ମୃତ୍ୟୁ ବରଣ କଲା ରାକ୍ଷସୀ ପୁତନା, ଆଜି ହେବ କାଳୀୟ ଦଳନ…

1bd585c6-cef0-4854-973f-7f0f8428ba2f-750x430

ବରଗଡ଼: ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ ଧନୁଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନରେ ଭଗବାନ ଶ୍ରୀକୃଷ୍ଣ, ବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ପୁତନା ରାକ୍ଷସୀ ସମେତ ଷଡମଲ୍ଲଙ୍କ ସଂହାର ହୋଇଥିବା ବେଳେ ଗୋପପୁରରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ। ସେହିପରି ମଧୁରା ନଗରୀ କଂସଙ୍କ ରାଜତ୍ୱରେ ଥର ହର ହୋଇପଡ଼ିଥିବା ବେଳେ ଦୈବବାଣୀରେ ଚିନ୍ତିତ ମହାରାଜା କଂସ ମୁକ୍ତେଶ୍ୱର ବାବାଙ୍କଠାରେ ରୁଦ୍ରାଭିଷେକ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ରକଳା ପରି ବଢ଼ି ଚାଲିଛନ୍ତି ଗୋପପୁରରେ। ପ୍ରତିଦିନ ତାଙ୍କ ଲୀଳା ଖେଳ ଚାଲିଛି ଗୋପପୁରରେ। ମାଟି ଖାଉଥିବା ବେଳେ ମାତା ଯଶୋଦା ନଟଖଟ କୃଷ୍ଣଙ୍କୁ ପାଟି ଆଁ କରିବାକୁ କହି ବିଶ୍ୱ ରୂପ ଦର୍ଶନ କରିଛନ୍ତି।

ଧନୁଯାତ୍ରାର ଚତୁର୍ଥ ଦିବସରେ କୃଷ୍ଣ ବଳରାମଙ୍କୁ ଗାଁ ଦାଣ୍ଡରେ ସ୍ୱାଗତ କରିବା ପାଇଁ ଚିତା ଅଙ୍କନ କରାଯାଇ ପୂର୍ଣ୍ଣ କଳସ ସ୍ଥାପନ କରିବା ସହ ଘରେ ଘରେ ଧୂପଦୀପ ଦେଇ ପାଦ ପ୍ରକ୍ଷାଳନ କରିଥିଲେ ଗୋପପୁରବାସୀ। ସେହିପରି ସାମାନ୍ୟ ଛାର ବାଳକଟିକୁ ମାରିବା ପାଇଁ କଂସ ରାଜାଙ୍କ ନିମନ୍ତ୍ରଣ ନେଇ ମନରେ ବିସ୍ମୟ ଜାତ ହେଉଥିଲେ ମଧ୍ୟ ଷଡ଼ମଲ୍ଲ ଗୋପାଭିମୁଖୀ ହୋଇ ନିଜର ମାୟା ଯୁଦ୍ଧ ପାଇଁ ରାଜାଙ୍କ ଆଦେଶକୁ ଅବମାନନା କରି ନାହାନ୍ତି। ନିଜର ମୃତ୍ୟୁ ସୁନିଶ୍ଚିତ ଜାଣି ସୁଦ୍ଧା ଅସୁର ଯୋଦ୍ଧାମାନେ ଗୋପକୁ ପ୍ରବେଶ କରିଥିଲେ। କୃଷ୍ଣ ବେନିଭାଇ ଆଜି ଗୋଚାରଣ ସମୟରେ କଂସ ଦ୍ୱାରା ପ୍ରେରୀତ ରାକ୍ଷସ ରାକ୍ଷସୀମାନେ ପହଞ୍ଚିଥିଲେ। ରାକ୍ଷସୀ ଭଗିନୀ ପୁତନା ନିଜ ସ୍ତନରେ ମାୟାବଳରେ ଉତ୍କଟ ବିଷକୂଟ ଭର୍ତ୍ତି କରି ଶିଶୁ କୃଷ୍ଣଙ୍କୁ ସ୍ତନ୍ୟପାନ କରେଇବା ପାଇଁ ଉଦ୍ୟମ କରିବା ବେଳେ କୃଷ୍ଣ କ୍ଷୀର ସଙ୍ଗେ ପୁତନାର ପ୍ରାଣ ଶୋଷି ମଥୁରା ନରେଶ ମାମୁ କଂସଙ୍କର କପଟ ଖଣ୍ଡନ କରିଥିଲେ।

