ସମସ୍ତ ସ୍କୁଲ-କଲେଜ, ବ୍ୟାଙ୍କ, ଅଫିସ ଇଣ୍ଟରନେଟ୍‌ ବନ୍ଦ, ୧୪୪ ଧାରା ଲାଗୁ

poli

ହରିୟାଣା ନୁହରେ ପୁଣିଥରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ ହେଉଛି । ହରିୟାଣା ସରକାର ଏବଂ ନୁହ ଜିଲ୍ଲା ପ୍ରଶାସନ ଯାତ୍ରାକୁ ମଞ୍ଜୁରୀ ଦେଇନାହିଁ । ନୁହ ବ୍ୟତୀତ ସୋନିପତ ଜିଲ୍ଲାରେ ୧୪୪ ଧାରା ଲାଗିଛି । ଏହା ସହିତ ନୁହର ସମସ୍ତ ସ୍କୁଲ-କଲେଜ, ବ୍ୟାଙ୍କ, ଅଫିସ ଇତ୍ୟାଦି ବନ୍ଦ ରଖିବାକୁ ଆଦେଶ ଜାରି କରାଯାଇଛି ।

ସରକାର ନୁହ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ ସେବା ମଧ୍ୟ ବନ୍ଦ ରଖିଛି । ସ୍ଥାନୀୟ ପୋଲିସ କିଛି ଲୋକଙ୍କୁ ନଲହଡ ମନ୍ଦିରକୁ ଯିବାକୁ ଦେଇଛନ୍ତି । ସେଠାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ବାହାର ଜିଲ୍ଲାରୁ ଲୋକଙ୍କୁ ଏଣ୍ଟ୍ରି ମିଳୁନାହିଁ । ତେବେ ଏଭଳି ଯାତ୍ରା ବାହାର ନକରିବା ପାଇଁ ସରକାର କଡ଼ା ଚେତାବନୀ ଦେବା ସହ ବିନା ଅନୁମତିରେ ଯାତ୍ରା କରାଗଲେ କଠୋର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି।

ପୋଲିସ ଡ୍ରୋନ୍ ମାଧ୍ୟମରେ ବିଭିନ୍ନ ଅଂଚଳ ଉପରେ ସତର୍କ ନଜର ରଖିଛି। କୌଣସି ବି ଗୋଷ୍ଠୀ ହିଂସା ଭିଆଇବାକୁ ଯୋଜନା କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। ନୁହ ସୀମା ସିଲ କରାଯିବା ସହ ପରିସ୍ଥିତି ଉପରେ ନଜର ରଖିବା ପାଇଁ ୫୦ରୁ ଅଧିକ ସ୍ବତନ୍ତ୍ର ପୋଲିସ ଟିମ୍ ନିୟୋଜିତ ହୋଇଛି।

ମିଡିଆକୁ କୌଣସି ଭିଡିଓ ପାଇଁ ଅନୁମତି ମିଳିନାହିଁ । କିନ୍ତୁ ସ୍ଥାନୀୟ ଲୋକ ପରିଚୟ ପତ୍ର ଦେବା ପରେ ମନ୍ଦିରକୁ ଯିବାକୁ ଅନୁମତି ମିଳିଛି । ନୁହ ସହରରେ ୨୫ରୁ ୩୦ ଜଣ ଲୋକ ଶ୍ରାବଣ ସୋମବାରରେ ଜଳାଭିଷେକ କରିବାକୁ ପହଞ୍ଚିଛନ୍ତି । କିନ୍ତୁ ମନ୍ଦିରର ୩ କିମି ପୂର୍ବରୁ ରାସ୍ତାକୁ ବନ୍ଦ କରିଦିଆଯାଇଛି । କୌଣସି ବାହାରର ବ୍ୟକ୍ତିଙ୍କୁ ଏଠାରେ ଏଣ୍ଟ୍ରି କରିବାକୁ ଅନୁମତି ନାହିଁ ।

ହରିୟାଣା, ରାଜସ୍ଥାନ ଏବଂ ୟୁପି ବର୍ଡରରେ ମଧ୍ୟରେ ଅଧିକ ସଂଖ୍ୟାରେ ପୋଲିସ କର୍ମୀ ଏବଂ ପାରାମିଲିଟାରୀ ଯବାନ ନିୟୋଜିତ ରହିଛନ୍ତି । ହରିୟାଣା ପୋଲିସ ଆକ୍ସନ ମୋଡରେ ରହିଛି । ଗୁରୁଗ୍ରାମ, ରେଓ୍ଵାଡି, ପଲବଲ, ଫରିଦାବାଦରେ ପୋଲିସ ସୀମାରେ ରୋକ ଲଗାଇଛି ।

ସୂଚନାଯୋଗ୍ୟ, ଗତ ୩୧ ଜୁଲାଇରେ ବ୍ରିଜମଣ୍ଡଳ ଯାତ୍ରା ସମୟରେ ହିଂସା ଏବଂ ଉତ୍ତେଜନା ଦେଖାଯାଇଥିଲା । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଥାନା ଏବଂ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରିଛନ୍ତି। ଏହି ବ୍ରିଜମଣ୍ଡଳ ଯାତ୍ରା ଗୁରୁଗ୍ରାମରୁ ଆରମ୍ଭ ହୋଇ ନୁହ ଯାଉଥିଲା। ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ଯାତ୍ରା ନୁହର ନଲହଡ଼ ମନ୍ଦିରରେ ପହଞ୍ଚିବା ପରେ ସେଠାରୁ ଫିରୋଜପୁର ଝିରକାର ଝିର୍‌ ମନ୍ଦିର ଯାଉଥିଲା।


Post Views: 7

nis-ad
Leave A Reply

Your email address will not be published.