ଉଭୟ ଓପିଡି ଓ ଆଇପିଡିରେ ରହିବ ରୋଗୀଙ୍କ ୟୁନିକ୍‌ ଆଇଡି

SCB-Medical-750x430

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବଂ ସ୍ପଷ୍ଟ ହସ୍ତାକ୍ଷରରେ ରୋଗୀଙ୍କୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଦିଆଯିବାକୁ ନେଇ ଚିନ୍ତା ବଢିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବି ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଅନେକ ଡାକ୍ତର ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖୁଥିବା ବେଳେ ଅଧିକାଂଶ ଡାକ୍ତରଙ୍କର ପ୍ରେସକ୍ରିପସନ୍ ପଢିବା ଯୋଗ୍ୟ ହୋଇପାରୁନି। ଏଥିପାଇଁ ‌ଏବେ କଟକ ବଡଡାକ୍ତରଖାନାରେ ପ୍ରିଣ୍ଟେଡ୍‌ ପ୍ରେସକ୍ରିପସନ୍‌ ଦିଆଯିବା ଯୋଜନା ଆରମ୍ଭ ହୋଇଛି। ଯୋଜନା ଅନୁଯାୟୀ ଉଭୟ ଓପିଡି ଓ ଆଇପିଡିରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଓକାକ୍‌ ମାଧ୍ୟମରେ ପ୍ରତି ଓପିଡି ଓ ଆଇପିଡିରେ କମ୍ପୁଟର ବ୍ୟବସ୍ଥା କରାଯିବ। ଯାହାକି ଇଣ୍ଟରକନେକ୍ଟ ରହିବ। ପ୍ରତି ରୋଗୀଙ୍କ ୟୁନିକ୍‌ ଆଇଡି ରହିବ ଓ ସ୍ବତନ୍ତ୍ର ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ହେବେ। ସେ ଡାକ୍ତରଙ୍କ ଚିଠାକୁ ନେଇ କମ୍ପୁଟର ମାଧ୍ୟମରେ ପ୍ରିଣ୍ଟେଡ୍‌ ପ୍ରେସକ୍ରିପସନ୍‌ ଦେବେ। ଏହାକୁ ନେଇ ଏବେ କାମ ଆରମ୍ଭ ହୋଇଛି। କାମ ସରିବା ପରେ ରୋଗୀଙ୍କୁ ପ୍ରିଣ୍ଟେଡ୍‌ ପ୍ରେସକ୍ରିପସନ୍‌ ଦିଆଯିବ ବୋଲି କହିଛନ୍ତି ଏସ୍‌ସିବିର ଅଧୀକ୍ଷକ (ସାଧାରଣ) ଡକ୍ଟର ଅବିନାଶ ରାଉତ୍‌।

ପ୍ରେସକ୍ରିପସନ୍‌ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ଲେଖିବା ଉପରେ ହାଇକୋର୍ଟ ଗୁରୁତ୍ବ ଦେବା ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟର ସମସ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶନାମା ଜାରି କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବେ ଯଦିଓ ପ୍ରିଣ୍ଟେଡ ପ୍ରେସକ୍ରିପସନ୍ କଥା କୁହାଯାଉଛି, କିନ୍ତୁ ତାହା କିଭଳି ଠିକ ଢଙ୍ଗରେ କାର୍ଯ୍ୟକାରୀ ହେବ, ତାହାକୁ ନେଇ ସନ୍ଦେହ ବଢୁଛି। କଟକ ବଡ ଡାକ୍ତରଖାନା ଓପିଡିକୁ ପ୍ରତିଦିନ ହାରାହାରି ଭାବେ ୭ ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଏହା ବ୍ୟତୀତ ଏସ୍‌ସିବି ଦନ୍ତ ମହାବିଦ୍ୟାଳୟ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁଭବନ, ସିଟି ହସ୍ପିଟାଲ, ପିଏଚ୍‌ସି, ସିଏଚ୍‌ସିକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ମିଶାଇଲେ ପ୍ରତ୍ୟେକ ରୋଗୀଙ୍କୁ ପ୍ରିଣ୍ଟେଡ ପ୍ରେସକ୍ରିପସନ ଦିଆଯିବା ବ୍ୟବସ୍ଥାର ପରିଚାଳନାକୁ ନେଇ ସନ୍ଦେହ ରହୁଛି। ଯଦିଓ ଘରୋଇ ହସ୍ପିଟାଲରେ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସମସ୍ୟା ହେବ ନାହିଁ କିନ୍ତୁ ସରକାରୀ ଡାକ୍ତରଖାନାରେ ଏହାର ସଫଳ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ବଢୁଛି।

nis-ad
Leave A Reply

Your email address will not be published.