ଖାନ୍‌ ୟୁନିସ୍‌ର ପୂର୍ବରେ ଥିବା ୪ଟି ସହର ଛାଡ଼ି ଚାଲିଯିବାକୁ ଗାଜାବାସୀଙ୍କୁ କହିଲା ଇସ୍ରାଏଲ…

Capt-7-750x430

ନୂଆଦିଲ୍ଲୀ: ବିମାନରୁ ରାତି ସାରା ଲିଫ୍ଲେଟ୍‌ ( ପ୍ରଚାର ପତ୍ର) ବିଞ୍ଚି ଇସ୍ରାଏଲ ଗାଜାର ସାଧାରଣ ନାଗରିକମାନଙ୍କୁ ଦକ୍ଷିଣର ମୁଖ୍ୟ ସହର ଖାନ୍‌ ୟୁନିସର ପୂର୍ବପାର୍ଶ୍ୱରେ ଥିବା ବାଣୀ ଶୁହାଇଲା, ଖୁଜା, ଆବାସନ ଏବଂ କାରାରା ସହର ଛାଡ଼ିବାକୁ କହିଛି। ଏକଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ଏହି ସହରରେ ଏବେ ଅନ୍ୟ ଅଞ୍ଚଳ ଛାଡ଼ି ପଳାଇ ଆସୁଥିବା ହଜାର ହଜାର ଲୋକ ଆଶ୍ରୟ ନେଇଛନ୍ତି।

ହମାସ ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟକଳାପ ପାଇଁ ପ୍ରତିରକ୍ଷା ବାହିନୀ ଆପଣଙ୍କ ଅଞ୍ଚଳରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ତେଣୁ ନିଜ ସୁରକ୍ଷା ପାଇଁ ଆପଣଙ୍କୁ ତୁରନ୍ତ ନିଜ ବାସସ୍ଥାନ ଖାଲି କରି ଜଣାଶୁଣା ଆଶ୍ରୟସ୍ଥଳୀକୁ ଯିବାକୁ ପଡ଼ିବ ବୋଲି ପ୍ରଚାରପତ୍ରରେ ଲେଖାଯାଇଛି।

ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୧୧,୨୦୦ରୁ ଅଧିକ ପାଲେଷ୍ଟାଇନୀୟ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨,୭୦୦ ଲୋକ ନିଖୋଜ ହୋଇଥିବା ସୂଚନା ମିଳିଛି। ଇସ୍ରାଏଲ ଦାବି କରିଛି ଯେ ହମାସ ନେତୃତ୍ୱାଧୀନ ହିଂସାକାଣ୍ଡରେ ୧୪୦୦ ଲୋକ ପ୍ରାଣ ହରାଇଥିବା ବେଳେ ପାଖାପାଖି ୨୪୦ ଲୋକ ଗାଜାରେ ହମାସ ଦ୍ୱାରା ବନ୍ଦୀ ହୋଇ ରହିଛନ୍ତି।

ଇସ୍ରାଏଲ ସେନା ଗୁରୁବାର ଗାଜାର ଅଲ-ଶିଫା ହସ୍ପିଟାଲରେ ଚଢ଼ାଉ ଜାରି ରଖିଛି, ଯେଉଁଠାରେ ସେମାନେ ଦାବି କରିଛନ୍ତି ଯେ ହମାସ ଆତଙ୍କବାଦୀ ଲୁଚି ରହିଛନ୍ତି। ଡାକ୍ତରଖାନାର ଜଣେ ଅଧିକାରୀଙ୍କ କହିବାନୁସାରେ, ଇସ୍ରାଏଲ ଟ୍ୟାଙ୍କ ମେଡିକାଲ ପରିସର ଭିତରେ ଥିବା ବେଳେ ସୈନିକମାନେ ଜରୁରୀକାଳୀନ ଏବଂ ଅସ୍ତ୍ରେ‌ାପଚାର ବିଭାଗ ସମେତ ଅନ୍ୟ ବିଭାଗରେ ପ୍ରବେଶ କରି ଯାଞ୍ଚ କରୁଛନ୍ତି।

ଅଲ୍‌-ଶିଫା ହସ୍ପିଟାଲ ହେଉଛି ଗାଜା ସିଟିର ମୁଖ୍ୟ ଏବଂ ସର୍ବବୃହତ ଡାକ୍ତରଖାନା ଏବେ ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଦୁଃଖର ପ୍ରତୀକ ପାଲଟିଛି। ଏହି ବିଶୃଙ୍ଖଳା ମଧ୍ୟରେ ବୁଧବାର ୬୦୦ରୁ ଅଧିକ ଲୋକ ଗାଜାରୁ ରାଫା ସୀମା ପାର ହୋଇ ଇଜିପ୍ଟକୁ ପଳାଇ ଯାଇଛନ୍ତି।

nis-ad
Leave A Reply

Your email address will not be published.