ରାଜଧାନୀରୁ ୧୦ ଚୋରୀ ସାଇକେଲ ଜବତ, ୨ ଗିରଫ…

image-4-1

ଭୁବନେଶ୍ବର: ରାଜଧାନୀର ବଡଗଡରେ ଅଞ୍ଚଳରେ ଅଭିନବ ଉପାୟରେ ସାଇକେଲ ଚୋରୀ । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରାକେଶ ବେହେରା ଓରଫ ପୋଡ ଓ ଶିବ ବେହେରା । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବଡଗଡ ଥାନା ପୋଲିସ ।

ସୂଚନା ମୁତାବକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅନ୍ତର୍ଯ୍ୟାମୀ ମିଶ୍ର ପରିବାର ସହ ପାଣ୍ଡବନଗର ଅନ୍ତର୍ଗତ ପିପି-୧୯ ରେ ରୁହନ୍ତି । ଗତ ୧୯ ତାରିଖ ମଧ୍ୟାହ୍ନ ସମୟରେ ସେ ନିଜ ସାଇକେଲକୁ କ୍ୟାମ୍ପସ ମଧ୍ୟରେ ତାଲାପକାଇ ରଖିଥିଲେ । ଏହି ସମୟରେ ରାକେଶ ବେହେରା ଓରଫ ପୋଡ଼ କୌଶଳ କ୍ରମେ ଅଭିଯୋଗକାରୀଙ୍କ ସାଇକେଲକୁ ସେଠାରୁ ଚୋରୀକରି ନେଇ ଶିବ ବେହେରାଙ୍କୁ ୩୦୦୦ ଟଙ୍କାରେ ବିକ୍ରି କରିଦେଇଥିଲେ । ଏନେଇ ଅନ୍ତର୍ଯ୍ୟାମୀ ମିଶ୍ର ବଡଗଡ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ବଡଗଡ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ । ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଙ୍ଗ ଟିମ୍ ଥାନା ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ବେଳେ, ବିଶ୍ଵସ୍ତ ସୂତ୍ରରୁ ଖବରପାଇ ଶିବନଗର ବସ୍ତିରେ ରହୁଥିବା ଅଭିଯୁକ୍ତ ରାକେଶ ବେହେରାଙ୍କ ଘର ଉପରେ ଚଢାଉ କରିଥିଲା ।

ଚଢାଉ ସମୟରେ ପାଟ୍ରୋଲିଙ୍ଗ ଟିମ୍ ଅଭିଯୁକ୍ତ ରାକେଶଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ, ପଚରାଉଚରା ସମୟରେ ସେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ସାଇକେଲ ଗୁଡିକୁ ଚୋରୀକରୁଥିବା ଏବଂ ସେଥିମଧ୍ୟରୁ ଗୋଟିଏ ସାଇକେଲକୁ ଅଭିଯୁକ୍ତ ଶିବ ବେହେରାଙ୍କୁ ବିକ୍ରି କରିଥିବା କଥା ସ୍ଵୀକାର କରିଥିଲେ ।

ଅଭିଯୁକ୍ତ ରାକେଶଙ୍କ ନିକଟରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ପୁନର୍ବାର ଚିଲି ପୋଖରୀ ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତ ଶିବ ବେହେରାଙ୍କୁ କାବୁ କରିଥଲେ । ପଚରାଉଚରା ବେଳେ ଅଭିଯୁକ୍ତ ଶିବ ନିଜ ଅପରାଧ ସ୍ଵୀକାର କରିଥିଲେ । ଛାନଭିନ ସମୟରେ ପୋଲିସ ଉଭୟ ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୦ ଗୋଟି ଚୋରା ସାଇକେଲ ଜବତ କରିଛି ।

ତଦନ୍ତ ବେଳେ ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ରାକେଶ ବେହେରା ଓରଫ ପୋଡ଼ଙ୍କ ନାମରେ ପୂର୍ବରୁ ବଡଗଡ ଓ ଶହୀଦନଗର ଥାନାରେ ୨ ଟି ମାମଲା ରହିଥିବା ଜଣାପଡିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

nis-ad
Leave A Reply

Your email address will not be published.