ତଥ୍ୟ ପ୍ରମାଣ ଆଧାରରେ ଓଡ଼ିଶାର ଲୁକ୍କାୟିତ ତଥ୍ୟକୁ ଲୋକଲୋଚନକୁ ଆଣିବ ଓଡ଼ିଶା ଗବେଷଣା କେନ୍ଦ୍ର

F_2aojtawAAHrPY-1024x683

ଭୁବନେଶ୍ଵର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଓ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ ଉଦଘାଟନ ହୋଇଛି ‘ଓଡ଼ିଶା ଗବେଷଣା କେନ୍ଦ୍ର’ । ଭୁବନେଶ୍ୱରର ସିଏସ୍ଆଇଆର ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି କ୍ୟାମ୍ପସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ।

ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସଠିକ୍ ଗବେଷଣା ଓ ତଥ୍ୟ ପ୍ରମାଣ ଅଭାବରୁ ଓଡ଼ିଶାର ସମୃଦ୍ଧ ଓ ଗୌରବମୟ ଇତିହାସ କେବଳ ଲୋକକଥାରେ ସୀମିତ ରହିଯାଇଛି । ବର୍ତ୍ତମାନ ସମୟରେ ଗବେଷଣା ଆଧାରରେ ଓଡ଼ିଆ ସମାଜର ମୂଳ ସତ୍ୟତାକୁ ତଥ୍ୟ ଆଧାରରେ ପ୍ରମାଣିତ କରି ପ୍ରକୃତ ସତ୍ୟତାର ଉନ୍ମୋଚନ କରିବା ପାଇଁ ହେବ । ଏ ଦିଗରେ ଆଜି ଉଦଘାଟିତ ‘ଓଡ଼ିଶା ଗବେଷଣା କେନ୍ଦ୍ର’ (ଓଆରସି) ତଥ୍ୟ ପ୍ରମାଣ ଆଧାରରେ ଓଡ଼ିଶାର ଲୁକ୍କାୟିତ ଲୋକକଥାକୁ ଲୋକଲୋଚନକୁ ଆଣିବ ତଥା ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଅନୁସନ୍ଧାନ କରିବ ।

ଏହି ଅବସରରେ ଆୟୋଜିତ ଓଡ଼ିଶାର ଜ୍ଞାନ ଏବଂ ପରମ୍ପରା ଉପରେ ଏକ ଦିବସୀୟ କର୍ମଶାଳାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ଭାବନାରେ ଆଇଆଇଟି ରୁ ଆଇଆଇଏମ୍ ପର୍ଯ୍ୟନ୍ତ ବହୁମୁଖୀ ଶିକ୍ଷାଦାନ ଉପରେ ପ୍ରାଥମିକତା ଦିଆଯାଇଛି । ଅନେକ କଳା ଓ ସଂସ୍କୃତିର ସମାହିତ ଓଡ଼ିଶା କଳିଙ୍ଗ ଯୁଦ୍ଧ ପୂର୍ବରୁ ସମୃଦ୍ଧ ଥିଲା । ଓଡ଼ିଶା ବନ୍ଦର ଆଧାରିତ ଅର୍ଥନୀତି ଥିଲା ।  କୋଣାର୍କର ମନ୍ଦିର କଳାରେ ଜିରାଫ୍ ଚିତ୍ର ସହ ସାମୁଦ୍ରିକ ଗତିବିଧିର ଅନେକ ଦୃଶ୍ୟ ରହିଛି, ଯାହା ଉଭୟ ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାର ବିଭିନ୍ନ ଅଞ୍ଚଳ ସହିତ କଳିଙ୍ଗର ସମୃଦ୍ଧ ସାମୁଦ୍ରିକ ସମ୍ପର୍କର ଗଭୀର ପ୍ରମାଣ ଦେଇଥାଏ । ସନ୍ଥକବି ବଳରାମ ଦାସଙ୍କ ଦ୍ୱାରା ଲିଖିତ ଲକ୍ଷ୍ମୀ ପୂରାଣ କେବଳ ଧାର୍ମିକ ନୁହେଁ ବରଂ ମହିଳା ସଶକ୍ତିକରଣ ଓ ସ୍ୱଚ୍ଛତା ବାର୍ତ୍ତା ଦେଉଛି । ମହିମା ଧର୍ମର ମାହାତ୍ମ୍ୟ ଓ ସନ୍ଥକବି ଭୀମ ଭୋଇଙ୍କ ବାଣୀ ବିଶ୍ୱକୁ ପ୍ରଭାବିତ କରିଛି । ଓଡ଼ିଆ ସମାଜର ଜନଜୀବନ, ଚାଲିଚଳଣୀ, ଖାଦ୍ୟପେୟ ଉପରେ ଗବେଷଣା କରି ଓଡ଼ିଆ ସମାଜର ହୃତଗୌରବକୁ ଆଧୁନିକ ସମାଜରେ ପୁନପ୍ରତିଷ୍ଠା କରିବ  ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

nis-ad
Leave A Reply

Your email address will not be published.