ରାତି ସାରା ଶୋଇବା ପରେ ସକାଳେ ଜଣାପଡିଲା ମଶିଣା ତଳେ ଥିଲା ନାଗ

ବାଙ୍କୀ : ନାଗ ସାପ ! ନା ଶୁଣିଲେ ଡର ପଶିଯାଏ ମନ ଭିତରେ । ଟିକେ ଭାବିଲେ ଯଦି ଆପଣଙ୍କୁ କେହି ନାଗ ସାପ ସହିତ ଗୋଟେ ରାତି କାଟିବାକୁ କହିବ? ଭୟବିତ ହୋଇଯିବାଟା ତ ସ୍ଵଭାବିକ । କିନ୍ତୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ବାଙ୍କୀ ବ୍ଲକ୍ କିଆପଲା ପଞ୍ଚାୟତର ନୂଆଗାଁରେ । ଯେଉଁଠି ଏକ ପରିବାର ନାଗ ସାପ ସହିତ ଗୋଟେ ରାତି କାଟିଛି । ତାପୁଣି ଅଜଣାତରେ ।

ଖଟ ଉପରେ ଶେଜ ପରା ହୋଇଛି । ଶେଜ ଉପରେ ପଡିଛି ମଶିଣା । କିନ୍ତୁ ମଶିଣା ତଳେ ଲୁଚି ରହିଥିଲା ଅଢେଇ ଫୁଟର ନାଗ । ଆଉ ଏନେଇ କୌଣସି ସୁରାକ୍ ପାଇପାରିନଥିଲେ ପରିବାର ଲୋକେ । ରାତି ସାରା ସେଇ ଖଟରେ ପଡିଥିବା ମଶିଣା ଉପରେ ଶୋଇଥିଲେ । ହେଲେ ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଯାଇଛି ଜୀବନ ।

କଥାରେ ଅଛି ରଖେ ହରି ତ ମାରେ କିଏ? ବାଙ୍କୀ ନୂଆଗାଁ ଅଞ୍ଚଳର ଧୀରେନ୍ଦ୍ର ରାଉତ ସବୁ ଦିନ ପରି ଗତକାଲି ରାତିରେ ବି ନିଜ ଘରେ ପତ୍ନୀ ଓ ଦୁଇ ଛୁଆଙ୍କୁ ଧରି ଖଟ ଉପରେ ମଶାରୀ ଟାଣି ଶୋଇଥିଲେ। ମାତ୍ର ଭୋର୍ ସମୟରେ ସେଜ ତଳେ କିଛି ଚାଲୁଥିବାର ଜାଣି ଧୀରେନ୍ଦ୍ର ହାତ ମାରିବାରୁ ସାପର ଶରୀରରେ ହାତ ବାଜିଲା । ଏହା ସାପ ବୋଲି ଅନୁମାନ କରି ଥିଲେ ଧୀରେ । ସଙ୍ଗେ ସଙ୍ଗେ ନିଜ ପତ୍ନୀଙ୍କୁ ଉଠାଇ ଛୁଆଙ୍କୁ ଧରି ତୁରନ୍ତ ପଳାଇ ଯିବାକୁ କହିଥିଲେ। ସମସ୍ତେ ଖଟ ଉପରୁ ତଳକୁ ଆସିବା ପରେ ଅଢେଇ ଫୁଟର ନାଗ ସାପ ସେଜ ଉପରକୁ ବାହାରି ଆସିଥିଲା। କିନ୍ତୁ ଧୀରେନ୍ଦ୍ର ସାପଟିକୁ ସେହି ମଶିଣା ଭିତରେ ଗୁଡାଇ ରଖିଦେଇଥିଲେ । ଏହାପରେ ଡେରି ନକରି ତୁରନ୍ତ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ସାପକୁ ଧରି ନିକଟସ୍ଥ ପାହାଡରେ ଛାଡି ଦେଇଥିବା ଜଣାପଡିଛି ।

ଥରେ ଭାବିଲେ ରାତି ସାରା ସେଜ ତଳେ ବୁଲୁଥିବା ସାପଟି ଯଦି କାମୁଡିଥାଆନ୍ତା ତେବେ ଏହି ପରିବାର ସଦସ୍ୟଙ୍କର ଅବସ୍ଥା କଣ ହେଇଥାନ୍ତା? ଭଗବାନଙ୍କ ଆର୍ଶିବାଦରୁ ସମସ୍ତଙ୍କ ଜୀବନ ବଞ୍ଚିଯାଇଛି। ତେଣୁ ଆମେ ଏନେଇ ବାରମ୍ବାର ସଚେତନ କରାଉଛୁ କି ବର୍ଷା ଦିନେ ସାପ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାନ୍ତି । ତେଣୁ ନିଜ ଘର, ବାଡି ବଗିଚା ଆଦିକୁ ସଫା ସୁତୁରା ରଖନ୍ତୁ । ଅନାବନା ଗଛ ତଥା ବୁଦାକୁ କାଟି ପରିଷ୍କାର କରନ୍ତୁ । ନିୟମିତ ଘର ସଫା କରନ୍ତୁ । ନିଜେ ସତର୍କ ରୁହନ୍ତୁ ନୀଜ ଜୀବନକୁ ସୁରକ୍ଷିତ ରଖନ୍ତୁ ।

nis-ad
Leave A Reply

Your email address will not be published.