ଫୁଲବାଣୀ ବିଦ୍ୟୁତ୍ ବିଭାଗ ଗୋଦାମର ଛଟେଇ ସୁରକ୍ଷା ଗାର୍ଡ ମାନଙ୍କର ପୁନଃ ଥଇଥାନ ଦାବିରେ ଧାରଣା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମୁଖ୍ୟାଳୟରେ ଥିବା ବିଦ୍ୟୁତ୍ ବିଭାଗର ବିଦ୍ୟୁତ୍ ସରଞ୍ଜାମର ଗୋଦାମରେ ଦୀର୍ଘ ବର୍ଷ ଧରି ନିରନ୍ତର କାର୍ଯ୍ୟ କରି ଆସୁଥିବା ସୁରକ୍ଷା ଗାର୍ଡ ମାନଙ୍କୁ ଛଟେଇ କରି ଦିଆଯାଇଛି। ସେମାନଙ୍କୁ ପୁନଃ ଥଇଥାନ ଦାବିରେ ଆଜି ସମସ୍ତ ଛଟେଇ ସୁରକ୍ଷା ଗାର୍ଡ ଭୀଷଣ ବର୍ଷା ରେ ମଧ୍ୟ ଗୋଦାମ ଆଗରେ ଧାରଣା ରେ ବସିଛନ୍ତି। ସେମାନଙ୍କ ଦାବି ଅନୁସାରେ ସେମାନେ ଫୁଲବାଣୀ ବିଦ୍ୟୁତ୍ ଡିଭିଜନ ଷ୍ଟୋର ରେ ସିକ୍ୟୁରିଟି ଗାର୍ଡ ଭାବେ ଆଜିକୁ ପ୍ରାୟ ୨୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କୁ ସେଥିପାଇଁ ଅତି କମ୍ ଦରମା ପ୍ରଦାନ କରାଯାଉଥିଲା। ତଥାପି ସେମାନେ ସେହି କମ ଦରମାରେ ନିଜ ନିଜର ପରିବାର ପ୍ରତିପୋଷଣ କରୁଥିଲେ।ଏହା ମଧ୍ଯରେ ଏହି କାର୍ଯ୍ୟ ଦୁଇ ତିନିଟି ଠିକା ସଂସ୍ଥା ହାତକୁ ଯାଇ ଥିଲେ ହେଁ ସେହି ସଂସ୍ଥା ଏହି ସୁରକ୍ଷା ଗାର୍ଡ ମାନଙ୍କୁ ଛଟେଇ କରି ନଥିଲା। ସେମାନେ ମଧ୍ୟ ଠିକ୍ ଭାବରେ ଗୋଦାମ ର ସୁରକ୍ଷା ଦାୟିତ୍ବ ତୁଲାଇ ଆସୁଥିଲେ। ହେଲେ ଆଜି ଠାରୁ ସେଠାର ସୁରକ୍ଷା ପାଇଁ ନୁତନ ଠିକା ସଂସ୍ଥା ନେଇଛି। ଏହି ସଂସ୍ଥା ର ମାଲିକ ଏହି ସୁରକ୍ଷା ଗାର୍ଡ ମାନଙ୍କୁ ବୟସ ଅଧିକ ହୋଇଥିବା କହିବା ସହିତ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଶାରୀରିକ ଫିଟନେସ୍ ନ ଥିବା କହି ସେମାନଙ୍କୁ କାର୍ଯ୍ୟ ରୁ ଛଟେଇ କରି ଦେଇଥିବା କହିଛନ୍ତି ଛଟେଇ କର୍ମଚାରୀ ମାନେ । ତେଣୁ ଆଜିଠାରୁ ସୁରକ୍ଷା କର୍ମୀ କାର୍ଯ୍ୟ ରୁ ଛଟେଇ କରାଯାଇଥିବା ସୀମାଞ୍ଚଳ ପଟ୍ଟନାୟକ,ଜଗନ୍ନାଥ ସାହୁ,ମନରଞ୍ଜନ ମୁଖି ଓ ସୁରେଶ ତରାଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଶାନ୍ତି ପୁର୍ଣ୍ଣ ଭାବରେ ଧାରଣାରେ ବସିଛନ୍ତି। ଏହି ସଂକ୍ରାନ୍ତରେ ବିଦ୍ୟୁତ୍ ବିଭାଗ ର ଉଚ୍ଚ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ଏହି ବାବଦରେ ଠିକା ସଂସ୍ଥା ହି କୌଣସି ନିଷ୍ପତ୍ତି ନେବ ବୋଲି କହିଛନ୍ତି। ତେବେ ଛଟେଇ ପୁର୍ବରୁ ସେମାନଙ୍କୁ କୌଣସି ପୁର୍ବ ସୁଚନା କରାଯାଇ ନାହିଁ କିମ୍ବା ସେମାନଙ୍କର ପ୍ରୋଭିଡେଣ୍ଟ ଫଣ୍ଡ ତଥା ଅନ୍ୟାନ୍ୟ ପ୍ରାପ୍ଯ ମଧ୍ୟ ପ୍ରଦାନ କରାଯାଇନାହିଁ। ଛଟେଇ ପରେ ସେମାନେ କିପରି ପରିବାର ପ୍ରତିପୋଷଣ କରିବେ ସେଥିପାଇଁ ସେମାନେ ଚିନ୍ତା ରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ।

nis-ad
Leave A Reply

Your email address will not be published.