ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ : ପାଣ୍ଡିଆନ

ଭୁବନେଶ୍ୱର: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ । କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ । ଆଜି କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା ସମୟରେ ବିକାଶ ବିରୋଧୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଏମିତି କିଛି ତେରଛା ବାଣ ମାରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବଳଦେବଜୀଉ ମନ୍ଦିର ନିକଟରେ ସାଧାରଣ ସଭାକୁ ଉଦବୋଧନ ଦେଇ ସେ ଏଭଳି କହିଛନ୍ତି । ରୂପାନ୍ତରଣର ଅର୍ଥ ବୁଝାଇବାକୁ ଯାଇ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଉଁଭଳି ଆଗକୁ ବଢ଼ିଛି ତା’ର ସବୁ ଉଦାହରଣ ଦେଇଥିଲେ ପାଣ୍ଡିଆନ । ବିପର‌୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଆନ୍ତର୍ଜାତୀକ ସମ୍ମାନ ମିଳିବା ରୂପାନ୍ତରଣର ଉଦାହରଣ ବୋଲି ସେ କହିଥିଲେ । ତେବେ ଏଭଳି ରୂପାନ୍ତକରଣ କିଛି ଲୋକଙ୍କୁ ଦେଖାଯାଉନାହିଁ । ସେମାନେ ଆଖି ଥାଇ ଅନ୍ଧ । ଘରେ ଯେମିତି କିଛି ଛୁଆ ଶୋଇବାର ଅଭିନୟ କରିଥାଆନ୍ତି ଆଉ ଯେତେ ଉଠାଇଲେ ଉଠନ୍ତି ନାହିଁ , ଏମାନେ ମଧ୍ୟ ସେମିତି ଉଠି ନଥାନ୍ତି । ସେମାନଙ୍କୁ ସେମିତି ଶୋଇବାକୁ ଦିଆଯାଉ ।

ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅହରହ ପ୍ରୟାସ କରୁଛନ୍ତି ସେଥିପାଇଁ ସହଯୋଗ କରିବା ଦରକାର ବୋଲି ପାଣ୍ଡିଆନ କହିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ବାବୁଙ୍କ କର୍ମଭୂମି ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାକୁ ବହୁତ ଭଲ ପାଆନ୍ତି । ସେଥିପାଇଁ କେନ୍ଦ୍ରାପଡ଼ର କେମିତି ଉନ୍ନତି ହେବ ସେନେଇ ବରାବର ଚେଷ୍ଟିତ । କେନ୍ଦ୍ରାପଡ଼ାରେ ବିଶ୍ୱର ସବୁଠୁ ବଡ଼ ପୁଞ୍ଜିନିବେଶ ହେବାକୁ ଯାଉଛି । ଆର୍ସେଲର ମିତ୍ତଲ ଓ ନିପ୍ପନ ଭଳି ସଂସ୍ଥା ସେମାନଙ୍କ କାରଖାନା ପ୍ରତିଷ୍ଠା କରିବା ପରେ ଜିଲ୍ଲାର ରୂପରେଖ ବଦଳିଯିବ । ଯୁବ ପିଢ଼ି ନିଯୁକ୍ତି ପାଇବେ । ଜିଲ୍ଲାରୁ ଆସୁଥିବା ସବୁ ଦାବିକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି । ଜିଲ୍ଲାର ସବୁ ସ୍କୁଲ ଓ କଲେଜ ଆଗାମୀ ଦୁଇମାସ ସୁଦ୍ଧା ରୂପାନ୍ତରଣ ସରିବ । ପ୍ରାକୃତିକ ବିପର‌୍ୟ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର କିଭଳି ଦକ୍ଷତା ହାସଲ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନୀତି ସଂପର୍କରେ ପାଣ୍ଡିଆନ ଲୋକଙ୍କୁ ସୂଚନା ଦେଇଥିଲେ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହି ମୂଳମନ୍ତ୍ରକୁ ନେଇ ରାଜ୍ୟ ସରକାର ବିପର‌୍ୟ୍ୟୟ ମୁକାବିଲା କରୁଥିବା ସୂଚନା ଦେଇଥିଲେ । ୨୦୦୭ ମସିହାରୁ ଖାଦ୍ୟ ସୁରକ୍ଷା ଓ ଦାରିଦ୍ର‌୍ୟ ଦୂରୀକରଣ ଦିଗରେ ରାଜ୍ୟ ସରକାର କିଭଳି ଅହରହ ଉଦ୍ୟମ କରୁଛନ୍ତି ସେ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ । କୃଷି ଉତ୍ପାଦନ ଓ ଚାଷୀଙ୍କୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ପ୍ରତ୍ୟେକ ସମୟରେ ନୂଆନୂଆ ଯୋଜନା ହାତକୁ ନେଉଥିବା ମଧ୍ୟ କହିଥିଲେ । ଏବେ ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ ବୋଲି କହିବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି ବୋଲି କହିଥିଲେ । କ୍ରୀଡ଼ାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ସମଗ୍ର ବିଶ୍ୱ ତା’ର ସାକ୍ଷୀ ବୋଲି ପାଣ୍ଡିଆନ ମତବ୍ୟକ୍ତ କରିଥିଲେ । ଗୋଟେ ସମୟରେ ଦେବାଳିଆ ସ୍ଥିତିରେ ଥିବା ରାଜ୍ୟ ସରକାର ଏବେ କିଭଳି ରାଜସ୍ୱ ବଳକା ରାଜ୍ୟ ଭାବେ ନିଜକୁ ସମଗ୍ର ଦେଶରେ ପରିଚିତ କରାଇ ପ୍ରଶଂସା ସାଉଣ୍ଟିଛନ୍ତି ତାହା ସମସ୍ତେ ଜାଣନ୍ତି । ବିଦେଶରୁ ପୁଞ୍ଜି ଆଣିବା, ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ଈଝକଣ ଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପଦକ୍ଷେପ, ସ୍କୁଲ ଓ କଲେଜ ରୂପାନ୍ତରଣ, ଐତିହ୍ୟ ସ୍ଥଳୀ ଓ ମନ୍ଦିରର ରୂପାନ୍ତରଣ ହେଉଛି ନୂଆ ଓଡ଼ିଶା ଗଠନ ଦିଗରେ ଗୋଟିଏ ଗୋଟିଏ ପଦକ୍ଷେପ ବୋଲି ପାଣ୍ଡିଆନ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି କେନ୍ଦ୍ରାପଡ଼ା ଗସ୍ତ ବେଳେ ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟର ସମୀକ୍ଷା କରିବା ସହ ଚାଷୀ, ମିଶନ ଶକ୍ତି ଗ୍ରୁପ୍ ସଦସ୍ୟା ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ୫ଟି ଅଧ୍ୟକ୍ଷ । ବିଭିନ୍ନ ସ୍ଥାନରେ ସାଧାରଣ ସଭାକୁ ସମ୍ବୋଧିତ କରି ରାଜ୍ୟ ବିକାଶର ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଛନ୍ତି ।

