ମୋଦୀ-ବାଇଡେନ୍ ବୈଠକ ପରେ ଦୁଇ ଦେଶ ଜାରି କଲେ ମିଳିତ ବିବୃତ୍ତି…

joe modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ମଧ୍ୟରେ ମଙ୍ଗଳବାର ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ସମ୍ପର୍କ ଓ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏହାପରେ ଦୁଇ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି।

ଜୁନ୍ 2023ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ ଆମେରିକା ଗସ୍ତ ଫଳରେ ହୋଇଥିବା କାର୍ଯ୍ୟାନ୍ୱୟନର ଅଗ୍ରଗତିକୁ ଦୁଇ ନେତା ପ୍ରଶଂସା କରିଥିଲେ। ପ୍ରତିରକ୍ଷା, ବାଣିଜ୍ୟ, ନିବେଶ, ଶିକ୍ଷା, ସ୍ୱାସ୍ଥ୍ୟ, ଗବେଷଣା, ନବସୃଜନ, ସଂସ୍କୃତି ଏବଂ ଜନ-ଜନ ସମ୍ପର୍କ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ଗତିକୁ ଉଭୟ ସ୍ୱାଗତ କରିଥିଲେ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3ର ସଫଳ ଅବତରଣ ପାଇଁ ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମହାକାଶରେ ଦୁଇ ଦେଶ ମଧ୍ୟରେ ନିବିଡ଼ ସହଯୋଗ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି।

ଦୁଇ ନେତା ୟୁକ୍ରେନ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସ୍ଥିତି ସମେତ ଅନେକ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ଭାରତ-ଆମେରିକା ସହଭାଗୀତା କେବଳ ଦୁଇ ଦେଶର ଲୋକମାନଙ୍କ ପାଇଁ ନୁହେଁ ବରଂ ବିଶ୍ୱ କଲ୍ୟାଣ ପାଇଁ ମଧ୍ୟ ଲାଭଦାୟକ ବୋଲି ସେମାନେ ସହମତ ହୋଇଥିଲେ।

ଭାରତର ଜି-20 ଅଧ୍ୟକ୍ଷତା ପଦର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ଆମେରିକା ଠାରୁ ନିରନ୍ତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗରେ ଏକାଠି ଆଲୋଚନା ଜାରି ରଖିବାକୁ ରାଜି ହୋଇଥିଲେ।

Post Views: 9

nis-ad
Leave A Reply

Your email address will not be published.