‘ପଦ୍ମଶ୍ରୀ’ ଫେରାଇଲେ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଗମ୍ଭୀର ଅଭିଯୋଗରେ ଅଭିଯୁକ୍ତ କୁସ୍ତି ମହାସଂଘର ବିଦାୟୀ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ସଭାପତି ନିର୍ବାଚିତ ହେବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରି ଗତକାଲି ଅବସର ଘୋଷଣା କରିଥିଲେ ରିଓ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲିକ। ଆଉ ଆଜି ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି ଦେଶର ଅନ୍ୟତମ ଜଣାଶୁଣା ରେସଲର ବଜରଙ୍ଗ ପୁନିଆ।

ସେ ତାଙ୍କ ‘X’ରେ ଏକ ପୋଷ୍ଟ କରି ଏହି କଥା ଘୋଷଣା କରିଛନ୍ତି। ଏଥିରେ ସେ ଲେଖିଛନ୍ତି- ମୁଁ ମୋ ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀ ଜୀଙ୍କୁ ଫେରସ୍ତ କରି ଦେଉଛି।

ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଏକ ପତ୍ର ଲେଖିଛନ୍ତି। ସେଥିରେ ସେ ଲେଖିଛନ୍ତି- ଯେଉଁ ଝିଅମାନଙ୍କୁ ବେଟି ବଚାଓ ବେଟି ପଢ଼ାଓର ବ୍ରାଣ୍ଡ ଆମ୍ବାସାଡର ବନିବାର ଥିଲା, ସେହିମାନଙ୍କର ଏମିତି ଅବସ୍ଥା କରିଦିଆଗଲା ଯେ ସେମାନଙ୍କୁ ନିଜ ଖେଳ ଛାଡ଼ିବାକୁ ପଡ଼ିଲା। ଆମେ ‘ସମ୍ମାନିତ’ କୁସ୍ତିଯୋଦ୍ଧା କିଛି କରିପାରିବୁ ନାହିଁ। ମହିଳା କୁସ୍ତିଯୋଦ୍ଧାଙ୍କୁ ଅପମାନିତ କରାଯିବା ପରେ ‘ସମ୍ମାନିତ’ ହୋଇ ନିଜ ଜୀବନ ବଞ୍ଚି ପାରିବି ନାହିଁ। ଏମିତି ଜୀବନ କଣ୍ଟା ଭଳି ଲାଗୁଛି। ସେଥିପାଇଁ ଏହି ସମ୍ମାନ ମୁଁ ଆପଣଙ୍କୁ ଫେରସ୍ତ କରୁଛି।

ବିଜେପି ସାଂସଦ ତଥା କୁସ୍ତି ମହାସଂଘର ବିଦାୟୀ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ରହିଛି। ତେବେ କୁସ୍ତି ମହାସଂଘର ନିର୍ବାଚନରେ ତାଙ୍କର ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ସଭାପତି ଭାବେ ବିଜୟୀ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ବ୍ରିଜଭୂଷଣ ଶରଣ ସିଂହଙ୍କୁ ବିରୋଧ କରି ଯେଉଁ ରେସଲରମାନେ ଧାରଣାରେ ବସିଥିଲେ ସେମାନେ ମର୍ମାହତ ହୋଇଛନ୍ତି।

nis-ad
Leave A Reply

Your email address will not be published.