୨୬ରେ ଲୋକାର୍ପିତ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନୂଆ ଏଟିସି କମ୍ପ୍ଲେକ୍ସ…

trew

ଭୁବନେଶ୍ୱର : ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନନ୍ଦରରେ ନବନିର୍ମିତ ଏୟାର ଟ୍ରାଫିକ୍‌‌ କଣ୍ଟ୍ରୋଲ ଟାୱାର (ଏଟିସି) ଶେଷରେ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଆସନ୍ତା ୨୬ତାରିଖ ଦିନ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଅଧ୍ୟକ୍ଷ ସଞ୍ଜୀବ କୁମାର ଏୟାର ଟ୍ରାଫିକ୍‌‌ ସର୍ଭିସ୍‌‌ କମ୍ପେ୍ଲକ୍ସର ଲୋକାର୍ପଣ କରିବେ। ସମ୍ପ୍ରତି ପରୀକ୍ଷାମୂଳକ ଭାବେ ନୂଆ ଓ ପୁରୁଣା ଏଟିସି ଟାୱାରରୁ ବିମାନ ପରିଚାଳନା କରାଯାଉଥିଲା। ଆସନ୍ତା ୨୬ ପରଠାରୁ ନୂଆ ଏଟିସିରୁ ବିମାନ ପରିଚାଳନା କରାଯିବ। ତେବେ ବିମାନବନ୍ଦର ପରିସର ଭିତରେ ଥିବା ପୁରୁଣା ଏଟିସି ଟାୱାରକୁ ଭଙ୍ଗା ନଯାଇ ତାହାର ସଂରକ୍ଷଣ କରାଯିବ ବୋଲି ଜଣାପଡ଼ିଛି। ନୂଆ ଏଟିସି ଟାୱାର୍‌ରେ ଲାଗିଥିବା ଅତ୍ୟାଧୁନିକ ଯନ୍ତ୍ରପାତି ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଛି ଏବଂ ଏହାର କାର୍ଯ୍ୟଦକ୍ଷତା ଢେର୍‌ ଅଧିକ ଥିବା ପରୀକ୍ଷାମୂଳକ ବ୍ୟବହାର ସମୟରେ ସ୍ପଷ୍ଟ ହୋଇଛି।

ପ୍ରାୟ ୪ବର୍ଷ ଧରି କାମ ଚାଲିବା ପରେ କିଛି ମାସ ପୂର୍ବେ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା। ଏହା ପରେ ଉପକରଣ ଖଞ୍ଜିବା ସହ ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବରୁ ଦେଶର ବିମାନବନ୍ଦରର ଏଟିସି ଟାୱାରରେ ବିଦେଶୀ କମ୍ପାନୀ ନିର୍ମିତ ଉପକରଣ/ସରଞ୍ଜାମ ବ୍ୟବହାର ହେଉଥିଲା। କିନ୍ତୁ ଭୁବନେଶ୍ୱର ବିମାନବନ୍ଦରର ଏଟିସି ଟାୱାରେ ସ୍ୱଦେଶୀ ନିର୍ମିତ ଉପକରଣ ଖଞ୍ଜା ଯାଇଛି। ୨୦୧୭ ଜୁନ୍‌‌ ମାସରେ ନୂଆ ଏଟିସି ଟାୱାରର ନିର୍ମାଣ ଆରମ୍ଭ ହୋଇଥିଲା। ୫୧୯ ବର୍ଗ ମିଟର ଅଞ୍ଚଳରେ ପରିବ୍ୟାପ୍ତ ଏଟିସି ଟାୱାର ନିର୍ମାଣ କୋଭିଡ୍‌‌ ପାଇଁ ଦୁଇ ବର୍ଷ ଧରି ବନ୍ଦ ରହିଥିଲା। ପରିସ୍ଥିତି ସ୍ୱାଭାବିକ ହେବା ପରେ ଗତବର୍ଷରୁ ପୁଣି ଥରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୯ ସୁଦ୍ଧାର ଏହାର ନିର୍ମାଣ ଶେଷ କରିବା ପାଇଁ ଲକ୍ଷ୍ୟ ରହିଥିଲା। ତେବେ ବିଳମ୍ବ ହେଲେ ମଧ୍ୟ ଚଳିତ ବର୍ଷ ଟାୱାର ନିର୍ମାଣ ସମ୍ପୂର୍ଣ୍ଣ କରାଯିବା ପରେ ଇଲେକ୍ଟ୍ରୋନିକ୍‌‌ ଏବଂ ଅନ୍ୟାନ୍ୟ ସରଞ୍ଜାମ ଖଞ୍ଜିବା ଆରମ୍ଭ ହୋଇଥିଲା।

