ଲିଙ୍ଗରାଜ ମନ୍ଦିରରେ ନୂଆବର୍ଷରୁ ନୂଆ ନିୟମ…

1lingaraj-temple-e1629214153380

ଭୁବନେଶ୍ବର: ନୂଆବର୍ଷ ଆରମ୍ଭରୁ ଓମ୍‌ଫେଡ ଘିଅରେ ଶ୍ରୀଲିଙ୍ଗରାଜଙ୍କ କୋଠ ଭୋଗ ରନ୍ଧା ହେବ। ୧୫ଦିନ ମଧ୍ୟରେ ସେବାୟତଙ୍କ ପରିଚୟପତ୍ର ପାଇଁ ମନ୍ଦିର ପ୍ରଶାସନକୁ ତାଲିକା ପ୍ରଦାନ କରାଯିବ। ଏଥିସହ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟ୍‌ଖା ସେବନକାରୀଙ୍କୁ ପ୍ରବେଶ ନିଷେଧ ସହିତ ପଲିଥିନ୍ ଓ ପ୍ଲାଷ୍ଟିକକୁ ବାରଣ କରାଯାଇଛି। ନୂଆବର୍ଷରୁ ଏହି ନୂଆ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ଏହି ନିୟମକୁ ଟ୍ରଷ୍ଟ ବୋର୍ଡ ବୈଠକରେ ଅନୁମତି ପରେ ମନ୍ଦିର ସେବାୟତ ମୁଖ୍ୟଙ୍କୁ ଚିଠି କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟକ୍ଷ ରୁଦ୍ରନାରାୟଣ ମହାନ୍ତି ଏହି ଚିଠି ସେବାୟତଙ୍କୁ ପ୍ରେରଣ କରିଛନ୍ତି। ହେଲେ କେବଳ କୋଠ ଭୋଗ କାହିଁକି ସବୁ ଭୋଗରେ ଶୁଦ୍ଧ ଭଲଘିଅ ତଥା ଓମ୍‌ଫେଡ ଘିଅ ବ୍ୟବହାର କରିବା ଲାଗି ନିୟମ କରିବାକୁ ସେବାୟତମାନେ ଦାବି କରିଛନ୍ତି। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି ଯଦି କୋଠ ଭୋଗ ରୋଷେଇ ପାଇଁ ଶୁଦ୍ଧ ଘିଅ ବ୍ୟବହାର ପାଇଁ ନିୟମ ହୋଇଛି ତେବେ ଦୀପ ଜାଳିବା ପାଇଁ ପୁରୀ ଶ୍ରୀମନ୍ଦିର ପରି ବିଶୁଦ୍ଧ ଘିଅ କିମ୍ବା ଓମ୍‌ଫେଡ ଘିଅ ଜାଳିବା ପାଇଁ କାହିଁ ନିୟମ କରାଯାଉନାହିଁ। ଏଥିପାଇଁ ପ୍ରଶାସନ କାହିଁ ପଦକ୍ଷେପ ନେଉନାହିଁ। ସେବାୟତ ଗୋପାଳ ମକଦ୍ଦମ କହିଛନ୍ତି ମନ୍ଦିର ପ୍ରଶାସନ କେବଳ କୋଠ ଭୋଗ ପାଇଁ ଏହି ନିୟମ ଲାଗୁ କରିଛନ୍ତି। ମନ୍ଦିରକୁ ଶହ ଶହ ଭକ୍ତ ପ୍ରସାଦ ପାଇବାକୁ ଆସୁଛନ୍ତି। ଉକ୍ତ ଅବଢ଼ା ଶୁଦ୍ଧ ଭଲଘିଅ ତଥା ଓମ୍‌ଫେଡ ଘିଅରେ ପ୍ରସ୍ତୁତ କରିବାକୁ ନିୟମ ହେବା ଉଚିତ।

