ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ନୀତି : ଅବିବାହିତ ଦିବ୍ୟାଙ୍ଗ ଯୁବକଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଅଭିଯୋଗ

ମାଲକାନଗିରି(ମାଥିଲି) : କାଗଜ ପତ୍ରରେ ବିବାହିତ ଦର୍ଶାଇ ବନ୍ଧ୍ୟାକରଣ କରି ବୁଡ଼ାଇଦେଲେ ବଂଶ । ଏପରି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଆମ୍ବଗୁଡା ଗାଁରୁ । ଗ୍ରାମରେ ଥିବା ଦିବ୍ୟାଙ୍ଗ ଯୁବକ ଗଙ୍ଗା ଦୁରୁଆଙ୍କ ସହ କିଛି ଏପରି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ନିଜ ବିଧବା ମା ଚମ୍ପା ଦୁରୁଆ ଙ୍କ ସହ ପୁଅ ଗଙ୍ଗା ବସବାସ କରୁଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁ ପରେ ଦିବ୍ୟାଙ୍ଗ ପୁଅ ଗଙ୍ଗା ଦୁରୁଆ ହିଁ ଚମ୍ପାଙ୍କର ସବୁକିଛି ଥିଲା । ପୁଅ ବାହା କରାଇବ, ନାତି ନାତୁଣୀଙ୍କ ମେଳରେ ତାର ଶେଷ ଜୀବନ କାଟିବ ବୋଲି ମା ଚମ୍ପା ଅନେକ କିଛି ଆସା ରଖିଥିଲେ । ହେଲେ ଏହି ବାପ ଛେଉଣ୍ଡ ଦିବ୍ୟାଙ୍ଗ ପୁଅ ଗଙ୍ଗା ଦୁରୁଆଙ୍କ ସରଳତାର ସୁଯୋଗ ନେଇ କିଛି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବା ବର୍ତ୍ତମାନ ଅଭିଯୋଗ ହୋଇଛି । ସାଂଘାତିକ କଥା ହେଉଛି ଅବିବାହିତ ଗଙ୍ଗାକୁ କାଗଜପତ୍ରରେ ବିବାହିତ ଦର୍ଶାଇ ଅସ୍ତ୍ରୋପଚାର କରାଯାଇଛି । କେବଳ ପରିବାର ନିୟୋଜନ ଅସ୍ତ୍ରୋପଚାର ସଂଖ୍ୟା ବଢାଇବାକୁ ଯାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ନିରୀହ ଆଦିବାସୀ ପରିବାରର ବଂଶ ବୁଡାଇ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଅସ୍ତ୍ରୋପଚାର ପରେ କିଛି ଔଷଧ ଓ ୨ ହଜାର ଟଙ୍କା ଦେଇ ଗଙ୍ଗା ଦୁରୁଆଙ୍କୁ ଘରକୁ ପଠାଇ ଦେଇଥିଲେ ।

ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ଆଦିବାସୀ ପରିବାରର ସରଳତାର ସୁଯୋଗ ନେଇ ଓ ବନ୍ଧ୍ୟାକରଣ ସଂଖ୍ୟା ବଢାଇବା ପାଇଁ ଏଭଳି ଅନ୍ୟାୟ କରିଥିବା କୁହାଯାଉଛି । ଏହାକୁ ତୀବ୍ର ବିରୋଧ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳର ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଜି ତଦନ୍ତ ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏଡିଏମ ଧନେଶ୍ୱର ମହାପତ୍ର ମଧ୍ୟ ଘଟଣା ସ୍ଥଳକୁ ଆସିଛନ୍ତି। ତେବେ ପରିବାର ନିୟନ୍ତ୍ରଣ କରିବା ପାଇଁ ଆସୁଥିବା ମହିଳା ହୁଅନ୍ତୁ କିମ୍ବା ପୁରୁଷ ମାନଙ୍କୁ ଅସ୍ତ୍ରୋପଚାର କରୁଥିବା ଡାକ୍ତର ତାଙ୍କର ପ୍ରାଥମିକ ତଦନ୍ତ ନକରିବା କାରଣ ରୁ ଏପରି ଏକ ଘଟିଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ଅଭିଯୋଗ କରିଛନ୍ତି । ତାହା ସହିତ ଉଚ୍ଚ ସ୍ତରୀୟ ତଦନ୍ତ ଓ ସମ୍ପୃକ୍ତ ଆଦିବାସୀ ଦିବ୍ୟାଙ୍ଗଙ୍କୁ କିପରି ନ୍ୟାୟ ମିଳିବ ସେଥିପାଇଁ ଆଇନ ଗତ ହିସାବରେ ଲେଢେଇ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏପରି ଘଟଣାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ପ୍ରକାଶ କରିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳର ଆସାଙ୍କ ଜରିଆରେ ଉକ୍ତ ଯୁବକ ଜଣଙ୍କ ପରିବାର ନିୟୋଜନ ଅସ୍ତ୍ରପୋଚାର ପାଇଁ ଆସିଥିଲେ । ତାଙ୍କର ସମସ୍ତ ପ୍ରକାରର ତଥ୍ୟ ସଂଗ୍ରହ କରାଯିବା ସହ ତାଙ୍କର ଦୁଇଟି ଛୁଆ ରହିଥିବା ସେ ପ୍ରକାଶ କରିଥିଲେ । ତେବେ ଉକ୍ତ ଯୁବକ ଯଦି ଜଣଙ୍କ ଚାହିଁବେ, ପୁନର୍ବାର ସେ ଏକ ଅପରେସନ କରି ଏହି ପରିବାର ନିୟୋଜନ ଅସ୍ତ୍ରପଚାରରୁ ମୁକ୍ତି ପାଇ ପାରିବେ ଓ ତାଙ୍କର ସମସ୍ତ ଖର୍ଚ ମଧ୍ୟ ବହନ କରାଯିବ । ଏନେଇ ପ୍ରକୃତ ସତ୍ୟତା ଜାଣିବାକୁ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଶ୍ରୀ ନନ୍ଦ ପ୍ରକାଶ ଅକରିଛନ୍ତି । ଅନ୍ୟପଟେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।

nis-ad
Leave A Reply

Your email address will not be published.