ଲକ୍ଷ୍ମୀ ମାଝୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ବିଜେପି…

image-45

ଭୁବନେଶ୍ୱର: ଓଡ଼ିଶାରେ ମହିଳା ଅସୁରକ୍ଷିତ । ଓଡ଼ିଶାରେ ମା’ମାନେ ଯଦି ସୁରକ୍ଷିତ ନାହାନ୍ତି, ତାହାଲେ ସରକାରଙ୍କ ମାଙ୍କୁ ‘ସମ୍ମାନ’ ସ୍ଲୋଗାନ ଏକ ଧୂଆଁବାଣ । ଭାରତୀୟ ଜନତା ପାର୍ଟି ସର୍ବଦା ମହିଳାଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ ମଧ୍ୟ ରାଜ୍ୟ ସରକାର ନୀରବ କାହିଁକି? ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ବିଜେଡିର କୌଣସି ତତ୍ପରତା ନାହିଁ । ଏପରି କହି ବିଜେଡି ଉପରେ ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ।

ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ଯେ, ଓଡ଼ିଶାରେ ଲୋକମାନେ ଜାଣିସାରିଲେଣି ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣ କଲେ ବି ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ଏଥିଲାଗି ଓଡିଶାରେ ବାରମ୍ବାର ମହିଳାମାନେ ହତ୍ୟା ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଏହାର ଉଦାହରଣ ଦେଇ ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ଯେ, ଗତ ଡିସେମ୍ବର ୨୧ ତାରିଖ ରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାଶୀପୁର ଅଞ୍ଚଳର ମା’ ଗୃହ ପରିଚାଳିକା ଭାବେ କାର୍ଯ୍ୟ କରୁଥିବା ୨୮ବର୍ଷିଆ ଦିବ୍ୟାଙ୍ଗ ଝିଅ ଲକ୍ଷ୍ମୀ ମାଝୀଙ୍କୁ ଦୁର୍ବୃତମାନେ ଦୁଷ୍କର୍ମ କରି ପୋଡି ବିଭତ୍ସ ଭାବେ ହତ୍ୟା କରିଛନ୍ତି । ଏନେଇ ବିଜେପି ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ରଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁସଦ୍ଧାନକାରୀ ଦଳ ପ୍ରାଥମିକ ତଦନ୍ତ କରି ସ୍ଥାନୀୟ ଏସ୍‌ଡିପିଓଙ୍କୁ ପଚାରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିନଥିଲା ।

ମୃତ ଦିବ୍ୟାଙ୍ଗ ଲକ୍ଷ୍ମୀଙ୍କ ହତ୍ୟାକୁ ୯ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇନାହିଁ କି ମୃତକଙ୍କ ବାପା ଏତଲାରେ ଦୋଷାରୋପ କରିଥିବା ଏନଜିଓ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇ ନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ପୋଲିସ ହତ୍ୟା ଘଟଣାକୁ ଏବଂ ହତ୍ୟାକାରୀଙ୍କୁ ଘଣ୍ଟ ଘୋଡାଉଛି ।

ଡା. ବିଶ୍ୱାଳ କହିଛନ୍ତି ଯେ, ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧୀକ ମାମଲାରେ ଓଡ଼ିଶାରେ ସବୁଠାରୁ କମ୍ ଦଣ୍ଡବିଧାନ ହାର ଯାହାକି ୮.୩ ପ୍ରତିଶତ । ଏନସିଆରବି ରିପୋର୍ଟ ଅନୁଯାୟୀ ୯୮.୬ ପ୍ରତିଶତ କେସ୍‌ର ବର୍ତ୍ତମାନ ସୁଦ୍ଧା ଶୁଣାଣି ହୋଇନାହିଁ । ୨୪ ବର୍ଷର ମହିଳା ବିରୋଧୀ ସରକାର ବିରୋଧରେ ଓଡ଼ିଶାବାସୀଙ୍କ ଆକ୍ରୋଶ ଦେଖାଦେଇଛି । ଲକ୍ଷ୍ମୀ ମାଝୀକୁ ନ୍ୟାୟ ଦେବା ଏବଂ ରାଜ୍ୟରେ ବଢ଼ୁଥିବା ମହିଳାଙ୍କ ପ୍ରତି ହିଂସା ବିରୋଧରେ ବିଜେପି ମହିଳାମୋର୍ଚ୍ଚା ଆଗାମୀ ଦିନରେ ଆନ୍ଦୋଳନ କରିବ ।

ସେହିପରି, ନବରଙ୍ଗପୁର ଜିଲ୍ଲାର ଆବାସିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦ୍ୱାରା ଗଣଧର୍ଷଣ, କାଶୀପୁର ବ୍ଲକରେ ଗର୍ଭବତୀ ମହିଳାଙ୍କୁ କୌଣସି ଗୁରୁତର ଅପରାଧ ନଥାଇ ମଧ୍ୟ ଏସପି ଗିରଫ କରିବା । ପର ମୁହୂର୍ତ୍ତରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ମୃତ୍ୟୁବରଣ ଘଟିବା ଓ କାଶୀପୁର ବ୍ଲକରେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ପିଅନ ଧର୍ଷଣ କରିବା ଏବଂ ପୋଲିସ କେବଳ ପିଅନକୁ ଗିରଫ କରିଥିଲା । ଏଯାଏଁ ସ୍କୁଲ କର୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ରାଜ୍ୟ ସରକାର ହତ୍ୟାର ରହସ୍ୟ ଲୁଚାଇବା ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦେଉଛନ୍ତି । ଯଦି ପୂର୍ବ ଇତିହାସକୁ ଦେଖିବା ତାହାଲେ କ୍ରାଇମବ୍ରାଞ୍ଚ ପୂର୍ବରୁ ପ୍ରମାଣ ନଷ୍ଟ କରି କେସ୍‌ରେ ବିଭ୍ରାନ୍ତ ସୃଷ୍ଟି କରିଛି । ମମିତା ମେହେର, ପରୀ ଓ ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ କେସ୍‌କୁ ଦିଗହରା କରିଥିଲା । ତେଣୁ ଲକ୍ଷ୍ମୀ ମାଝୀଙ୍କ ହତ୍ୟାର ତଦନ୍ତ ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଡା ବିଶ୍ୱାଳ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.