ପ୍ଲାଟଫର୍ମରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା: ପ୍ରସବ କରାଇଲେ ଆରପିଏଫର ‘ମେରୀ ସହେଲୀ ଟିମ୍’

ଚନ୍ଦୌଲି: ଉତ୍ତର ପ୍ରଦେଶର ଚନ୍ଦୌଲିସ୍ଥିତ ଡିଡିୟୁ ଜଙ୍କସନରେ ଜଣେ ଗର୍ଭବତୀ ମହିଳା ଟ୍ରେନକୁ ଅପେକ୍ଷା କରିଥିବା ବେଳେ ତାଙ୍କର ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ଫଳରେ ସେଇଠାରେ ହିଁ ଉପସ୍ଥିତ ଆରପିଏଫ ଓ ଡାକ୍ତରୀ ଟିମ୍ ସହାୟତାରେ ମହିଳା ଜଣକ ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି, ଉଭୟ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି।
ରିପୋର୍ଟରୁ ପ୍ରକାଶ, ଜଙ୍କସନର ୨ ନମ୍ବର ପ୍ଲାଟଫର୍ମରେ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ କାନ୍ଦୁଥିବା ନେଇ ଡିଡିୟୁ ଆରପିଏଫ ଅଧିକାରୀମାନେ ସୂଚନା ପାଇଥିଲେ। ଏହି ସୂଚନା ପାଇ ଆରପିଏଫ ସକ୍ରିୟ ହୋଇଥିଲା। ଆରପିଏଫର ‘ମେରୀ ସହେଲୀ ଟିମ୍’ ମେଡିକାଲ ସୁବିଧା ଥିବା ଜଙ୍କସନର ୨ ନମ୍ବର ପ୍ଲାଟଫର୍ମର ସିଡିରେ ପହଞ୍ଚିଥିଲେ ଯେଉଁଠାରେ ମହିଳା ଜଣକ ଯନ୍ତ୍ରଣାରେ କାନ୍ଦୁଥିଲେ।
ଟିମ୍ ସଙ୍ଗେ ସଙ୍ଗେ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସୁରକ୍ଷିତ ଭାବେ ନେଇ ତାଙ୍କର ପ୍ରସବ କରାଇଥିଲେ। ତେବେ ମହିଳା ଜଣକ ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏବେ ମା’ ଓ ଶିଶୁ ଉଭୟ ସୁରକ୍ଷିତ ଅଛନ୍ତି। ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଡାକ୍ତରଙ୍କ ପରାମର୍ଶକ୍ରମେ ମହିଳାଙ୍କୁ ମୁଗଲସରାଇସ୍ଥିତ ସରକାରୀ ମହିଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ ଯତ୍ନ ନେବା ପାଇଁ ତାଙ୍କ ସ୍ୱାମୀ ବିନୋଦ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଏଠାରେ ଉପସ୍ଥିତ ଅଛନ୍ତି।

ଆରପିଏଫ୍ ଇନ୍‌ଚାର୍ଜ ଇନ୍ସପେକ୍ଟର ସଞ୍ଜୀବ କୁମାର କହିଛନ୍ତି ଯେ ବିନୋଦ ମାଝୀ ତାଙ୍କ ପତ୍ନୀ ପଞ୍ଚି ମାଝୀ ଏବଂ ତାଙ୍କ ପରିବାର ସହିତ ୧୨୩୦୪ ପୂର୍ବା ଏକ୍ସପ୍ରେସ୍ ରେ କାନପୁରରୁ ଗୟା ଅଭିମୁଖେ ଯାଉଥିଲେ। ଡିଡିୟୁ ଜଙ୍କସନରେ ସେ ନିଜର ଗାଡି ବଦଳାଇ ଗୟା ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ତାଙ୍କ ପତ୍ନୀ ପଞ୍ଚିଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଆରପିଏଫରୁ ଖବର ପାଇବା ପରେ ଡାକ୍ତର ଓ ‘ମେରୀ ସହେଲୀ ଟିମ୍’ ସହାୟତାରେ ମହିଳାଙ୍କ ପ୍ରସବ କରାଯାଇଥିଲା।

nis-ad
Leave A Reply

Your email address will not be published.