କଟକ : ଚଳିତବର୍ଷ ପ୍ରତ୍ୟେକ ପୂଜା ମଣ୍ଡପରେ ବିଦ୍ୟୁତ୍ ମିଟର ଲଗାଯିବ। ଏନେଇ ବିଦ୍ୟୁତ୍ ବିତରକ କମ୍ପାନୀ ଟାଟା ପାୱାର୍ ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହାକୁ ନେଇ ପୂଜା କମିଟି କର୍ମକର୍ତ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବୁଧବାର କଟକ ମହାନଗର ନିଗମ(ସିଏମ୍ସି)ର ବିଜୁଭବନ ପରିସରରେ ଟିପିସିଓଡିଏଲ୍ ଅଧିକାରୀ ଓ ଶାନ୍ତି କମିଟି କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଏମ୍ସି ମେୟର ସୁବାସ ସିଂ ଅଧ୍ୟକ୍ଷତା କରିଥିଲେ। ମଣ୍ଡପଗୁଡିକରେ ବିଦ୍ୟୁତ୍ ମିଟର ନ ବସାଇବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ହେଲେ ଏଥିରେ ଟିପିସିଓଡିଏଲ କର୍ତ୍ତୃପକ୍ଷ ଅମଙ୍ଗ ହୋଇଥିଲେ।
ଦୁର୍ଗାପୂଜା ସମୟରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇଥାଏ। କଟକର ପ୍ରାୟ ୧୭୦ ମଣ୍ଡପରେ ପୂଜାର ୫ ଦିନ ମଧ୍ୟରେ ୧୦ ଲକ୍ଷ ୟୁନିଟ୍ରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରାଯାଉଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପୂର୍ବରୁ ପୂଜା କମିଟିଗୁଡିକ ପକ୍ଷରୁ ପ୍ରାୟ ୧୦ ହଜାର ଟଙ୍କା ବିଦ୍ୟୁତ୍ ବିଲ୍ ବାବଦକୁ ଅଗ୍ରିମ ପଇଠ କରାଯାଇ ମଣ୍ଡପକୁ ଲାଇନ୍ ନିଆଯାଉଥିଲା। ଏହାପରେ ୫ ଦିନ ଧରି ବିଦ୍ୟୁତ୍ ବ୍ୟବହାର କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଟିପିସିଓଡିଏଲ୍ ପକ୍ଷରୁ ମିଟର ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକ ଆରମ୍ଭରୁ ମିଟର ଲାଗିବା ନେଇ ସମସ୍ତ ପୂଜା କମିଟି ସଭାପତି ଓ ସମ୍ପାଦକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଦ୍ୟୁତ୍ ବିଲ୍ ପଇଠ କରିବାକୁ ଶାନ୍ତି କମିଟି ଓ ପୂଜା କମିଟି ପକ୍ଷରୁ ଦାବି କରାଯାଇଥିଲା।
ଏ ଦିଗରେ ବିଧିବଦ୍ଧ ଭାବେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ହେଲେ ମଣ୍ଡପଗୁଡିକରେ ନିଶ୍ଚିତ ଭାବେ ମିଟର ଲଗାଯିବ। ମଣ୍ଡପଗୁଡିକୁ ବିଦ୍ୟୁତ୍ ବିଲ୍ରେ କିଛି ରିହାତି କରାଯିବା ନେଇ ପରବର୍ତ୍ତୀ ସମୟରେ ଆପୋସ ଆଲୋଚନାରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଛି। ପୂଜା ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଓହଳିଥିବା ତାର ଠିକ୍ କରାଯିବା ସହ ଖୁଣ୍ଟ ମରାମତି କରାଯିବ। ପୂଜା ସମୟରେ ବିଦ୍ୟୁତ୍ କାଟ ନ ହେବା ଉପରେ ଗୁରୁତ୍ୱ ଦେବାକୁ ମେୟର ସିଂ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଏହି ବୈଠକରେ ଟିପିସିଓଡିଏଲ୍ ସିଇଓ ଅରବିନ୍ଦ ସିଂ, ମନୋଜ ସିଂ, ରାଜ ରସ୍ତୋଗି, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ନାଥ ସାହୁ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ ଓ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post