ତେବେ ପୂର୍ବରୁ ସ୍ପେନ୍‌‌ କମ୍ପାନୀ ଦ୍ୱାରା ନିର୍ମାଣ କରାଯାଇ ଥିବା ଉପକରଣ ଏଟିସିରେ ବ୍ୟବହାର ହେଉଥିଲା। ଏଥର କିନ୍ତୁ ମେକ୍‌‌ ଇନ୍‌‌ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଭାରତ ଇଲେକ୍ଟ୍ରୋନିକ୍ସ ଦ୍ୱାରା ପ୍ରସ୍ତୁତ ଉପକରଣ ଏଥିରେ ବ୍ୟବହାର କରାଯାଉଛି। ଏହା ସ୍ୱଦେଶରେ ନିର୍ମାଣ କରାଯାଇଥିଲେ ସୁଦ୍ଧା ଦକ୍ଷତା କିଛି କମ୍‌‌ ନୁହେଁ। ନୂଆ ଏଟିସି ଟାୱାରରେ ସର୍ଫେସ୍‌‌ ମୁଭ୍‌‌ମେଣ୍ଟ ଗାଇଡେନ୍ସ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ୍‌‌ (ଏଏସ୍‌‌ଏମ୍‌‌ଜିସିଏସ୍‌‌) ଲାଗିଛି। ସୁରକ୍ଷିତ ବିମାନ ଚଳାଚଳ ପାଇଁ ସହଯୋଗ କରୁଥିବା ଏହି ବ୍ୟବସ୍ଥା ପୁରୁଣା ଟାୱାରରେ ଲାଗିବା ସମ୍ଭବ ନୁହେଁ। ବନ୍ୟା, ବାତ୍ୟା, ପବନର ବେଗ ଓ ଜଳବାୟୁ ସମ୍ପର୍କିତ ସଠିକ୍‌‌ ତଥ୍ୟ ଦେବାରେ ଏହା ସହାୟକ ହେବ। ନୂଆ ଟାୱାର ନିକଟରେ ଚାରି ମହଲା ବିଶିଷ୍ଟ ଏକ ପାଣିପାଗ ତଥ୍ୟ ଅନୁଶୀଳନ କାର୍ଯ୍ୟାଳୟ ରହିବ। ପ୍ରାୟ ୭୦୦ ବର୍ଗ ଫୁଟର ଏଟିସି ଟାୱାର ପ୍ରଥମ ମହଲାରେ ଏକ ସଙ୍ଗରେ ୭ଜଣ କର୍ମଚାରୀ କାର୍ଯ୍ୟ କରିପାରିବେ।

ପ୍ରବଳରୁ ଅତି ପ୍ରବଳ ବାତ୍ୟାକୁ ସମ୍ଭାଳି ପାରିବା ଭଳି ଏଟିସି ଟାୱାର ନିର୍ମାଣ କରାଯାଇଛି। ନୂଆ କୋଠାରେ ଟେକ୍ନିକାଲ ବ୍ଲକ, ଆଣ୍ଟି ହାଇଜାକିଂ ସେଲ୍‌ଫ ଏବଂ ଆପ୍ରୋନ୍‌‌ ଅପରେସନ୍‌‌ କଣ୍ଟ୍ରୋଲ ସେଣ୍ଟର ରହିବ। ଆପ୍ରୋନରେ ରହୁଥିବା ବିମାନ ଗୁଡ଼ିକର ପରିଚାଳନା ଏହି ସେଣ୍ଟରରୁ ନିୟନ୍ତ୍ରଣ କରାଯାଇପାରିବ। ପୁରୁଣା ଟାୱାରର ଉଚ୍ଚତା ବହୁତ କମ୍‌‌ ହୋଇଥିବାରୁ ବିମାନବନ୍ଦରର ସମ୍ପୂର୍ଣ୍ଣ ଅଞ୍ଚଳ ଉପରେ ନଜର ରଖିବା ସମ୍ଭବ ହେଉ ନ ଥିଲା। ତେବେ ନୂଆ ଟାୱାରରେ ଥାଇ କର୍ମଚାରୀମାନେ ୩୬୦ ଡିଗ୍ରୀ ଦୃଶ୍ୟ ଭଲ ଭାବେ ଦେଖି ପାରିବେ। ରନୱେ ଏବଂ ଏହାର ଆଖପାଖରେ ଥିବା ବିମାନକୁ କର୍ମଚାରୀ ଦେଖି ପାରିଲେ କୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇ ଦେବା ସହଜ ହେବ।

nis-ad
Leave A Reply

Your email address will not be published.