ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ପିଛା ଛାଡୁନି ସ୍କ୍ରବ୍ ଟାଇଫସ୍ । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୯୫କୁ ବୃଦ୍ଧି ହୋଇଛି । ସ୍କ୍ରବ୍ ଟାଇଫସରେ ସୁନ୍ଦରଗଡରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଗତକାଲି ଗୋଟିଏ ଦିନରେ ୨୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ମୋଟ୍ ସଂଖ୍ୟା ୨୯୨ ରହିଥିଲା ।
ଗତକାଲି ଭୁବନେଶ୍ବରରୁ ୬ ଜଣିଆ ମେଡିକାଲ ଟିମ୍ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି । ପ୍ରଭାବିତ ଅଞ୍ଚଳ ଗୁଡିକୁ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛି ଏହି ଟିମ୍ । ପରେ ବରଗଡ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଛନ୍ତି । ପ୍ରଫେସର ଡକ୍ଟର ସମୀର ଗୁଲାଟି, ପବ୍ଲିକ୍ ହେଲଥ୍ ସ୍ପେଶାଲିଷ୍ଟ ଡେପୁଟି ଡାଇରେକ୍ଟର ଡକ୍ଟର ତୁଷାର ନାଲେ , ଆଇଡିଏସପି ଇଆଇଏସ୍ ଅଫିସର ଆରୁଷି ଘାଇ ପ୍ରମୂଖ ଏହି ଟିମ୍ ରେ ସାମିଲ ରହିଥିଲେ ।