ନିର୍ଭୟରେ ବୁଲୁଛି ମହାବଳ ‘ଟି-୧୯’…

20-3

ବାରିପଦା  : ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ନିର୍ଭୟରେ ଚଳପ୍ରଚଳ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବନବିଭାଗ ପୋଷ୍ଟ କରିଛି। ପାଟ୍ରୋଲିଂ ସମୟରେ ରେଞ୍ଜର ଶିଶିର ବେହେରା ଏହା ଚିତ୍ର ଉତ୍ତୋଳନ କରିବା ପରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଏହାକୁ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି। ବନ ବିଭାଗ ପକ୍ଷରୁ ଉକ୍ତ ବାଘର ନାମ ‘ଟି-୧୯’ ରଖାଯାଇଛି। ଏନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି ।

ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତଥା ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ନିୟୋଜିତ କରାଯାଇଛି। ଶିକାରୀ କବ୍ଜାରେ ଥିବା ଅଭୟାରଣ୍ୟରେ ବନ୍ୟଜନ୍ତୁ ବିପଦରେ ଥିବା ବେଳେ ବନବିଭାଗ ଓ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୧୬୫ଟି ଦେଶୀ ବନ୍ଧୁକ, ବନ୍ଧୁକ ତିଆରି କାରଖାନା ଓ ଶିକାର ଉଦ୍ଦେଶ୍ୟରେ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଫଳରେ ଶିକାରୀଙ୍କ ଅନୁପ୍ରବେଶ ବନ୍ଦ ହୋଇଥିବାରୁ ବନ୍ୟଜନ୍ତୁମାନେ ନିର୍ଦ୍ୱନ୍ଦ୍ୱରେ ଚଳପ୍ରଚଳ କରିବା ଆରମ୍ଭ କରିଛନ୍ତି। ଭିଡିଓରେ ମହାବଳ ବାଘଟି ଘଞ୍ଚ ଜଙ୍ଗଲ ମଧ୍ୟରେ ପାଟି ମେଲା କରି ନିଜ ଦେହକୁ ଚାଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

୨ବର୍ଷ ତଳେ ବାଘୁଣୀଠାରୁ ଜନ୍ମ ହୋଇଥିବା ୪ଶାବକଙ୍କ ମଧ୍ୟରୁ ଏହା ଗୋଟିଏ ବୋଲି ବନବିଭାଗ କହିଛି। ଅନ୍ୟପକ୍ଷରେ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ମଧ୍ୟରେ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ତୃଣଭୋଜିଙ୍କ ସଂଖ୍ୟା ବୃଦ୍ଧି ପାଇଲେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ପ୍ରାଣୀପ୍ରେମୀମାନେ ମତପ୍ରକାଶ କରିଛନ୍ତି। ତେବେ ଜାତୀୟ ବ୍ୟାଘ୍ର ଗଣନା ରିପୋର୍ଟ ଅନୁଯାୟୀ ଶିମିଳିପାଳରେ ୨୦ଟି ମହାବଳ ବାଘ ରହିଛନ୍ତି। ଖାଦ୍ୟ ଶୃଙ୍ଖଳ ଠିକ୍‌ ରହିଲେ ବନ୍ୟପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଅସୁବିଧା ପରିଲକ୍ଷିତ ହେବ ନାହିଁ । ଆଗକୁ ଏମାନଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ସେହିପରି ହାତୀମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଗଲେ ସେମାନେ ଜଙ୍ଗଲ ଛାଡ଼ି ଗାଁ କିମ୍ବା ସହର ମୁହାଁ ହେବେ ନାହିଁ ବୋଲି ମତପ୍ରକାଶ ପାଉଛି।

nis-ad
Leave A Reply

Your email address will not be published.