ପରେ ଗୋପାଳ ବାଳକମାନଙ୍କ ସହିତ ନିକଟସ୍ଥ ଜଙ୍ଗଳକୁ ଗୋଚାରଣ କରିବାକୁ ଯାଇ କଂସ ଦ୍ୱାରା ପ୍ରେରୀତ ଷଡ଼ମଲ୍ଲ ବକା, ଶକଟା, ଅଘା, ତୃଣା,  ଧେନୁକା ଓ ଷଣ୍ଢାସୁରଙ୍କୁ ପର୍ଯ୍ୟାୟ କ୍ରମେ ହତ୍ୟାକରି ମାମୁଙ୍କର ସମସ୍ତ ଚକ୍ରାନ୍ତକୁ ଖଣ୍ଡନ କରି ନିଜର ବାଲ୍ୟ ସୁଲଭ ଚପଳାମିରେ ଜଗତ ଉଦ୍ଧାରର ବାର୍ତ୍ତା ପ୍ରେରଣ କରିଥିଲେ। ପୁତନା ସମେତ ଷଡ଼ମଲ୍ଲଙ୍କର ମୃତ୍ୟୁରେ ଗୋପ ଉତ୍ସବମୁଖର ହୋଇଥିବା ବେଳେ ଏପଟେ ମଥୁରାରେ ମୃତ୍ୟୁର ଆଭାସରେ ଡହଳ ବିକଳ କଂସ ମହାରାଜା ମୁକ୍ତେଶ୍ୱର ମହାଦେବକୁ ଦର୍ଶନ କରି ରୁଦ୍ରାଭିଷେକ କରିଥିଲେ। ପରେ ରଙ୍ଗମହଲରେ ନୃତ୍ୟଗୀତ ଓ ସୁରାରେ ମସଗୁଲ ରହି ସନ୍ଧ୍ୟାରେ ରାଜଦରବାରକୁ ବିଜେ କରି ରକ୍ଷୀଠାରୁ ପୁତନା ସମେତ ଷଡ଼ମଲ୍ଲଙ୍କର ନିଧନର ଖବର ପାଇ ମର୍ମାହତ ହୋଇ ସ୍ୱର୍ଗତ ରାକ୍ଷସ କୁଟୁମ୍ବଙ୍କ ଆତ୍ମା ପ୍ରତି ଶୋକ ପ୍ରକଟ କରି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ରାଜପରିଷଦ ବର୍ଗଙ୍କ ସହିତ ଆଲୋଚନା କରିଥିଲେ।

ବରଗଡ଼ ଧନୁଯାତ୍ରାରେ ପଞ୍ଚମ ଦିନରେ ଆଜି ମହାରାଜା ବ୍ରହ୍ମଚାରୀ ଅଞ୍ଚଳରେ ଦିଗବିଜୟ କରିବେ । ସେହିପରି ଗୋପରେ କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ଜାମଳାର୍ଜୁନ ଉଦ୍ଧାର, କାଳୀୟ ଦଳନ, ବିଶ୍ବରୂପ ଦର୍ଶନ ଓ ଗୋପୀଙ୍କ ଦଧିବିକା ଦୃଶ୍ୟ ମଞ୍ଚସ୍ଥ ହେବ ।

nis-ad
Leave A Reply

Your email address will not be published.