କୃଷି ଓଡ଼ିଶା-୨୦୨୪ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର : କୃଷି ଓଡ଼ିଶା-୨୦୨୪କୁ ଉଦ୍‌‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନତା ମଇଦାନଠାରେ ଆଜିଠାରୁ ଆରମ୍ଭ ହୋଇ ୧୪ ଯାଏଁ ତିନି ଦିନ ଚାଲିବାକୁ ଥିବା ଏହି କାର୍ଯ୍ୟ କ୍ରମକୁ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଉଦ୍‌ଘାଟନ କରି କୃଷିରେ ମହିଳାଙ୍କ ଭାଗିଦାରୀ ଓଡ଼ିଶାର କୃଷିକୁ ସମୃଦ୍ଧ କରିପାରିଛି ବୋଲି କହିଛନ୍ତି। ଏଥି ସହିତ ‘କୃଷି ଓଡ଼ିଶା-୨୦୨୪’ର ବିଷୟବସ୍ତୁ ‘କୃଷି ପ୍ରଗତିରେ ମହିଳା’ ଶୀର୍ଷକ କୃଷିକୁ ଅଧିକ ଲାଭଦାୟୀ କରିପାରିଥିବା ମହିଳା କୃଷକଙ୍କ ସର୍ବୋତ୍ତମ ଉତ୍ପାଦ ଓ ଅନୁଶୀଳନକୁ ପ୍ରଦର୍ଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

‘କୃଷି ଓଡ଼ିଶା-୨୦୨୪’ରେ ମହିଳା କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା କୃଷି ଉଦ୍ୟୋଗୀ, ବ୍ୟବସାୟିକ ସଂସ୍ଥା, ସେବା ପ୍ରଦାନକାରୀ ପ୍ରତିଷ୍ଠାନ, କୃଷି ଉଦ୍ୟୋଗୀ ଓ ଶିଳ୍ପଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ପ୍ରମୁଖ ଲକ୍ଷ୍ୟ ରହିଛି। ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫ହଜାର ମହିଳା କୃଷକ ଏବଂ ୨ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏଥି ସହିତ ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ କୃଷି ଯନ୍ତ୍ରପାତି ତିଆରି କରିଥିବା ୭୦ ଜଣ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି।

ଏଥି ସହିତ ସଫଳ ମହିଳା କୃଷକ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମ୍ୱର୍ଦ୍ଧିତ କରାଯିବ। ରାଜ୍ୟରେ କୃଷି, ଉଦ୍ୟାନକୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ରହିଥିବା ଅନନ୍ୟ ସୁଯୋଗଗୁଡ଼ିକ ପ୍ରଦର୍ଶିତ କରାଯିବ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର୍‌‌ ପ୍ରତିଷ୍ଠାନ, ସିଜିଆଇଏଆର୍‌‌ ପ୍ରତିଷ୍ଠାନ, ବେସରକାରୀ ସଂଗଠନ ଗୁଡ଼ିକର ସହଯୋଗରେ ୧୭ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ।

nis-ad
Leave A Reply

Your email address will not be published.