ତାତିଲେ ଗ୍ରାମବାସୀ, ପୁଲିସ ଗାଡିକୁ ଅଟକାଇଲେ

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜୟପୁରଶାସନ ଗ୍ରାମର ମେଳଣ ପଡ଼ିଆ ଠାରେ ଶନିବାର ରାତିରେ ପୁଲିସ ଭ୍ୟାନ୍‌‌କୁ କେତେକ ମହିଳା ଓ ପୁରୁଷ ମାନେ ଏକ ଘଣ୍ଟାରୁ ଅଧିକ ସମୟ କାଳ ଅଟକାଇ ରଖିଥିଲେ। ପିପିଲି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାତି ସାଢେ ୧୧ଟାରେ ଲୋକେ ପୁଲିସ ଭ୍ୟାନ୍‌‌କୁ ଛାଡିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଧଉଳି ଥାନା ଅଞ୍ଚଳରେ ଏକ ଉଦ୍‌‌ଘାଟନୀ ଫଳକ ଭଙ୍ଗାରୁଜା ଘଟଣାକୁ ନେଇ ସେଠାକାର ପୁଲିସରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ମାମଲାରେ ସଂପୃକ୍ତ ଥିବା କେତେକ ଅଭିଯୁକ୍ତ ପିପିଲିର ଜୟପୁରଶାସନ ଗ୍ରାମରେ ରହିଥିବା ସଂପର୍କରେ ମୋବାଇଲ୍‌‌ ଟ୍ରାକିଂରୁ ପୁଲିସ ଜାଣିବାକୁ ପାଇଥିଲା। ଉକ୍ତ ମାମଲାର ତଦନ୍ତ କରୁଥିବା ଧଉଳି ପୁଲିସ ଶନିବାର ରାତିରେ ପିପିଲି ପୁଲିସ ସହାୟତାରେ ନିକଟବର୍ତ୍ତି ଜୟପୁରଶାସନ ଗ୍ରାମରେ ଚଢାଉ କରିଥିଲା। ତେବେ ଦୁଇଜଣ ଯୁବକ ବାଇକ୍‌‌ ଛାଡି ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଉକ୍ତ ଗ୍ରାମର ଜଣେ ଯୁବକକୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା। ଉକ୍ତ ଯୁବକକୁ ଭ୍ୟାନ୍‌‌ରେ ବସାଇ ପୁଲିସ ନେବାକୁ ଉଦ୍ୟମ କରୁଥିବା ସମୟରେ ଏହାକୁ କେତେକ ମହିଳା ଓ ପୁରୁଷ ବିରୋଧ କରିବା ସହ ପୁଲିସ ଭ୍ୟାନ୍‌‌କୁ ଛାଡିନଥିଲେ। ଉକ୍ତ ଯୁବକ ସଂପୂର୍ଣ୍ଣ ନିର୍ଦ୍ଦୋଶ ଥିବା ଓ ତାକୁ ପୁଲିସ ମାଡ ମାରିଥିବାର ସେମାନେ ଅଭିଯୋଗ କରିଥିଲେ। ଖବର ପାଇ ପିପିଲି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ସମେତ ଅନ୍ୟ ଅଫିସର ଓ ପୁଲିସ ଫୋର୍ସ ୩ଟି ଗାଡିରେ ସେଠାରେ ପହଞ୍ଚିଥିଲେ। ଆଇନକୁ ହାତକୁ ନନେବା ପାଇଁ ଓ ପୁଲିସ ତଦନ୍ତରେ ସହଯୋଗ କରିବା ପାଇଁ ଥାନାଧିକାରୀ ଶ୍ରୀ ଖଣ୍ଡାୟତରାୟ ସମସ୍ତଙ୍କୁ ବୁଝାସୁଝା କରିବା ପରେ ଲୋକେ ନିଜ ଜିଦ୍‌‌ରୁ ହଟିଥିଲେ। ଉକ୍ତ ଯୁବକ ସମେତ ଜବତ ବାଇକକୁ ଧରି ପୁଲିସ ସେଠାରୁ ରାତି ସାଢେ ୧୧ଟାରେ ପିପିଲି ଥାନାକୁ ଫେରିଥିଲା। ପରେ ଉକ୍ତ ଯୁବକ ସମେତ ଜବତ ବାଇକକୁ ଧଉଳି ପୁଲିସ ନେଇଥିବା ସୂଚନା ମିଳିଛି।

nis-ad
Leave A Reply

Your email address will not be published.