ପରଲୋକରେ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର…

rabi

ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ପରମ ଭକ୍ତ ଓ ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତାଙ୍କର ମୃତ୍ୟୁ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।

ସ୍ୱର୍ଗତ ମିଶ୍ର ଥିଲେ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାକ୍ତନ ପ୍ରଶାସକ। ସେ ‘ଆକାଶ ଦୀପ’ର ବିଶିଷ୍ଟ କଥାକାର ତଥା ଲୋକପ୍ରିୟ ସ୍ତମ୍ଭ ‘କଥାଟିଏ କହୁଁ’ର ସ୍ତମ୍ଭକାର ଥିଲେ। ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବିୟୋଗରେ ରାଜ୍ୟର ଧର୍ମ-ସଂସ୍କୃତି ପରିସରରେ ଶୋକ ଛାୟା ଖେଳିଯାଇଛି। ଶ୍ରୀ ମିଶ୍ରଙ୍କର ମହାପ୍ରଭୁଙ୍କ ନୀତିକାନ୍ତି ଓ ମନ୍ଦିରରେ ପ୍ରଚଳିତ ପ୍ରଥାପରମ୍ପରା ଉପରେ ଅଗାଧ ଜ୍ଞାନ ଥିଲା।

ସେ ଶ୍ରୀଜଗନ୍ନାଥଙ୍କୁ ନେଇ ତାଙ୍କର ଅନନ୍ୟ ଅନୁଭୂତି ଓ ସେବାର୍ଜିତ ଅଭିଜ୍ଞତା ଆଧାରିତ ବହୁ ରଚନା ପ୍ରସ୍ତୁତ କରିଛନ୍ତି। ଶ୍ରୀ ମିଶ୍ରଙ୍କ ଘର ଜଟଣୀ ନିକଟସ୍ଥ କୁଦିଆରୀ ଗ୍ରାମରେ। କୁଦିଆରୀ ହାଇସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଥିଲେ। ଏଠାରୁ ଅବସର ପରେ ସେ ଭୁବନେଶ୍ବରର ଭିଏସ୍‌ଏସ୍‌ ନଗରରେ ରହୁଥିଲେ। ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ ଖବର ପ୍ରଚାର ହେବା ମାତ୍ରେ ତାଙ୍କର ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ।


Post Views: 11

nis-ad
Leave A Reply

Your email address will not be published.