ବଣଭୋଜି ସ୍ଥଳରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ମନା…

dagddd-750x430

ପୁରୀ: ବଣଭୋଜି ସ୍ଥଳକୁ ଏଣିକି କେହି ଏକକ ବ୍ୟବହାର୍ଯ୍ୟ(ସିଙ୍ଗଲ୍‌ ୟୁଜ୍‌) ପ୍ଲାଷ୍ଟିକ୍‌ ନେଇପାରିବେ ନାହିଁ। ପରିବେଶକୁ କ୍ଷତି ପହଞ୍ଚାଉଥିବା ପଲିଥିନ୍‌ କିମ୍ବା ଅନ୍ୟ କୌଣସି ପ୍ଲାଷ୍ଟିକ୍‌ ପକାଇ ପ୍ରଦୂଷିତ କରିବେ ନାହିଁ। ପୁରୀର ରାମଚଣ୍ଡୀ, ଚନ୍ଦ୍ରଭାଗା ଇକୋ ରିଟ୍ରିଟ୍‌, ଟଭାଗୋଲରା ଓ କୁତାମଚଣ୍ଡୀ ବଣଭୋଜି ସ୍ଥଳକୁ ପ୍ଲାଷ୍ଟିକ୍‌ମୁକ୍ତ ରଖିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛି। ଏହି ସ୍ଥାନରେ ପଲିଥିନ ବ୍ୟବହାର ବାରଣ କରାଯାଇଥିବା ବେଳେ କ’ଣ କରିବେ ଓ କ’ଣ ନକରିବେ ସେନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଓଡ଼ିଶାର ୧୦୦ଟି ବଣଭୋଜିସ୍ଥଳ ଏହି ତାଲିକାରେ ଥିବା ବେଳେ ପୁରୀର ୪ଟି ବଣଭୋଜିସ୍ଥଳରେ ଏହାକୁ କଡ଼ାକଡ଼ି କରାଯାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ୟୁଥ୍‌ ଫର୍‌ ୱାଟର୍‌’ ସହଯୋଗରେ ଏହି ବ୍ୟବସ୍ଥା ଉପରେ ନଜର ରଖାଯିବ ଏବଂ ସଚେତନତା ସୃଷ୍ଟି କରାଯିବ। ସ୍ବେଚ୍ଛାସେବୀଙ୍କ ସମେତ ଇକୋ କ୍ଲବ୍‌, ସ୍ବୟଂ ସହାୟକ ଗୋଷ୍ଠୀ, ଡିଇଏସ୍‌ ଓ ଗ୍ରାମପଞ୍ଚାୟତ ମାଧ୍ୟମରେ ବଣଭୋଜିସ୍ଥଳରେ ସଚେତନ କରାଯିବ। ପଲିଥିନ ବ୍ୟବହାରକୁ ବାରଣ କରାଯିବ। ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ଏହି ଋତୁରେ ବଣଭୋଜିସ୍ଥଳରେ ପ୍ଲାଷ୍ଟିକ୍‌ ଓ ଅନ୍ୟ ପ୍ରଦୂଷଣ ହାର ବଢ଼ିଥାଏ। ବିଶେଷକରି ପୁରୀର ଅଧିକାଂଶ ବଣଭୋଜିସ୍ଥଳ ସମୁଦ୍ର ସଂଲଗ୍ନ ହୋଇଥିବାରୁ ଏଗୁଡ଼ିକ ସମୁଦ୍ରକୁ ଭାସିଯାଇ ପ୍ରଦୂଷଣ କରିଥାଏ। ଏହାବ୍ୟତୀତ ବଣଭୋଜିସ୍ଥଳରେ ବହୁଦିନ ଧରି ପ୍ଲାଷ୍ଟିକ୍‌ ପଡ଼ି ରହେ। ତେଣୁ ବଣଭୋଜି ଅଞ୍ଚଳରେ ଯେପରି ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌୍‌ର ବିକ୍ରିବଟା ନହୁଏ ଓ କେହି ଏହାର ବ୍ୟବହାର ନକରନ୍ତି ସେନେଇ ଗୁରୁତ୍ବ ଦିଆଯିବ।
ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ସ୍ବଳ୍ପ ବର୍ଷାରେ ମଧ୍ୟ ବନ୍ୟା ସୃଷ୍ଟି କରିଥାଏ। ସମୁଦ୍ରକୁ ପ୍ଲାଷ୍ଟିକ ବର୍ଜ୍ୟ ନିର୍ଗତ ହେଉଥିବାରୁ ଏହାକୁ ଜେଲି ଫିସ ମନେକରି ମାଛମାନେ ଖାଇଦିଅନ୍ତି। ଏହାକୁ ମଣିଷ ଖାଇବା ଦ୍ବାରା ରୋଗାକ୍ରାନ୍ତ ହୁଅନ୍ତି। ଗାଈଗୋରୁଙ୍କଠାରୁ ଆରମ୍ଭ କରି ଅନ୍ୟ ଜୀବଜନ୍ତୁ ମଧ୍ୟ ଏହି ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ମୃତ୍ୟୁ ମୁଖରେ କରୁଛନ୍ତି। ତେଣୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପର୍ଯ୍ୟଟନ ତଥା ବଣଭୋଜି ଋତୁରେ ଏହାର ଶୁଭାରମ୍ଭ କରାଯାଉଛି। ସରକାରୀ ଆଇନ ମୁତାବକ, ୫୦ ମାଇକ୍ରନ୍‌ ପଲିଥିନ ବ୍ୟବହାର କରିବାର ନିୟମ ରହିଛି। ଏହାଠୁ କମ୍‌ ମାଇକ୍ରନର ପଲିଥିନ ବ୍ୟବହାର କଲେ ୩ରୁ ୭ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବାର ନିୟମ ରହିଛି। ମାତ୍ର ଏହି ନିୟମକୁ ଅନୁସରଣ କରାଯାଉନାହିଁ।
୨୦୧୮ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ପୁରୀକୁ ପଲିଥିନ ମୁକ୍ତ ସହର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରତି ପଞ୍ଚାୟତରେ ପ୍ଲାଷ୍ଟିକ୍‌ ପଦାର୍ଥ ବ୍ୟବହାର ନକରିବା ଲାଗି ସଭା ଓ ବୈଠକ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଯେଉଁ ପଞ୍ଚାୟତ ପ୍ଲାଷ୍ଟିକ୍‌ ବର୍ଜନ କରିବାରେ ଆଗରେ ରହିବ ସେହି ପଞ୍ଚାୟତକୁ ସ୍ବାଧୀନତା ଦିବସରେ ପୁରସ୍କୃତ କରିବାର ବ୍ୟବସ୍ଥା ରହିଥିଲା। ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ, ସ୍ବେଚ୍ଛାସେବୀଙ୍କୁ ନେଇ ପ୍ରତ୍ୟେକ ରବିବାର ‘ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌କୁ ନା’ ଶୀର୍ଷକ ଏକ ସଚେତନତା ଅଭିଯାନ କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ ହେଲାନାହିଁ। ତେଣୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଯେପରି ସୁଦୂରପ୍ରସାରୀ କରାଯାଏ ସେନେଇ ଗୁରୁତ୍ବାରୋପ କରିବାକୁ ପରିବେଶ କର୍ମୀମାନେ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.