ନଭେମ୍ବର ୭ରୁ ୫ ରାଜ୍ୟ ବିଧାନସଭା ନିର୍ବାଚନ…

Rajiv

ନୂଆଦିଲ୍ଲୀ : ବାଜିଲା ନିର୍ବାଚନୀ ବିଗୁଲ୍। ୫ ରାଜ୍ୟ- ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ନୂଆଦିଲ୍ଲୀରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।
ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମଧ୍ୟ ପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ରାଜସ୍ଥାନରେ ନଭେମ୍ବର ୨୩ ଓ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ମତଦାନ ହେବ। କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏଠାରେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଡିସେମ୍ବର ୩ ତାରିଖରେ ଭୋଟ୍ ଗଣତି ହେବ। ଡିସେମ୍ବର ୫ ତାରିଖ ସୁଦ୍ଧା ନିର୍ବାଚନର ସବୁ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର (ସିଇସି)।
ମିଜୋରାମ ଓ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୨୦ ରହିଛି। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୩୦ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। ରାଜସ୍ଥାନରେ ନଭେମ୍ବର ୬ ଓ ତେଲେଙ୍ଗାନାରେ ନଭେମ୍ବର ୧୩ ସରିବ ନାମାଙ୍କନପତ୍ର ଦାଖଲ।
ମିଜୋରାମ ଓ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୩ ରହିଥିବା ବେଳେ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ନଭେମ୍ବର ୨ ରଖାଯାଇଛି। ସେହିଭଳି ରାଜସ୍ଥାନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ନଭେମ୍ବର ୯ ରହିଥିବା ବେଳେ ତେଲେଙ୍ଗାନା ପାଇଁ ନଭେମ୍ବର୧୫ ରହିଛି।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ମତଦାନ ତାରିଖ ଘୋଷଣା କରିବାବେଳେ କହିଛନ୍ତି, ସମସ୍ତ ପାଞ୍ଚଟି ରାଜ୍ୟରେ ୬୭୯ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ଏବଂ ମିଜୋରାମରେ ଲିଙ୍ଗ ଅନୁପାତ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ୫ଟି ରାଜ୍ୟରେ ଏଥର ପ୍ରଥମ ଥର ପାଇଁ ୬୦ ଲକ୍ଷ ନୂଆ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।
ରାଜୀବ କୁମାର ଆହୁରି କହିଛନ୍ତି, ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ ଦେଲେ କାରଣ କହିବ ପାର୍ଟି। କାହିଁକି ସଂପୃକ୍ତ ବ୍ୟକ୍ତିଙ୍କୁ ଟିକେଟ ଦିଆଗଲା, ପାର୍ଟି କାରଣ ଦର୍ଶାଇବ। ତାଙ୍କଠାରୁ କଣ ଆଉ ଭଲ ପ୍ରାର୍ଥୀ ପାଇଲେ ନାହିଁ କି ବୋଲି ସ୍ପଷ୍ଟ କରିବେ। ନାଁରେ କିଛି ମାମଲା ଥିଲେ ଲୋକଙ୍କୁ ଅବଗତ କରିବେ ସଂପୃକ୍ତ ପ୍ରାର୍ଥୀ। ଲୋକଙ୍କ ଅବଗତି ପାଇଁ ୩ ଥର ଖବରକାଗଜରେ ବିଜ୍ଞାପନ ଦେବେ।
ରାଜସ୍ଥାନ ଓ ଛତିଶଗଡ଼ରେ ଏବେ କଂଗ୍ରେସ ଶାସନରେ ଥିବାବେଳେ ମଧ୍ୟ ପ୍ରଦେଶରେ ବିଜେପି ହାତରେ ରହିଛି ସରକାର। ଅନ୍ୟ ଦୁଇ ରାଜ୍ୟ ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି ଓ ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟର ସରକାର ରହିଛି। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଥିବାରୁ ଏହି ପାଞ୍ଚ ରାଜ୍ୟ ବିଧାନସଭା ଉପରେ ସମସ୍ତଙ୍କ ନଜର।
ମଧ୍ୟ ପ୍ରଦେଶ ବିଧାନସଭାରେ ୨୩୦ଟି ଆସନ ଥିବା ବେଳେ ରାଜସ୍ଥାନରେ ୨୦୦, ତେଲେଙ୍ଗାନାରେ ୧୧୯, ଛତିଶଗଡ଼ରେ ୯୦ ଓ ମିଜୋରାମରେ ୪୦ଟି ଆସନ ରହିଛି।

nis-ad
Leave A Reply

Your email address will not be published.