‘ସାମାଜିକ ଗଣମାଧ୍ୟମରେ ଅନୁଭବ ଅପପ୍ରଚାର କରୁଛନ୍ତି’

anubhav barsha

କଟକ: ସାମାଜିକ ଗଣମାଧ୍ୟମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂସଦ ତଥା ଅଭିନେତା ଅନୁଭବ ଅପପ୍ରଚାର କରୁଛନ୍ତି। ଆପତ୍ତିଜନକ ଟିପ୍ପଣୀ ଦେଇ ତାଙ୍କ ସମ୍ମାନହାନି କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଅନୁଭବଙ୍କ ଏଭଳି ପୋଷ୍ଟ ଦ୍ୱାରା ତାଙ୍କର ଚରିତ୍ର ସଂହାର କରାଯାଉଛି। ତୁରନ୍ତ ଏଭଳି କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ବର୍ଷାଙ୍କ ତରଫରୁ କଟକ ସଦର ଏସଡିଜେଏମ ଅଦାଲତରେ ଏକ ପିଟିସନ ଦାୟର ହୋଇଛି। ଏହି ପିଟିସନ ଉପରେ ଆଜି ଅଦାଲତରେ ଶୁଣାଣି ହୋଇଥିଲା। ଅନୁଭବଙ୍କ ତରଫରୁ ପିଟିସନକୁ ବିରୋଧ କରାଯାଇଥିଲା। ଏଥିସହିତ ଅନୁଭବଙ୍କ ବିରୋଧରେ ବର୍ଷା ଘରୋଇ ହିଂସା ଅଭିଯୋଗ ଆଣି ୨୦୨୦ରେ ଦାୟର କରିଥିବା ମାମଲାରେ ଆଜି ସାକ୍ଷ୍ୟ ଗ୍ରହଣ ହୋଇଛି। ଆଜି କଟକ ସଦର ଏସଡିଜେଏମ ଅଦାଲତରେ ମାମଲାର ଶୁଣାଣି ସମୟରେ ଉଭୟ ବର୍ଷା ଓ ଅନୁଭବ ଉପସ୍ଥିତ ଥିଲେ। ବର୍ଷାଙ୍କୁ ଜେରା କରାଯାଇଥିଲା। ଆଜି ଜେରା ଅସଂପୂର୍ଣ୍ଣ ରହିଥିବା ବେଳେ ଅକ୍ଟୋବର ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ କଟକ ସଦର ଏସ୍‌ଡିଜେଏମ୍ ଅଦାଲତରେ ବର୍ଷା ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ (ପ୍ରୋଟେକ୍ସନ୍ ଅଫ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ), ୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ରେ କ୍ଷତିପୂରଣ ଓ ଭରଣପୋଷଣ ଦାବି କରି ୨୦୨୦ରେ ମାମଲା ରୁଜୁ କରିଥିଲେ। ତାଙ୍କର ହୋଇଥିବା ଶାରୀରିକ, ମାନସିକ, ଆର୍ଥିକ କ୍ଷତିପୂରଣ ଭରଣା ପାଇଁ ଘରେ ରହିବାକୁ ଅଧିକାର ଦେବା, ନଚେତ ଘରଭଡା ବାବଦ ଟଙ୍କା ଦେବା, ମାସିକ ଖର୍ଚ୍ଚ ତୁଲାଇବାକୁ ପ୍ରତିମାସରେ ୫୦ ହଜାର ଟଙ୍କା ଦେବା, ମେଡିକାଲ ଖର୍ଚ୍ଚ ବାବଦକୁ ଟଙ୍କା ଏବଂ ତାଙ୍କର ଆୟର ବାଟ ବନ୍ଦ କରି ଦେଇଥିବାରୁ ଏ ବାବଦରେ ଅର୍ଥ ଦେବା ପାଇଁ ଅନୁଭବଙ୍କୁ ନିର୍ଦ୍ଦେଶ ଦେବା ଲାଗି ବର୍ଷା ଅଦାଲରେ ନିବେଦନ କରିଥିଲେ। ବର୍ଷାଙ୍କ ପାଇଁ ବିକଳ୍ପ ରହିବା ବ୍ୟବସ୍ଥା ଅନୁଭବ କରିବା ସପକ୍ଷରେ ଏସଡିଜେଏମ୍ ଅଦାଲତ ୨୦୨୨, ଜୁନ ୨ରେ ରାୟ ଦେଇଥିଲେ। ଏଥି ପାଇଁ ପତ୍ନୀ ବର୍ଷାଙ୍କୁ ଘର ଭଡା ବାବଦରେ ପ୍ରତିମାସର ୧୦ ତାରିଖ ସୁଦ୍ଧା ସ୍ବାମୀ ଅନୁଭବ ୩୦ ହଜାର ଟଙ୍କା ଦେବେ। ଘରଭଡା ବାବଦ ପ୍ରଥମ ମାସିକ ଅର୍ଥ ମିଳିବାର ଦୁଇ ମାସ ଭିତରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡି ବିକଳ୍ପ ବାସଭବନରେ ରହିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ଅଞ୍ଜନ କୁମାର ଜେନା, ରାମକୃଷ୍ଣ ରଥ, ସିଦ୍ଧାର୍ଥ ଦାସ ଓ ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ସ୍ବଦେଶ ରଥ, ଜାଗୃତି ସାହୁ ମାମଲା ପରିଚାଳନା କରୁଛନ୍ତି।

nis-ad
Leave A Reply

Your email address will not be published.