ଜି-୨୦ ରାତ୍ରୀ ଭୋଜନରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ଉପରେ ପ୍ରଶ୍ନ ଉଠାଇଲା ବିଜେପି

jay narayan

ଭୁବନେଶ୍ୱର: ବିଜେଡିକୁ ବିଜେପିର ଟାର୍ଗେଟ। ଏଥର ଟାର୍ଗେଟ କରିଛି ଜି-୨୦ ଶିଖର ସମ୍ମିଳନୀକୁ ନେଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ରାତ୍ରୀ ଭୋଜନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନଦେବାକୁ ନେଇ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ ମିଶ୍ର।

ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦେଶର ରାଷ୍ଟ୍ରପତି ତଥା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥିବା ବେଳେ, ତାଙ୍କଠାରୁ ନିମନ୍ତ୍ରଣ ପାଇ ମଧ୍ୟ ଜି-୨୦ ଶିଖର ସମ୍ମିଳନୀର ରାତ୍ରୀ ଭୋଜନକୁ ଗଲେ ନାହିଁ, ଯାହାକି ଅତ୍ୟନ୍ତ ଦୁଃଖର ବିଷୟ। ଭାରତବର୍ଷର ଅଧ୍ୟକ୍ଷତାରେ ବିଶ୍ୱର ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କୁ ନେଇ ଗଠିତ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଥମଥର ପାଇଁ ବିଶ୍ୱ ନେତାମାନେ ଭାରତକୁ ଆସିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱ ନେତୃତ୍ୱଙ୍କୁ ସ୍ୱାଗତ କରିଲେ। ଏହି ଐତିହାସିକ ଜି-୨୦ ଶିଖର ସମ୍ମିଳନୀରେ ଓଡିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଛି, ଏହା ଆମ ସମସ୍ତଙ୍କ ପାଇଁ ଗୈାରବର କଥା। ପ୍ରଥମ ଦିନରେ ସମ୍ବଲପୁରୀ “ଡାଲଖାଇ ଗୀତ”ରେ ବିଶ୍ୱ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଓଡ଼ିଶାର କାଳଜୟୀ ଶିଳ୍ପକଳା କୋଣାର୍କ ସୂର୍ଯ୍ୟ ଚକ୍ରର ‘ଥିମ’ ସାମ୍ନାରେ ବିଶ୍ୱନେତୃବୃନ୍ଦଙ୍କୁ ସ୍ୱାଗତ କରିଥିଲେ। ଓଡିଆ ଖାଦ୍ୟପେୟ, ହସ୍ତଶିଳ୍ପ, ତାରକସୀ କାରୁକାର୍ଯ୍ୟ, ପିପିଲି ଚାନ୍ଦୁଆ, ସମ୍ବଲପୁରୀ ଶାଢୀ ଆଦି ଜି-୨୦ ସମ୍ମିଳନୀରେ ସାମିଲ କରାଯାଇ ଓଡିଶାର ଗୌରବକୁ ବିଶ୍ୱ ଦରବାରରେ ସମ୍ମାନିତ କରାଗଲା। ହେଲେ ମୁଖ୍ୟମନ୍ତ୍ରୀ କାହିଁକି ଗଲେନି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର।

ରାଷ୍ଟ୍ରପତିଙ୍କଠାରୁ ନିମନ୍ତ୍ରଣ ପାଇ ମୁଖ୍ୟମନ୍ତ୍ରୀ ନଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ନିଜର ୨୩ ବର୍ଷ ଶାସନରେ ତାଙ୍କର ଉପଲବ୍ଧତା ବୋଲି କିଛି ନାହିଁ । ଓଡିଶାର ସ୍ଥିତି ଅତ୍ୟନ୍ତ ସଙ୍ଗୀନ । ଦାରିଦ୍ରତା, ନାରୀ ନିଯ୍ୟାତନା, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥା ଇତ୍ୟାଦିରେ ପଛୁଆ ଓଡିଶା। ମୁଣ୍ଡ ପିଛା ଆୟରେ ମଧ୍ୟ ଆମେ ତଳେ ପଡିଛୁ। ଏଭଳି ବୈଶ୍ୱିକ ମଞ୍ଚରେ ଉପଲବ୍ଧତାକୁ ନେଇ କିଏ କୈାଣସି ପ୍ରଶ୍ନ କଲେ, ତାଙ୍କ ପାଖରେ ଉତର ନାହିଁ। ଓଡିଶାକୁ ଯେଉଁ ଭଳି ଅବସ୍ଥାକୁ ନେଇ ଗଲେଣି, ସେଥିପାଇଁ ସେ ଯିବାକୁ ଭୟ କରିଛନ୍ତି । ଯାହାର ଦକ୍ଷତା ଓ ଯୋଗ୍ୟତା ନଥାଏ, ତାର “ଇନ୍‌ଫେରିଅର୍ କମ୍ପେ୍ଲକ୍ସ୍‌” ଥାଏ ଏବଂ ତାଙ୍କ ମନରେ ଏହା ସୃଷ୍ଟି ହୋଇଥିବାରୁ ସେ ବୋଧ ହୁଏ ଗଲେ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଖରେ ସାମାନ୍ୟତମ ସୌଜନ୍ୟତା ବି ନାହିଁ। ନବୀନ ବାବୁ କେବଳ ଧନ୍ୟବାଦ ନେଇଜାଣିଛନ୍ତି, କିନ୍ତୁ ଦେଇଜାଣନ୍ତି ନାହିଁ । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଆ ଅସ୍ମିତାକୁ ବିଶ୍ୱ ଦରବାରରେ ସମ୍ମାନିତ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ତାଙ୍କୁ ଧନ୍ୟବାଦ ନଦେବା ଏକ ହୀନମାନସିକତାର ପରିଚୟ। ମହାମାରୀ କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ଓଡିଶାକୁ ମାଗଣାରେ ଟୀକା ଯୋଗାଇ ଦେଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଥରୁଟିଏ ଧନ୍ୟବାଦ୍ ଜଣାଇନଥିଲେ। ଆଜି ଜି-୨୦ ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ମୋଦିଜୀ ଆଗ୍ରାଧିକାର ଦେଇଥିଲେ ବି ନବୀନ ବାବୁ ତାଙ୍କୁ “ଧନ୍ୟବାଦ” ନଦେବା ଓଡିଶାବାସୀଙ୍କୁ ବ୍ୟଥିତ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

nis-ad
Leave A Reply

Your email address will not be published.