ଡାକ୍ତରଖାନାରେ ମୃତ ଘୋଷିତ ବିଜେପି ନେତା ଅନ୍ତିମ ସଂସ୍କାର ପୂର୍ବରୁ ଜିଇ ଉଠିଲେ

ଆଗ୍ରା/ ନୂଆଦିଲ୍ଲୀ: ବିଜେପି ନେତା ମହେଶ ବାଘେଲ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ରହିବା ସହ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଜୀବନ- ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇ କାର୍ଯ୍ୟ କରିବା ବନ୍ଦ କରିଦେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ବାଘେଲଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଘରକୁ ଆଣି ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ସମୟରେ ଏକ ଚମତ୍କାର ହେଲା। କୋକେଇ ବନ୍ଧା ହେବାକୁ ଯାଉଛି ସେ ତାଙ୍କର ଆଖି ଖୋଲି ଦେବା ସହ ଜିଇ ଉଠିଥିଲେ।
ଆଗ୍ରାର ପୂର୍ବତନ ବିଜେପି ସଭାପତି ମହେଶ ବାଘେଲଙ୍କ ପରିବାର ପାଇଁ ଏହା କୌଣସି ଚମତ୍କାର ଠାରୁ କମ୍‌ ନଥିଲା। କାରଣ, ସେ ଚିକିତ୍ସିତ ହେଉଥିବା ସହରର ଏକ ଘରୋଇ ଡାକ୍ତରଖାନାର ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିବାର କିଛି ଘଣ୍ଟା ପରେ ସମ୍ପର୍କୀୟମାନେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେ ଚେତା ଫେରି ପାଇଥିଲେ।
ରିପୋର୍ଟରୁ ପ୍ରକାଶ, ବାଘେଲ ଚିକିତ୍ସିତ ହେଉଥିବା ହସ୍ପିଟାଲର ଡାକ୍ତରମାନେ ବାଘେଲଙ୍କ ଅଙ୍ଗ ଅଚଳ ହୋଇପଡ଼ିଥିବା (ଅର୍ଗାନ୍‌ ଫେଲ୍‌) କହିଥିଲେ। ରବିବାର ରାତିରେ ବାଘେଲଙ୍କ ସ୍ୱାାସ୍ଥ୍ୟାବସ୍ଥା ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ପୁଷ୍ପାଞ୍ଜଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ପରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୋମବାର ତାଙ୍କ ପରିବାର ଲୋକେ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ସରାଇ ଖଓ୍ଵାଜା ଅଞ୍ଚଳରେ ଥିବା ନିଜ ବାସଭବନକୁ ଆଣିଥିଲେ। ଘରେ ହିଁ ତାଙ୍କର କିଛି ସମ୍ପର୍କୀୟ ବାଘେଲଙ୍କ ଶରୀରରେ ‘ଗତିବିଧି’ ଲକ୍ଷ୍ୟ କରିିଥିଲେ।
ବିଜେପି ନେତାଙ୍କ ପୁଅ ଅଭିଷେକ ଓ ଅଙ୍କିତ କହିଛନ୍ତି ଯେ ଘରେ ପହଞ୍ଚିବା ପରେ ତାଙ୍କ ବାପା ଚେତା ଫେରି ପାଇଥିଲେ ଏବଂ ଆଖି ଖୋଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ। ଅନ୍ୟପକ୍ଷରେ ଡାକ୍ତର ମୃତ ଘୋଷଣା କରିବାର ୩୦ ମିନିଟ୍‌ ପରେ ମୋ ଭାଇଙ୍କ ଠାରେ ଜୀବନର ଲକ୍ଷଣ ଦେଖା ଦେଇଥିଲା। ସେ ଜୀବିତ ରହିବା ଏକ ଚମତ୍କାର ବୋଲି ବାଘେଲଙ୍କ ଭାଇ ଲଖନ ସିଂହ କହିଛନ୍ତି।
ପରବର୍ତ୍ତୀ ସମୟରେ ବାଘେଲଙ୍କୁ ତୁରନ୍ତ ନ୍ୟୁ ଆଗ୍ରାର ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କ ଛାତିରେ ସଂକ୍ରମଣ ଚିହ୍ନଟ କରିଛନ୍ତ ଏବଂ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

nis-ad
Leave A Reply

Your email address will not be published.