ଏସସିବି ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ହୋଇଥିବା ରୋଗୀଙ୍କ ମୃତ୍ୟୁ

SCB_1705637887

କଟକ  : କଟକ ଏସସିବି ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ହୋଇଥିବା ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଗତ ୯ ତାରିଖରେ ଖୋର୍ଦ୍ଧା ଅଞ୍ଚଳର ଶୁଭ୍ରାଂଶୁ ସାହୁଙ୍କର କଟକ ଏସସିବି ମେଡିକାଲରେ ପ୍ରଥମ ହାପଲୋ ଟ୍ରାନସପ୍ଲାଣ୍ଟ କରାଯାଇଥିଲା। ଶୁଭ୍ରାଂଶୁଙ୍କ ସାନ ଭାଇଙ୍କ ଷ୍ଟେମ ଆଣି ପ୍ରତିରୋପଣ କରାଯାଇଥିଲା। ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଓ ତାଙ୍କ ସାନ ଭାଇଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ଅସ୍ତ୍ରୋପଚାର ପର ଦିନ ଶୁଭ୍ରାଂଶୁଙ୍କ ସାନଭାଇଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ଏହି ସଫଳ ଅସ୍ତ୍ରୋପଚାର କରି ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗ ସୁନାମ ଆଣିଥିଲା। ତେବେ ରୋଗୀର ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ଆଜି ଭୋରରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା କଣ୍ଟାମାଳିମ ଅଞ୍ଚଳର ଶୁଭ୍ରାଂଶୁ ସବ୍ୟସାଚୀ ସାହୁ ୨୦୧୯ ରୁ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ। ଏହା ପରେ ଏସସିବିରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିଲେ। କିନ୍ତୁ ୨୦୨୨ ମସିହାରେ ସେ ପୁଣି ଅସୁସ୍ଥ ହୋଇଥିଲେ। ଯେହେତୁ କର୍କଟ ରୋଗ ତୃତୀୟ ଷ୍ଟେଜ ରହିଥିଲା ଓ କେମୋ ଥେରାପି ଶେଷ ହୋଇଥିଲା, ତେଣୁ ପରିବାର ଲୋକ ଭଗବାନଙ୍କ ଭରସାରେ ପୁଅକୁ ଛାଡି ଦେଇଥିଲେ। କିନ୍ତୁ ଏସସିବି ମେଡିକାଲରେ ଅସ୍ଥିମଜା ପ୍ରତିରୋପଣର ସଫଳ ଅପରେସନ ପରେ ଏକ ନୂଆ ଜୀବନ ପାଇଥିଲେ ଶୁଭ୍ରାଂଶୁ। ଏହି ସଫଳ ଅସ୍ଥିମଜା ପ୍ରତିରୋପଣ ଅସ୍ତ୍ରୋପଚାରରେ ନିଜ ଭାଇ ପ୍ରଭୁଦତ୍ତ ଷ୍ଟେମ ସେଲ ଦେଇଥିଲେ। କିନ୍ତୁ ଏତେ ବଡ଼ ସଫଳ ଅସ୍ତ୍ରୋପଚାର ପରେ କିପରି ଶୁଭ୍ରାଂଶୁଙ୍କ ମୃତ୍ୟୁ ହେଲା ତାହା ଏଯାବତ ଜଣା ପଡ଼ିନଥିଲା ବେଳେ ଏହି ଦିଗରେ ଶୀଘ୍ର ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେବେ ବୋଲି ଜଣାଯାଇଛି।

nis-ad
Leave A Reply

Your email address will not be published.