ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି ଆଦର୍ଶ ପୋଲିସ ଷ୍ଟେସନକୁ ଏନସିପିସିଆରଙ୍କ ପ୍ରଶଂସା
ମାଲକାନଗିରି, (୦୬/୦୭/୨୩) : ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ( ଏନସିପିସିଆର)ଙ୍କ ଏକ ଦଳ ମାଲକାନଗିରି ଗସ୍ତ କରିଛନ୍ତି । ଏନସିପିସିଆର ରେଜିଷ୍ଟ୍ରାର ଶ୍ରୀମତୀ ଅନୁ ଚୌଧୁରୀ ଆଜି ମାଲକାନଗିରି ସଦରର ଶିଶୁଙ୍କ ସହ ସଂଶ୍ଲିଷ୍ଟ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଶ୍ରୀମତୀ ଚୌଧୁରୀ ଆଦର୍ଶ ପୋଲିସ ଷ୍ଟେସନରେ ଶିଶୁଙ୍କ ନିମନ୍ତେ ସୁହାଇଲା ଭଳି ପରିବେଶ ଥିବାରୁ ପରିଦର୍ଶନରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଏଠାରେ ସେ ମହିଳା ଓ ଶିଶୁ ଡେସ୍କ ବୁଲି ଦେଖିଥିଲେ ଏବଂ ପୋଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାରୁ ୨୦୨୩ରେ ୫୩ ଗୋଟି କେସ ପଞ୍ଜିକରଣ ହୋଇଥିବା ଜାଣିବାକୁ ପାଇଥିଲେ। ସମସ୍ତ କେସ୍ ଗୁଡିକୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଉପସ୍ଥାପନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ସେହିପରି ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଶିଶୁ ୱାର୍ଡ ବୁଲି ଦେଖିଛନ୍ତି । ପେଡିଆଟ୍ରିକ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟକୁ ଶୀଘ୍ର ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ଵତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟ୍ରେ ଖାଲି ପଡ଼ିଥିବା ଶିଶୁ ବିଶେଷଜ୍ଞ ପଦବୀ ପୂରଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ଦଳ ବି ବି ଗୁଡା ଓ ଏମଭି -୪୩ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ଶିଶୁଙ୍କ ସୁବିଧା ନିମନ୍ତେ ଆବଶ୍ୟକୀୟ ସମସ୍ତ ସାଧନ ଉପଲବ୍ଧ କରାଇବା ପାଇଁ ଗୁରୁତ୍ଵାରୋପ କରିଥିଲେ। ସେହିପରି ବୁଟିଗୁଡ଼ା ମାଧ୍ୟମିକ ଇଂରାଜୀ ବିଦ୍ୟାଳୟ ପରିଦର୍ଶନ ଅବସରରେ ଶିଶୁଙ୍କ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧ କରାଇବା ପାଇଁ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ସିସିଆଇ ପରିବର୍ତ୍ତନ ଶିଶୁ ଗୃହ ରେ ଶିଶୁ ଉପଯୋଗୀ ପରିବେଶ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ଯେଉଁଠାରେ ୪୪ ବାଳିକା ଏବଂ ୧୯ ଜଣ ବାଳକ ରହୁଛନ୍ତି।
ଅପରାହ୍ନରେ ଶ୍ରୀମତୀ ଚୌଧୁରୀ ଜିଲ୍ଲା ପ୍ରଶାସନ ସହ ଏକ ବୈଠକ କରିଥିଲେ। ସୂଚନା ଥାଉ କି ଖଇରପୁଟଠାରେ ୭ ଜୁଲାଇରେ ଏହି ବେଞ୍ଚର ଏକ କ୍ୟାମ୍ପ ଆୟୋଜନ ହେଉଛି । ଯେଉଁଠାରେ ଶିଶୁଙ୍କ ସହ ଜଡ଼ିତ ସମସ୍ତ ଅଭିଯୋଗ ର ଶୁଣାଣି ହେବ। ତେଣୁ ଏଥି ନିମନ୍ତେ ଜିଲ୍ଲା ର ସମସ୍ତ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ସେଥି ନିମନ୍ତେ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ, ଓଏସସିପିସିଆର ସଚିବ, ପ୍ରଭାତ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ନାରାୟଣ ଦାସ, ଏନ ସି ପି ସି ଆର ଆଇନ ସହାୟକ, ଶିଭମ୍ ରାୟ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.