ରେଢାଖୋଲ: ଡାକ୍ତର ଜଣେ ଯୁବକଙ୍କୁ ମୃତ ଘୋଷଣା କରିବା ପରେ ବି ପରିବାର ଲୋକେ ମାନିବାକୁ ଅରାଜି । ଗୁଣି ଗାରେଡି ଯୋଗୁ ଅଚେତ୍ ହୋଇଯାଇଥିବା କଥାକୁ ବିଶ୍ୱାସ କରି ୨୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଶବକୁ ଧରି ଘରେ ବସି ରହିଛନ୍ତି ପରିବାର ଲୋକେ । ଗତକାଲିଠାରୁ ମୃତ ଯୁବକଙ୍କର ଅନ୍ତିମ ସଂସ୍କାର କରୁ ନାହାନ୍ତି ପରିବାର ଲୋକେ । ଜୀବିତ ଥିବା ଭାବି ମୃତଦେହକୁ ଘରେ ରଖିଛନ୍ତି । ଗୁଣିଆ ଝଡ଼ାଫୁଙ୍କା କଲେ ପୁଅ ଜିଇଁ ଉଠିବ ବୋଲି ଏବେ ବି ଆଶା ରଖିଛନ୍ତି ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଏନଏସି ୪ନଂ ୱାର୍ଡର ନୂଆସାହିରେ । ମୃତ ଯୁବକ ଜଣଙ୍କ ନାମ ବିରେନ କଅଁର । ବୟସ ପାଖାପାଖି ୨୨ବର୍ଷ ହେବ। ବିରେନଙ୍କ ବାପା ବାହାଦୁର କଅଁରଙ୍କର କିଛି ଦିନ ପୂର୍ବରୁ ପଡୋଶୀ ସୁଶୀଲ ନାୟକଙ୍କ ସହ କୈାଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ସୁଶୀଲ ଗୁଣିଗାରେଡି କରି ମାରି ଦେବ ବୋଲି କୁଆଡେ ଧମକ ଦେଇଥିଲା । ସୁଶୀଲ ଧମକ ଦେବାର ୧୫ ଦିନ ଭିତରେ ପୁଅ ବିରେନଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଡାକ୍ତର ଦେଖାଇଥିଲେ । ହେଲେ ବିରେନଙ୍କ ଦେହ ଭଲ ହୋଇ ନଥିଲା । ଶେଷରେ ଗତକାଲି ବିରେନଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ପରିବାର ଲୋକେ ତାଙ୍କୁ ରେଢ଼ାଖୋଲ ମେଡିକାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ବିରେନଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଗତକାଲି ଦିନ ୨ଟାରୁ ଏପର୍ଯ୍ୟନ୍ତ ମୃତଦେହକୁ ପରିବାର ଲୋକେ ଘରେ ସେମିତି ରଖିଛନ୍ତି । ପୁଅକୁ ଗୁଣି କରାଯାଇଛି, ସେ ମରି ନାହିଁ, ତାର ନାଡ଼ି ଚାଲୁଛି ବୋଲି କହୁଛନ୍ତି ପରିବାର ଲୋକେ । ଯିଏ ଗୁଣି କରିଛି ସେ ଆସିଲେ ପୁଅ ଜିଇଁ ଉଠିବ ବୋଲି ପରିବାର ଲୋକେ ଆଶା ବାନ୍ଧି ରଖିଛନ୍ତି । ଏପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଛି । ତେବେ ମଣିଷ ଚନ୍ଦ୍ରପୃଷ୍ଠକୁ ଗଲାଣି । ହେଲେ ମଣିଷ ଅନ୍ଧ ବିଶ୍ୱାସର ଅନ୍ଧ ଗଳିରୁ ଏଯାଏ ବି ବାହାରି ପାରୁନାହିଁ । ଯାହା ପରିତାପର ବିଷୟ ।