ନିଲମ୍ବନ ପରେ ମୁହଁ ଖୋଲିଲେ ମନ୍ମଥ; କହିଲେ, ‘ଭଲ ହେଲା

manm

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ ହେଲା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କହିଲେ, ‘ଦଳରୁ ବାହାର କରି କରି ଭଲ କଲେ । ମତେ ଆଗକୁ ଯିବା ପାଇଁ ରାସ୍ତା ଦେଖାଇ ଦେଲେ ।’

ଦଳରେ ଥାଇ ଦଳ ବିରୋଧୀ ମନ୍ତବ୍ୟ ଦେବା ପରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ନିଲମ୍ବିତ ହେବା ପରେ ମୁହଁ ଖୋଲିଛନ୍ତି ମନ୍ମଥ । କହିଛନ୍ତି ‘ଯାହା ବି ହେଲା ଭଲ ହେଲା । ମୋତେ ଆଉ ରେକ୍ଟିଫାଏ କରିବା ଦରକାର ନାହିଁ । ବାପାଙ୍କ ସହ ବସି ଏ ବିଷୟରେ ଆଉ କଥା ହେବା ବି ଦରକାର ନାହିଁ । ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି ।’

ଏଥିସହିତ କଂଗ୍ରେସ ଏବଂ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପରେ ବର୍ଷିଛନ୍ତି ମନ୍ମଥ । ସେ କହିଛନ୍ତି,  ‘ମୋ ବ୍ୟାକ୍‌ଗ୍ରାଉଣ୍ଡ ନଜାଣି ମୋତେ ପିସିସି ସଦସ୍ୟ କରିଥିଲେ । ମୁଁ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ, ଏକଥା ଭେରିଫାଏ କରିବାକଥା ।’

ମନ୍ମଥ କହିଛନ୍ତି, ମୋତେ ଦଳର ସଦସ୍ୟ କରିବା ଭୁଲ ଥିଲା । ଏବେ ଦଳରୁ ବାହାର କରି ଆଉ ଏକ ଭୁଲ କଲେ ।

ଅନ୍ୟପକ୍ଷେ ପୁଅର ନିଲମ୍ବନ ପରେ ମୁହଁ ଖୋଲିଛନ୍ତି ସୁର ରାଉତରାୟ ।  ପ୍ରତିକ୍ରିୟା ରଖି କହିଛନ୍ତି, ନିଲମ୍ବନକୁ ଆମେ ଗ୍ରହଣ କରୁଛୁ । ମୋ ପରିବାରରେ କିଛି ଗଣ୍ଡଗୋଳ ନାହିଁ । ଆଶାନ୍ତି ନାହିଁ। ସାନ ପୁଅ ତା ଚାକରୀରୁ ଇସ୍ତଫା ଦେବା ପରେ ଠିକ ନିଷ୍ପତ୍ତି ନେବ ।’

ଏପରିକି ତାଙ୍କ ପୁଅ ମନ୍ମଥ ଜଟଣିରୁ ଛିଡା ହେବ ଏବଂ  ଯେତେବେଳେ ସେ ଯାହା କହିବେ ତାଙ୍କ ପୁଅ ତାଙ୍କ କଥା ମାନିବେ ବୋଲି କହିଛନ୍ତି ସୁର ।

ସୂଚନାଥାଉ କି, ଦୁଇଦିନ ତଳେ  ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ଗଣମାଧ୍ୟମକୁ କହିଥିଲେ ସେ ୨୦୨୪ ନିର୍ବାଚନ ଲଢିବେ । କିନ୍ତୁ କଂଗ୍ରେସରୁ ନୁହେଁ । ତେବେ କେଉଁ ଦଳରୁ ଲଢିବେ ତାହା ସେ ଅକ୍ଟୋବରରେ ଘୋଷଣା କରିବେ । ପୁଅର ଏପରି ବକ୍ତବ୍ୟକୁ ସୁର ଖଣ୍ଡନ କରିଥିଲେ । କହିଥିଲେ, ’ସେ ଛୋଟ ପିଲା  ।  ରାଜନୀତିରେ ଅନଭିଜ୍ଞ । ତାକୁ କିଏ ସବୁ କ’ଣ କହୁଛନ୍ତି  ସେ ଜାଣି ପାରୁନି । ତେଣୁ ଏମିତି କହିଦେଲା ।’

ତେବେ ସେ  ତାଙ୍କ କଥା ଅମାନ୍ୟ କରିବେ ନାହିଁ ଏବଂ ଯେଉଁଠୁ କହିବେ ସେହିଠାରୁ ମନ୍ମଥ ଛିଡ଼ା ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ସୁର ।

ଯାହା ବି ହେଉ, କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ପରିବାରରେ ଏପରି ରାଜନୈତିକ ମତଭେଦ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

Post Views: 6

nis-ad
Leave A Reply

Your email address will not be published.