ବର୍ଷା ଅଭାବରୁ ୧୦ ହଜାର ହେକ୍ଟର ଧାନ ଫସଲ ନଷ୍ଟ…

dfp-whaigwood-early-rice-2

ଖୋର୍ଦ୍ଧା: ବର୍ଷା ଅଭାବରୁ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ୬ଟି ବ୍ଲକରେ ୧୦ ହଜାର ହେକ୍ଟର ଧାନଫସଲ ନଷ୍ଟ ହେବାକୁ ବସିଛି। ଏହି ପରିମାଣ ଆଗାମୀ ଦିନରେ ବୃଦ୍ଧି ପାଇବ ବୋଲି କୃଷି ବିଭାଗ ଆଶଙ୍କା ବ୍ୟକ୍ତ କରିଥିବା ବେଳେ ମାଟିରେ ଆଦ୍ରତା ନଥିବାରୁ ଧାନ କ୍ଷୀର ଧରିନପାରି ଅଗାଡ଼ି ହୋଇଯିବ ବୋଲି ଚାଷୀମାନେ କହିଛନ୍ତି।
କୃଷି ବିଭାଗ ଡେପୁଟି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୭ ଦିନ ପୂର୍ବେ ଗ୍ରାମର ଭିଏଲ୍‌ଡବ୍ଲୁଙ୍କୁ ପଞ୍ଚାୟତୱାରି ସର୍ବେକ୍ଷଣ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ମିଳିଥିବା ପ୍ରାଥମିକ ଆକଳନ ଅନୁସାରେ, ଜିଲ୍ଲାର ୬ଟି ବ୍ଲକରେ ୯୫୧୮ ହେକ୍ଟର ଓ ଜିଲ୍ଲାର ପ୍ରାୟ ୧୦ହଜାର ହେକ୍ଟର ଧାନ ଫସଲ ବର୍ଷା ଅଭାବରୁ ନଷ୍ଟ ହୋଇଛି। ଖୋର୍ଦ୍ଧା ବ୍ଲକର ସର୍ବାଧିକ ୩୮୩୬ ହେକ୍ଟର ( ୧ ହେକ୍ଟର= ୨.୪୭ ଏକର) ଧାନଫସଲ ବର୍ଷା ଅଭାବରୁ ନଷ୍ଟ ହେବାକୁ ବସିଛି। ସେହିଭଳି ବେଗୁନିଆରେରେ ୨୦୫୪ ହେକ୍ଟର, ବୋଲଗଡ଼ରେ ୨୫୭୦ ହେକ୍ଟର, ଟାଙ୍ଗୀରେ ୧୧୬୨ ହେକ୍ଟର, ଭୁବନେଶ୍ବର ବ୍ଲକରେ ୭୧ ହେକ୍ଟର, ଜଟଣୀରେ ୩୨୫ ହେକ୍ଟର ଚାଷ ଜମି ବର୍ଷା ଅଭାବରୁ ନଷ୍ଟ ହୋଇଛି।
ଏନେଇ କୃଷି ବିଭାଗ ଡେପୁଟି ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମହାରଣା କହିଛନ୍ତି ଯେ ଜିଲ୍ଲାରେ ଖରିଫ ଋତୁରେ ୧ଲକ୍ଷ ୨୮୫୬ ହେକ୍ଟର ଜମିରେ ଧାନ ଫସଲ କରାଯାଇଥାଏ। ଚଳିତ ବର୍ଷ ୧ଲକ୍ଷ ୩୨୦୦ ହେକ୍ଟରରେ ଧାନ ଫସଲ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଧାନରେ କ୍ଷୀର ଧରିବା ସମୟରେ ବିଲରେ ପାଣି ରହିବା କଥା। ନହେଲେ ଧାନ ଅଗାଡ଼ି ହୋଇଯିବ। ଏଭଳି ସ୍ଥିତିରେ ଗତ ୧ ମାସ ଧରି ବର୍ଷା ନାହିଁ। ବିଭାଗ ପକ୍ଷରୁ ବର୍ଷା ଅଭାବଜନିତ କ୍ଷୟକ୍ଷତି ନେଇ ଭିଏଲ୍‌ଡବ୍ଲୁଙ୍କୁ ଏକ ପ୍ରାଥମିକ ଆକଳନ ରିପୋର୍ଟ ଦେବାକୁ କୁହାଯାଇଥିଲା। ଏହି ରିପୋର୍ଟ ଅନୁସାରେ ଜିଲ୍ଳାରେ ବାଲିଅନ୍ତା, ବାଲିପାଟଣା, ଚିଲିକା ଓ ବାଣପୁରରୁ ବର୍ଷା ଅଭାବଜନିତ କ୍ଷୟକ୍ଷତି ଅତିନଗଣ୍ୟ। ତେବେ ଅନ୍ୟ ୬ଟି ବ୍ଲକରେ କ୍ଷୟକ୍ଷତି ହେବା ଆଶଙ୍କା ରହିଛି। ବତର୍ମାନ ପ୍ର‌ାୟ ୧୦ହଜାର ହେକ୍ଟର ଚାଷ ଜମିରେ ଆଦ୍ରତା ନାହିଁ। ଯଦି ଏହି ସ୍ଥିତି ଆଉ ଦୁଇ-ତିନି ଦିନ ରହେ ତେବେ ଧାନଫସଲ ସଂପୂର୍ଣ୍ଣ ନଷ୍ଟେ ହୋଇଯିବ। ଯେଉଁ ଧାନଫସଲ ଗୁଡ଼ିକ ନଷ୍ଟ ହେବା ସମ୍ଭାବନା ରହିଛି ସେଗୁଡ଼ିକ ଢିପ ଜମି ଓ ଜଳସେଚନର ସୂବିଧା ନାହିଁ। ସେ ନିଜେ ଗତକାଲି ବେଗୁନିଆ ଓ ବୋଲଗଡ଼ର ଦୁର୍ଗାପୁର, ଡିଙ୍ଗର, ଗଡ଼ମାଣତ୍ରୀ, ଗୋବିନ୍ଦପୁର, ରାଉତପଡ଼ା, କୁଞ୍ଜୁରି ଆଦି ପଞ୍ଚାୟତ ବୁଲିଥିଲେ। ଆଜି ଖୋର୍ଦ୍ଧା ବ୍ଲକର ନାଲିପଡ଼ା-ଅର୍ଜୁନପୁର, ମଲ୍ଲିପୁର ଆଦି ୪ଟି ପଞ୍ଚାୟତ ବୁଲିଛନ୍ତି । ଏହା ସହ ଭିଏଲ୍‌ଡବ୍ଲୁଙ୍କ ଠାରୁ ଆଜି ମଧ୍ୟ କିଛି ତଥ୍ୟ ହସ୍ତଗତ ହୋଇଛି। ବର୍ଷା ହେଉନଥିବାରୁ ଶୁଖିଯାଉଥିବା ଧାନ ବିଲର ପରିମାଣ ଆଗକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଆସନ୍ତାକାଲି ସେ ଅନ୍ୟ କିଛି ଅଞ୍ଚଳ ବୁଲିସାରିବା ପରେ ବିଭାଗୀୟ ଉଚ୍ଚକର୍ତୃପକ୍ଷଙ୍କୁ ଏନେଇ ଚିଠି ଲେଖିବେ। କ୍ଷୟକ୍ଷତି ଆକଳନ ଓ ବୀମା କ୍ଷତିପୂରଣ ପାଇଁ କ୍ରପ କଟିଂ ହୋଇପାରେ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.