୧୯ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୪୬୦୦ କୋଟି

56ffb5bd-b1c0-4eef-9fa8-3d3031b87d8f

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ ୪ ହଜାର ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନେ ବହୁଳ ଭାବେ ଉପକୃତ ହେବେ। ବିଶେଷ କରି ପିଇବା ପାଣି ଯୋଗାଣ କ୍ଷେତ୍ରରେ ସୁଧାର ଆସିବ। ଏହାସହ ମାଛ ଚାଷ, ପଶୁପାଳନ ଆଦିରେ ମଧ୍ୟ ସହାୟକ ହେବ। ଏହି ପ୍ରକଳ୍ପ ସବୁ ଭୂତଳ ଜଳସ୍ତର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବ ବୋଲି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ନିରନ୍ତର ବିକାଶ ପାଇଁ ଏପରି ପ୍ରକଳ୍ପ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବନ୍ୟା ନିୟନ୍ତ୍ରଣରେ ମଧ୍ୟ ଏହି ପ୍ରକଳ୍ପଗୁଡିକ ସହାୟକ ହେବ। ସବୁ କାର୍ଯ୍ୟକ୍ରମ ଲୋକମତ ଓ ଜନ ସହଭାଗିତା ଭିତ୍ତିରେ କରାଯାଉଛି। ତାଙ୍କ ନିର୍ଦ୍ଦେଶରେ ୫ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବା ସମୟରେ ଲୋକଙ୍କଠାରୁ ଏପରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା। ଲୋକଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ୫ଟି ଉପକ୍ରମରେ ଏହି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ଏହି ପ୍ରକଳ୍ପଗୁଡିକର ନିର୍ମାଣ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ଏହି ପ୍ରକଳ୍ପ ଦ୍ୱାରା କୌଣସି ଲୋକ ବିସ୍ଥାପିତ ହେବେ ନାହିଁ।
ରାଜ୍ୟରେ ଚାଷୀଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ପ୍ରକଳ୍ପ ଚାଷୀଙ୍କ ବିକାଶ ଓ ପରିବେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । କାଳିଆ ଯୋଜନା, କୃଷକଙ୍କ ପାଇଁ ବିନା ସୁଧରେ ଋଣ ସୁବିଧା, ଶସ୍ୟ ବୀମା ପ୍ରିମିୟମ ପ୍ରଦାନ ଇତ୍ୟାଦି କାର୍ଯ୍ୟକ୍ରମ ରାଜ୍ୟରେ ଚାଷୀଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି। ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ। ସେମାନଙ୍କ ଉନ୍ନତି ପାଇଁ ସରକାର କାମ କରୁଛନ୍ତି ଓ ଆଗାମୀ ଦିନରେ କାମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୨୦୨୦ରେ ଅନ୍ତଃନଦୀ ଜଳାଶୟ ପାଇଁ ୧୧ ହଜାର ୭୦୦ କୋଟି ଟଙ୍କାରେ ଯୋଜନା ଆରମ୍ଭ ହୋଇଥିଲା ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ୭୨ଟି ପ୍ରକଳ୍ପ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଆଜି ବରଗଡ, ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ମୋଟ ୧୩ଟି ଜିଲ୍ଲାରେ ୧୯ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ରଖିଛନ୍ତି।
ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକମାନଙ୍କର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡାରେ ୧୫ ହଜାରରୁ ଅଧିକ ଚାଷୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଥିଲେ ମହିଳା। କାର୍ଯ୍ୟକ୍ରମରେ ଉପସ୍ଥିତ ତିନି ଜଣ ଚାଷୀ ସେମାନଙ୍କ ମତାମତ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା ଆମ ଭଳି ଚାଷୀଙ୍କ ମରୁଡି ସମସ୍ୟା ଦୂର ହେବ। ଚାଷୀ ବିଭିନ୍ନ ପ୍ରକାର ଚାଷ କରିପାରିବେ । ପିଇବା ପାଣିର ସମସ୍ୟା ମଧ୍ୟ ରହିବ ନାହିଁ ବୋଲି କହିଥିଲେ । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

nis-ad
Leave A Reply

Your email address will not be published.