ବିଜେପି ବିଧାୟକ କହିଲେ- ହଁ, ମୁଁ ଗୁଳି କରିଛି…

IMAGE_1706955803

ମୁମ୍ବାଇ : ‘ହଁ ମୁଁ ନିଜେ ତାଙ୍କୁ ଗୁଳି କରିଛି। ଏଥିପାଇଁ ମୁଁ ଦୁଃଖିତ ନୁହେଁ।’ ମହାରାଷ୍ଟ୍ରର ଉଲ୍ଲାସନଗର ଥାନାରେ ଶିବସେନା ବିଧାୟକଙ୍କ ଉପରକୁ ଗୁଳି ମାଡ଼ କରିବା ମାମଲାରେ ବିଜେପି ବିଧାୟକ ଗଣପତ ଗାଏକ୍ୱାଡ ଏଭଳି କିଛି ସଫେଇ ରଖିଛନ୍ତି। ନିଜ ଆତ୍ମରକ୍ଷା ପାଇଁ ସହଯୋଗୀ ଦଳର ନେତାଙ୍କୁ ଗୁଳିମାଡ଼ କରିଥିବା ସେ କହିଛନ୍ତି।
ଶୁକ୍ରବାର ମହାରାଷ୍ଟ୍ର ଥାନେ ଜିଲ୍ଲାର ଏକ ପୁଲିସ୍‌ ଥାନାରେ ବିଜେପି ଓ ଶିବସେନା ନେତା ମୁହାଁମୁହିଁ ହୋଇଥିଲେ। ଏହାପରେ ସର୍ବସମ୍ମୁଖରେ ଗୁଳିମାଡ କରିଥିଲେ ବିଜେପି ବିଧାୟକ ଗଣପତ ଗାଏକ୍ୱାଡ। ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଗୋଷ୍ଠୀର ଶିବସେନା ବିଧାୟକ ମହେଶ ଗାଏକ୍ୱାଡ ଓ ଅନ୍ୟ ଜଣେ ସମର୍ଥକ ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜେପି ବିଧାୟକଙ୍କୁ ଗିରଫ କରିଛି।
ଗିରଫ ପରେ ବିଜେପି ବିଧାୟକ ଗଣପତ ଗଣମାଧ୍ୟମ ଆଗରେ ସଫେଇ ରଖିଛନ୍ତି। ସେ କହିଛନ୍ତି, ‘ହଁ ମୁଁ ତାଙ୍କୁ ନିଜେ ଗୁଳିମାଡ କରିଛି। ଏଥିପାଇଁ ମୋର କୌଣସି ପଶ୍ଚାତପ ନାହିଁ କି ମୁଁ ଦୁଃଖିତ ନୁହେଁ। ଯଦି ମୋ ପୁଅକୁ ଥାନା ଭିତିରେ ପୁଲିସ ଆଗରେ ମାଡ ମରାଯିବ, ତା’ହେଲେ ମୁଁ କ’ଣ କରିଥାନ୍ତି।’
କେବଳ ସେତିକି ନୁହେଁ ଏହି ବିଜେପି ବିଧାୟକ ଜଣକ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ମହାରାଷ୍ଟ୍ରକୁ ଅପରାଧୀମାନଙ୍କ ସାମ୍ରାଜ୍ୟ କରିବାକୁ ଚେଷ୍ଟା ଚାଲିଛି। ସିନ୍ଧେ ସାହେବ ଉଦ୍ଧବ ସାହେବଙ୍କୁ ଧୋକା ଦେଇଛନ୍ତି। ସେ ବିଜେପି ମଧ୍ୟ ଧୋକା ଦେବେ। ତାଙ୍କ ଉପରେ ମୋର କୋଟି କୋଟି ଟଙ୍କା ବାକି ଅଛି। ଯଦି ମହାରାଷ୍ଟ୍ରକୁ ଭଲଭାବେ ଶାସନ କରିବାକୁ ଚାହୁଁଛ ତେବେ ସିନ୍ଧେ ଇସ୍ତଫା ଦେବା ଜରୁରୀ। ପ୍ରଧାନମନ୍ତ୍ରୀ ମୋଦି ଓ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଏହା ମୋର ଅନୁରୋଧ ବୋଲି କହିଛନ୍ତି ଗଣପଥ ଗାଏକ୍ୱାଡ।
ପୋଲିସ ସୂତ୍ର ଅନୁଯାୟୀ, ରାତି ପ୍ରାୟ ୧୦ଟା ୩୦ ସମୟରେ ଉହ୍ଲାସନଗରର ହିଲ ଲାଇନ ପୁଲିସ ଷ୍ଟେସନରେ ଗୁଳିମାଡ଼ ଘଟିଥିଲା। ଏ ସମ୍ପର୍କରେ ସୂଚନା ଦେଇ ଡିସିପି ସୁଧାକର ପଠାରେ କହିଛନ୍ତି ଯେ ବିଜେପି ବିଧାୟକ ଗଣପତ ଗାଏକ୍ୱାଡ ଏବଂ ଶିବସେନା ସିନ୍ଧେ ଦଳର ନେତା ମହେଶ ଗାଏକ୍ୱାଡଙ୍କ ମଧ୍ୟରେ କିଛି ଜମି ବିବାଦକୁ ନେଇ ଝଗଡ଼ା ହୋଇଥିଲା। ଏ ସମ୍ପର୍କରେ ଉଭୟ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ, ପୁଲିସ ଷ୍ଟେସନରେ ସେମାନଙ୍କ ମଧ୍ୟରେ ବିବାଦ ଏତେ ବଢିଯାଇଥିଲା ଯେ ବିଜେପି ବିଧାୟକ ଗଣପତ ଗାଏକ୍ୱାଡ ଶିବସେନା ନେତା ମହେଶ ଗାଏକ୍ୱାଡଙ୍କ ଉପରକୁ ଗୁଳି ଚଳାଇଥିଲେ।
ଉଭୟ ଶିବସେନା ନେତା ବର୍ତ୍ତମାନ ଥାନାର ଜୁପିଟର୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଗଣପତ ଗାଏକୱାଡଙ୍କୁ ଗିରଫ କରିବା ସହ ସେ ବ୍ୟବହାର କରିଥିବା ବନ୍ଧୁକକୁ ମଧ୍ୟ ପୁଲିସ ଜବତ କରିଛି। ମହେଶ ଗାଏକ୍ୱାଡଙ୍କୁ ପ୍ରଥମେ ଉହ୍ଲାସନଗରର ମୀରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ବିଳମ୍ବିତ ରାତିରେ ଥାନାର ଜୁପିଟର୍‌ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଦେହରୁ ୬ଟି ଗୁଳି ବାହାରିଥିବା ସୂଚନା ମିଳିଛି।

nis-ad
Leave A Reply

Your email address will not be published.