ଜମ୍ମୁ ସୀମାରେ ପାକିସ୍ତାନର ଗୁଳିବର୍ଷା: ବିଏସ୍‌ଏଫ୍ ଯବାନ ସହିଦ…

fshffhfhfhfh-750x430

ଜମ୍ମୁ: ଜମ୍ମୁ-କାଶ୍ମୀରର ସାମ୍ଭା ଜିଲ୍ଲାର ରାମଗଡ଼ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କ ଗୁଳିମାଡ଼ରେ ଜଣେ ବିଏସ୍‌ଏଫ୍ ଯବାନ ସହିଦ ହୋଇଛନ୍ତି। ନଭେମ୍ବର ୮-୯ ତାରିଖ ମଧ୍ୟରାତ୍ରରେ ଏହି ଘଟଣା ଘଟିବା ପରେ ଉକ୍ତ ଅଞ୍ଚଳରେ ମୁତୟନ ଥିବା ସୀମା ସୁରକ୍ଷା ବଳର ଯବାନମାନେ ତୁରନ୍ତ ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲେ। ବିଏସ୍‌ଏଫ୍‌ ଯବାନ ଜଣକ ଗୁଳିମାଡ଼ରେ ଆହତ ହେବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଜମ୍ମୁର ଜିଏମ୍‌ସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ବିନା ଉତ୍ତେଜନାରେ ପାକିସ୍ତାନୀ ରେଞ୍ଜର୍ସଙ୍କ ଗୁଳିଚାଳନା ଯୋଗୁଁ ରାମଗଡ଼ ଅଞ୍ଚଳର ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ସେମାନେ ବଙ୍କରରେ ଆଶ୍ରୟ ନେଇଥିଲେ। ୨୦୨୧ ଫେବ୍ରୁଆରି ୨୫ରେ ଉଭୟ ପକ୍ଷ ଅସ୍ତ୍ରବିରତି ଚୁକ୍ତିରେ ସ୍ୱାକ୍ଷର କରିବା ପରେ ଜମ୍ମୁ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କ ଦ୍ୱାରା ୨୪ ଦିନ ମଧ୍ୟରେ ଏହା ତୃତୀୟ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଏହା ଷଷ୍ଠ ସାମଗ୍ରିକ ଉଲ୍ଲଂଘନ। ଅକ୍ଟୋବର ୨୮ରେ ପାକିସ୍ତାନ ରେଞ୍ଜର୍ସ ପ୍ରାୟ ୭ ଘଣ୍ଟା ଧରି ପ୍ରବଳ ଗୁଳିଚାଳନା କରିଥିଲେ, ଯେଉଁଥିରେ ଦୁଇ ଜଣ ବିଏସ୍‌ଏଫ୍‌ ଯବାନ ଏବଂ ଜଣେ ମହିଳା ଆହତ ହୋଇଥିଲେ। ଅକ୍ଟୋବର ୧୭ରେ ଅର୍ନିଆ ସେକ୍ଟରରେ ପାକିସ୍ତାନ ରେଞ୍ଜର୍ସଙ୍କ ବିନା ଉତ୍ତେଜନାରେ ଗୁଳିଚାଳନାରେ ଦୁଇ ଜଣ ବିଏସ୍‌ଏଫ୍‌ ଯବାନ ଆହତ ହୋଇଥିଲେ। ସୀମାପାର ଗୁଳିବିନିମୟ ଘଟଣାକୁ ନେଇ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ସ୍ତରୀୟ ଫ୍ଲାଗ ମିଟିଂରେ ପାକିସ୍ତାନ ରେଞ୍ଜର୍ସଙ୍କ ନିକଟରେ ପ୍ରତିବାଦ ଜଣାଇଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ପାକିସ୍ତାନ ଏଭଳି ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ଜଣାପଡ଼ିଛି। ତେବେ ସୀମାରେ ସୁରକ୍ଷା କଡ଼କାଡ଼ି ହୋଇଥିବାରୁ ପାକ୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଯାଇଛି।

nis-ad
Leave A Reply

Your email address will not be published.