ଜବାବ ଦେଇ କହିଛନ୍ତି, ସେମାନେ ଆପଣଙ୍କୁ ପ୍ରାସଙ୍ଗିକ ପ୍ରଶ୍ନ ପଚାରୁଛନ୍ତି । ଆପଣ କାହିଁକି ତାହାକୁ ଏଡ଼ାଉଛନ୍ତି ? ସେମାନଙ୍କୁ ଗୁଣ୍ଡା ବୋଲି କାହିଁକି କହୁଛନ୍ତି ? ଓଡିଆ ଲୋକଙ୍କୁ ଏବଂ ବିଶେଷକରି ଓଡିଶାର ମହିଳାମାନଙ୍କୁ ଗୁଣ୍ଡା ବୋଲି କହି ଅପମାନିତ କରନ୍ତୁ ନାହିଁ । ପଥର ଧରିଥିବା କିଛି ଜାଲ୍ ଫଟୋ ପୋଷ୍ଟ କରି ଆପଣ ଏହି ମହିଳାମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି ।
ଆପଣ ଜଣେ ଜନପ୍ରତିନିଧୀ ଏବଂ ସେମାନଙ୍କ ସେବା କରିବା ପାଇଁ ଅଛନ୍ତି, ସେମାନଙ୍କୁ ଏକଛତ୍ରବାଦୀ ଶାସନ କରିବା ପାଇଁ ନୁହେଁ । ଓଡ଼ିଶାର ଲୋକମାନେ ଆପଣଙ୍କର ଅହଙ୍କାର ଏବଂ ରାଜ୍ୟର ସାଧାରଣ ପୁରୁଷ ଓ ମହିଳାଙ୍କ ପ୍ରତି ଆପଣଙ୍କର ଆଚରଣ ଦେଖୁଛନ୍ତି ଏବଂ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।
Post Views: 6