ଅନିଶ୍ଚିତତା ମଧ୍ୟରେ ୪୧ ଶ୍ରମିକଙ୍କ ଭାଗ୍ୟ: ଲମ୍ବା ସମୟ ଚାଲିପାରେ ଅପରେସନ…

Capture-12-750x430

ଉତ୍ତରକାଶୀ: ଉତ୍ତରକାଶୀରେ ନିର୍ମାଣାଧୀନ ସିଲକ୍ୟାରା ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଦିନକୁ ଦିନ ଅଧିକ କଠିନ ହେବାରେ ଲାଗିଛି । ଆମେରିକା ନିର୍ମିତ ଅଗର ମେସିନ ସଂପୂର୍ଣ୍ଣ ଖରାପ ହୋଇଯିବା ପରେ ସ୍ଥିତି ସଂପୂର୍ଣ୍ଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏପରିକି ଆଉ କେତେ ଦିନ ଅପରେସନ ଚାଲିବ ତାହା କେହି କହିପାରୁନାହାନ୍ତି ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ହାଇଦ୍ରାବାଦରୁ ପ୍ଲାଜମା କଟର ଆସିବା ପରେ ହାତରେ ଖନନ କରାଯିବ । ସେହିପରି ଉପରୁ ଖନନ କରିବାକୁ ମଧ୍ୟ ବିଚାର କରାଯାଉଛି।
ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ (ଅବସରପ୍ରାପ୍ତ) କହିଛନ୍ତି, ଉଦ୍ଧାର କାର୍ଯ୍ୟରେ ଲିପ୍ତ ଲୋକମାନଙ୍କ ଉପରେ କୌଣସି ପ୍ରକାରର ଚାପ ପ୍ରୟୋଗ କରାଯାଇପାରିବ ନାହିଁ । କାରଣ ସ୍ଥିତି ବିପଜ୍ଜନକ ରହିଛି ।
ତେବେ ସେ କହିଛନ୍ତି ଯେ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି, ସମସ୍ତ ମୌଳିକ ଜିନିଷ ପଠାଯାଉଛି। ଶ୍ରମିକଙ୍କ ପରିବାର ସଦସ୍ୟ ମଧ୍ୟ ଆସି କର୍ମଚାରୀଙ୍କ ସହ କଥା ବାର୍ତ୍ତା କରୁଛନ୍ତି। ଉଦ୍ଧାର କାର୍ଯ୍ୟ ବିଷୟରେ କହିବାକୁ ଗଲେ, ଆମେ କିଛି ସମସ୍ୟାର ସମ୍ମୁଖୀନ ହେଉଛୁ । ଅଗର ମେସିନ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହାର କିଛି ଅଂଶ ବାହାରକୁ ଆସିନାହିଁ । ଭାରତୀୟ ବାୟୁସେନା ଦ୍ୱାରା ଏୟାରଲିଫ୍ଟ କରାଯାଉଥିବା ଅଗର ମେସିନର ଅଂଶକୁ ବାହାର କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତିର ଆବଶ୍ୟକତା ରହିଛି ଏବଂ ଏହା ଖୁବ୍ ଶୀଘ୍ର ସୁଡ଼ଙ୍ଗ ସ୍ଥଳରେ ପହଞ୍ଚିବ।

nis-ad
Leave A Reply

Your email address will not be published.