ରାଜନଗରର ଦକ୍ଷିଣଡିହା ଠାରୁ କେରଡ଼ାଗଡ଼ ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ପୋଲ ନିର୍ମାଣ କାମର ସମୀକ୍ଷା କରିଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୫୯ କୋଟି ୮୭ ଲକ୍ଷ ବ୍ୟୟରେ ନିର୍ମାଣାଧୀନ ଏହି କାମ ପାଇଁ ଗତବର୍ଷ ଏପ୍ରିଲ ମାସରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଂପୃକ୍ତ ଅଞ୍ଚଳ ଗସ୍ତ କରିଥିବା ବେଳେ ସ୍ଥାନୀୟ ଲୋକମାନେ ଦାବି କରିଥିଲେ । ଲୋକଙ୍କ ଦାବିର ୬୦ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ନିର୍ମାଣ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

କେରଡ଼ାଗଡ଼ ଠାରେ ଥିବା ଜଗନ୍ନାଥ ମନ୍ଦିରର ଉନ୍ନତି ୩ କୋଟି ୩ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ୫ଟି ଅଧ୍ୟକ୍ଷ ଘୋଷଣା କରିବା ସହ ମନ୍ଦିରର ପୂଜକ ଓ ଭକ୍ତଙ୍କ ସହିତ ଗତ ଏପ୍ରିଲ ମାସରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କେରଡ଼ାଗଡ଼ ମନ୍ଦିର ଗସ୍ତ ବେଳେ ସ୍ଥାନୀୟ ଲୋକମାନେ ଏହି ମନ୍ଦିରର ଉନ୍ନତି ନିମନ୍ତେ ତାଙ୍କୁ ଅନୁରୋଧ କରିଥିଲେ ।

କେରଡ଼ାଗଡ଼ ପରେ ୫ଟି ଅଧ୍ୟକ୍ଷ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଲୋକଙ୍କୁ ଉଦବୋଧନ ଦେଇଥିଲେ । ଗୋପାଳପୁର ଛକ, ମଦନପୁର ଛକ, ପଟ୍ଟାମୁଣ୍ଡାଇ ଆଇବି ଛକ, ଗୋଗୁଆ, ତିନିମୁହାଣୀ ଓ ଇଛାପୁର ଠାରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଶେଷରେ କେନ୍ଦ୍ରାପଡାର ବଳଦେବଜୀଉଙ୍କୁ ଦର୍ଶନ କରିବା ସହ ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ଏହି ଗସ୍ତ ବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଏହି ଗସ୍ତ ସମୟରେ ସାତଭାୟା ପାଇଁ ୨୨ କୋଟି ୫୦ ଲକ୍ଷ, ବାୟାବାବା ମଠ ପାଇଁ ୪ କୋଟି ୯୫ ଲକ୍ଷ, କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର ପାଇଁ ୩ କୋଟି ୩ ଲକ୍ଷ, ପଞ୍ଚୁବରାହୀ ମନ୍ଦିର ପାଇଁ ୪ କୋଟି ୯୫ ଲକ୍ଷ, ପଟ୍ଟାମୁଣ୍ଡାଇ ହାୟର ସେକେଣ୍ଡାରୀ ସ୍କୁଲ ଓ କଲେଜ ପାଇଁ ୨ କୋଟି ୨୫ ଲକ୍ଷ, ରାଜନଗରରେ ଥିବା ଶ୍ରୀଜଗନ୍ନାଥ ହାୟର ସେକେଣ୍ଡାରୀ ସ୍କୁଲ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ମଂଜୁର ହୋଇଥିବା ସୂଚନା ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ । କେନ୍ଦ୍ରାପଡ଼ା ଜିଲ୍ଲାରେ ଫେବ୍ରୁଆରୀ ମାସ ସୁଦ୍ଧା ଲକ୍ଷ୍ମୀ ବସ୍ ଗଡ଼ିବ ବୋଲି ସେ ସୂଚନା ଦେଇଥିଲେ । ପାଣ୍ଡିଆନଙ୍କ ଏହି ଗସ୍ତ ବେଳେ ଜିଲ୍ଲାର ବିଭିନ୍ନ ଜନ ପ୍ରତିନିଧି, ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.