ଅଟଳ ସେତୁ ମୁମ୍ବାଇର ସେୱରୀରୁ ବାହାରି ରାୟଗଡ଼ ଜିଲ୍ଲାର ଦହୱା ଶେୱାରେ ଶେଷ ହୋଇଛି। ଏହି ସେତୁରେ ୬ଟି ଲେନ୍ ରହିଛି। ଏହାକୁ ନିର୍ମାଣ କରିବାକୁ ୧୭, ୮୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ସେତୁ ଭାରତୀୟ ଇଞ୍ଚିନିୟରିଂର ଏକ ବଳିଷ୍ଠ ଉଦାହରଣ। ଅଟଳ ସେତୁ ଯୋଗୁ ମୁମ୍ବାଇ-ନଭି ମୁମ୍ବାଇ ମଧ୍ୟରେ ଯା’ଆସ କରିବାର ସମୟ ହ୍ରାସ ପାଇଯିବ। ପୂର୍ବରୁ ମୁମ୍ବାଇରୁ ନଭି ମୁମ୍ବାଇକୁ ୨ ଘଣ୍ଟା ଲାଗୁଥିବା ବେଳେ ଏବେ ୧୫ରୁ ୨୦ ମିନିଟ୍ ଲାଗିବ।
ଏହା ସେତୁ ଯୋଗୁ ଟ୍ରାଫିକ୍ ସମସ୍ୟା ଦୂର ହେବ। ଉଭୟ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯୋଗାଯୋଗକୁ ଏହି ସେତୁ ଉନ୍ନତ କରିବ। ମୁମ୍ବାଇରୁ ପୁନେ, ଗୋଆ ଓ ଦକ୍ଷିଣ ଭାରତକୁ ଯାତ୍ରା କରିବାକୁ ଯେତିକି ସମୟ ଲାଗୁଥିଲା, ତାହା ହ୍ରାସ ପାଇଯିବ। ମୁମ୍ବାଇ ବନ୍ଦର ଓ ଜବାହରଲାଲ ନେହରୁ ବନ୍ଦର ମଧ୍ୟରେ ଯୋଗାଯୋଗକୁ ଉନ୍ନତ କରିବ।
୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ସେତୁର ଶିଳାନ୍ୟାସ କରିଥିଲେ। ଏହାକୁ ନିର୍ମାଣ କରିବାକୁ ୭ ବର୍ଷ ଲାଗିଗଲା। ଅଟଳ ସେତୁ ଉପରେ ସମସ୍ତ ପ୍ରକାର ଗାଡ଼ି ଚଳାଚଳ କରିପାରିବ ନାହିଁ। ମୋଟର ସାଇକେଲ, ମୋପେଡ୍, ତିନି ଚକିଆ ଯାନ, ଟ୍ରାକ୍ଟର ଓ ପ୍ରାଣୀଧନଙ୍କୁ ନେଇ ଯାଉଥିବା ଗାଡ଼ି ତଥା ଧିମା ଗତିରେ ଚାଲୁଥିବା ଗାଡ଼ିଗୁଡ଼ିକ ଏହା ଉପରେ ଚାଲି ପାରିବ ନାହିଁ।
ଅଟଳ ସେତୁ ଉପରେ କାର, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନି ବସ୍ ଓ ଟୁ ଏକ୍ସେଲ ବସ୍ ଗୁଡ଼ିକ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାଇପାରିବେ। ସେତୁରେ ପ୍ରବେଶ କରିବା ତଥା ସେତୁରୁ ବାହାରିବା ବେଳେ ଗାଡ଼ିର ବେଗ ଘଣ୍ଟା ପ୍ରତି ୪୦ କିମି ରଖିବାକୁ କୁହାଯାଇଛି।
ଏହି ସେତୁରେ ଯାତ୍ରା କରିବା ପାଇଁ ଯେଉଁ ଟୋଲ୍ ଆଦାୟ କରିବାକୁ ସ୍ଥିର କରାଯାଇଛି, ତାକୁ ନେଇ ବିବାଦ ଦେଖାଯାଇଛି। ଗୋଟିଏ କାର୍ ଏହି ବ୍ରିଜ୍ରେ ଥରେ ଅତିକ୍ରମ କଲେ ଟୋଲ ବାବଦକୁ ୨୫୦ ଟଙ୍କା ଦେବ। ଯଦି ଉକ୍ତ କାର ସେହି ବ୍ରିଜ୍ରେ ପୁଣି ଫେରିବ ବା ରିଟର୍ଣ୍ଣ ଜର୍ଣ୍ଣି କରିବ, ତା’ହେଲେ ୩୭୫ ଟଙ୍କା ଦେବ। ଏହାକୁ ବିରୋଧୀ ଦଳ ଗୁଡ଼ିକ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନିକ ଅଧିକାରୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ଏହି ସେତୁ ଦେଇ ଯା’ଆସ କଲେ ତେଲ ଖର୍ଚ୍ଚ ବଞ୍ଚିବ। ଗୋଟିଏ ଥର ଏ ସେତୁ ଦେଇ ଗଲେ ୫୦୦ ଟଙ୍କା ବଞ୍ଚିବ।