ଅନ୍ୟପଟେ ଧର୍ମୀୟ ଭାବନାକୁ ଗୁରୁତ୍ବ ଦେଇ ମନ୍ଦିର ମଧ୍ୟକୁ ପାନ କିମ୍ବା ଗୁଟ୍‌ଖା ଖାଇ ପ୍ରବେଶ କରିବା ଅନୁଚିତ। ସେହିପରି ମାଦକ ଦ୍ରବ୍ୟ ଖାଇ ଅନେକ ମନ୍ଦିରକୁ ଯାଉଛନ୍ତି। କେଉଁଠି ପାନ ଛେପ ପଡ଼ୁଛି ତ ପୁଣି କେଉଁଠି ଭକ୍ତ ବା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ହେଉଛି। ନୂଆ ନିୟମ ଲାଗୁ ପରେ ଏସବୁରେ ଅଙ୍କୁଶ ଲାଗିବ। ବହୁ ସମୟରେ ମନ୍ଦିର ଭିତରେ ପ୍ଲାଷ୍ଟିକ/ ଜରି ଗ୍ଲାସ୍, ପଲିଥିନ୍ ଓ ପ୍ୟାକେଟ୍ କ୍ଷୀର ବହୁଳ ବ୍ୟବ‌ହାର କରାଯାଉଥିବା ଦେଖିବାକୁ ମିଳୁଛି। ନୂଆ ବର୍ଷରୁ ଏସବୁ ନିୟମ କଡ଼ାକଡ଼ି ପାଳନ କରାଯିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱତନ୍ତ୍ର ଗୁରୁତ୍ବ ଦିଆଯାଇଛି। ଯାହାକୁ ନେଇ ଶ୍ରଦ୍ଧାଳୁ ଖୁସିବ୍ୟକ୍ତ କରିଛନ୍ତି। ଶୁଦ୍ଧ ଘିଅ ବ୍ୟବହାର ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି କୁହନ୍ତି ପ୍ରଥମେ କୋଠଭୋଗ ରୋଷେଇ ବ୍ୟବହାରରେ ଓମ୍‌ଫେଡ ଘିଅ ବ୍ୟବହାର କରାଯିବ। ଧୀରେ ଧୀରେ ଶୁଦ୍ଧ ଘିଅରେ ଦୀପ ଜାଳିବା ପାଇଁ ଟ୍ରଷ୍ଟ ବୋର୍ଡ ଏହି ନିଷ୍ପତ୍ତି ନେବ।

ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ସେବାୟତଙ୍କ ସହ ଅଣସେବାୟତ ଉପସ୍ଥିତ ରହୁଥିବା ବେଳେ ଏଣିକି ସେବାୟତଙ୍କୁ ଚିହ୍ନଟ କରିବା ସହଜ ହେବ। ଏନେଇ ମନ୍ଦିର ପରିଚାଳନା କମିଟି ତଥା ଟ୍ରଷ୍ଟ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ବ୍ରାହ୍ମଣ ନିଯୋଗ, ବଡୁ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ସମର୍ଥା ନିଯୋଗ ମୁଖ୍ୟଙ୍କୁ ଚିଠି କରାଯାଇଛି। ମହାପ୍ରଭୁଙ୍କ ସମସ୍ତ ସେବାୟତଙ୍କୁ ପରିଚୟପତ୍ର ମିଳିବ। ଏଥିଲାଗି ନିଯୋଗର ପ୍ରମୁଖଙ୍କୁ ତାଲିକା ମଗାଯାଇଛି। ପାଳିଆ ସେବାୟତ ଓ ପର୍ଯ୍ୟାୟ କ୍ରମେ ଅନ୍ୟ ସବୁ ସେବାୟତଙ୍କୁ ପରିଚୟ ପତ୍ର ମିଳିବ। ଶ୍ରୀଲିଙ୍ଗରାଜ ମନ୍ଦିରରେ ଅନେକ ସେବାୟତ ଠାକୁରଙ୍କ ସେବା କରୁଛନ୍ତି। କେତେକ ବଡ଼ ପର୍ବ ପର୍ବାଣିରେ ସମସ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇବା ଏବଂ ବିଶେଷ ପୂଜା ନୀତି ବେଳେ ନୀତି ଶୃଙ୍ଖଳିତ ଓ ସୁପରିଚାଳନା ପାଇଁ ଏପରି ପରିଚୟପତ୍ର ବ୍ୟବସ୍ଥା କରାଯିବ।

nis-ad
Leave A Reply

Your email address will not be published.