ବଢ଼ିଲା ବୀରେନ୍ଦ୍ର ଲାକ୍ରାଙ୍କ ଅଡୁଆ, ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

କଟକ: ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କର ଏହି ମୃତ୍ୟୁ ଘଟଣାରେ ଲିଙ୍କ ଥିବା ନେଇ ଅଭିଯୋଗ ଆଧାରରେ କୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଆନନ୍ଦଙ୍କ ବାପା ତାଙ୍କ ପୁଅର ମୃତ୍ୟୁ ଘଟଣାର ପୁଲିସ ନିରପେକ୍ଷ ତଦନ୍ତ କରିନଥିବା ଅଭିଯୋଗ କରି ପିଟିସନ୍ ଦାଖଲ କରିବା ପରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଫେବ୍ରୁଆରି ୨୮ ତାରିଖରେ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳର ଏକ ଘର ଭିତରୁ ଆନନ୍ଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ହତ୍ୟା କରିବା ପଛରେ ବୀରେନ୍ଦ୍ର ଓ ତାଙ୍କ ସାଙ୍ଗ ମନଜିତ ଟେଟେଙ୍କ ହାତ ଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୁଲିସ ପ୍ରଥମେ ବୀରେନ୍ଦ୍ରଙ୍କୁ କ୍ଲିନଚିଟ୍ ଦେଇଥିବା ବେଳେ ଏବେ କୋର୍ଟଙ୍କ ନିର୍ଦ୍ଦେଶ ମାମଲାର ନୂଆ ତଦନ୍ତ ପାଇଁ ବାଟ ଫିଟିଛି। କ୍ରାଇମବ୍ରାଞ୍ଚ ଡିଆଇଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ ରିପୋର୍ଟ ନିମ୍ନ ଅଦାଲତରେ ଦାଖଲ କରାଯିବ।

କୋର୍ଟଙ୍କ ଏହି ନିର୍ଦ୍ଦେଶ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ବୀରେନ୍ଦ୍ରଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଗତ କିଛି ମାସ ହେବ ସେ ଏହି କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି।

ଆନନ୍ଦ ଟପ୍ପୋ ମାମଲାରେ ସଦ୍ୟତମ ଘଟଣାକ୍ରମ ବୀରେନ୍ଦ୍ରଙ୍କ ସମ୍ମାନକୁ ଆହୁରି କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି। ଏବେ ତାଙ୍କୁ କୋର୍ଟରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ପଡ଼ିବ।

nis-ad
Leave A Reply

Your email address will not be published.