ଅନ୍‌ଲାଇନ୍‌ ଟିକେଟ୍ ଓ କିଓସ୍କ ପ୍ରସ୍ତାବ ନେଇ ପ୍ରଶାସନ ହଟହଟା

puri

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନ୍‌ଲାଇନ୍‌ ଟିକେଟ୍‌, କିଓସ୍କ ପ୍ରସ୍ତାବ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ହଟହଟା ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଦୃଢ଼ ବିରୋଧ ପରେ ଆରମ୍ଭରୁ ଏହି ବୈଠକକୁ ବନ୍ଦ କରି ଦିଆଯାଇଛି। ଶ୍ରୀମନ୍ଦିର ଭଳି ସ୍ଥାନରେ ଏଭଳି ବ୍ୟବସ୍ଥା ଆଦୌ ଗ୍ରହଣୀୟ ନୁହେଁ ବୋଲି ପରିଚାଳନା କମିଟି ସଦସ୍ୟ ମତ ଦେବା ସହ ହାର ପୁନଃବିଚାର କରିବାକୁ କହିଛନ୍ତି।
ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ଅନ୍‌ଲାଇଟ୍‌ ଟିକେଟ୍‌, କିଓସ୍କୋ ବ୍ୟବସ୍ଥା ଲାଗୁ କରିବାକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ଦୃଢ଼ ବିରୋଧର ସମ୍ମୁଖୀନ ହୋଇଥିଲା। ଭକ୍ତ ଓ ସେବାୟତଙ୍କ ବିରୋଧ ପରେ ଏହି ଯୋଜନାକୁ ବନ୍ଦ କରି ଦିଆଯାଇଥିଲା। ଏବେ ପୁଣିଥରେ ଶ୍ରୀମନ୍ଦିର ପ୍ରଶାସନ ଏହି ଯୋଜନା ଆପଣାଇବାକୁ ଯାଉଛି। ଭିଡ଼ ନିୟନ୍ତ୍ରଣ ଆଳରେ କିଓସ୍କ ଜରିଆରେ ଅନ୍‌ଲାଇନ୍‌ ଟିକେଟ୍‌ ବ୍ୟବସ୍ଥା କରିବାକୁ ଯୋଜନା କରୁଛି। ଭୁବନେଶ୍ବରର ସୁଯୋଗ କମ୍ପ୍ୟୁଟେକ୍‌ ନାମକ ସଂସ୍ଥା ସହଯୋଗରେ ନୂଆ ଅନ୍‌ଲାଇନ୍‌ କ୍ରାଉଡ୍‌ ଆଣ୍ଡ୍‌ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ ଶ୍ରୀମନ୍ଦିରରେ ଲାଗୁ କରିବାକୁ ଯୋଜନା ପାଞ୍ଚିଛି। ଆଜି ଏହି ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଡକାଯାଇଥିଲା। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା, ମାଧବଚନ୍ଦ୍ର ମହାପାତ୍ର, ଜଗନ୍ନାଥ କରଙ୍କ ସମେତ ଶ୍ରୀମନ୍ଦିରର ଅନ୍ୟ ପ୍ରଶାସକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକ ଆରମ୍ଭ ପରେ ସୁଯୋଗ କମ୍ପ୍ୟୁଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପାୱାର୍‌ ପଏଣ୍ଟ ଜରିଆରେ ଅନ୍‌ଲାଇନ୍‌ କ୍ରାଉଡ୍‌ ଆଣ୍ଡ୍‌ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ସମ୍ପର୍କରେ ଉପସ୍ଥାପନ କରିଥିଲେ। ଏହି ପ୍ରସ୍ତାବ ଅନୁଯାୟୀ, ଚାରିଦ୍ବାରରୁ ଭକ୍ତଙ୍କୁ ଦର୍ଶନ ପାଇଁ ଅନ୍‌ଲାଇନ୍‌ ଟିକେଟ୍‌ ବ୍ୟବସ୍ଥା ହେବ। ଭକ୍ତ ଚାହିଁଲେ ଅନ୍‌ଲାଇନ୍‌ରେ ଟିକେଟ୍‌ କାଟିପାରିବେ କିମ୍ବା ଚାରିଦ୍ବାରରେ ଥିବା କିଓସ୍କ ଜରିଆରେ ଟିକେଟ୍‌ କାଟି ପାରିବେ। ଟିକେଟ୍‌ରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ଦିଆଯିବ। ସେହି ସମୟ ଅନୁସାରେ ଭକ୍ତମାନେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ସଂପୃକ୍ତ ଘରୋଇ ସଂସ୍ଥା ଏହି ତଥ୍ୟ ଉପସ୍ଥାପନ କରିବା ମାତ୍ରେ ଅସନ୍ତୋଷ ପ୍ରକାଶ କରିଥିଲେ ପରିଚାଳନା କମିଟି ସଦସ୍ୟ। କହିଥିଲେ, ସଂପୃକ୍ତ ସଂସ୍ଥା ଏହି ବ୍ୟବସ୍ଥା ଲାଗୁ ନେଇ ପ୍ରସ୍ତାବ ଦେବା ପୂର୍ବରୁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଓ ଭକ୍ତଙ୍କ ଆଗମନ ଉପରେ ଆହୁରି ଗଭୀରତାକୁ ଯିବା ଦରକାର। ଶ୍ରୀମନ୍ଦିର ବିଷୟରେ କିଛି ନ ଜାଣି ଏଭଳି ବ୍ୟବସ୍ଥା ଲାଗୁ କରିବା ମୁର୍ଖାମୀ ହେବ। ଆଉ ଥରେ ସବୁର ତର୍ଜମା କରି ଆସିବାକୁ ସଂପୃକ୍ତ ସଂସ୍ଥାକୁ ଖୋଲାଖୋଲି ପରିଚାଳନା କମିଟି ସଦସ୍ୟମାନେ କହିଥିଲେ। ଏଭଳି ବିରୋଧ ପରେ ବୈଠକକୁ ବାତିଲ୍‌ କରି ଦିଆଯାଇଥିଲା।

nis-ad
Leave A Reply

Your email address will not be published.