ସୌମ୍ୟଙ୍କୁ ଅନୁଭବ ପଟ୍ଟନାୟକଙ୍କ ଚ୍ୟାଲେଞ୍ଜ: ପ୍ରମାଣ ଦେଲେ ରାଜନୀତି ଛାଡିଦେବି

anu sou

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। କିଛିଦିନର ବ୍ୟବଧାନ ପରେ ପୁଣି ଥରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ରାଜ୍ୟର ପ୍ରମୁଖ ଗଣମାଧ୍ୟମଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମରେ ସୌମ୍ୟରଞ୍ଜନଙ୍କ ଆମ ଘରର ହାଲଚାଲ, ଅନୁଚିନ୍ତାକୁ ନେଇ ଜାରି ରହିଛି ଆଲୋଚନା।

ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଆଲେଖ୍ୟରେ ସିଧା ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, “ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ବେଳେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲୋକଙ୍କୁ ଆହ୍ବାନ କରିଛନ୍ତି। ଏହା ଜଣେ ପ୍ରଶାସକ ହିସାବରେ କହିବା ଠିକ ନୁହେଁ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ହେଲେ ତାହା ପାଣ୍ଡିଆନ କିପରି କହୁଛନ୍ତି।”

ସୌମ୍ୟ ପଟ୍ଟନାୟକଙ୍କ ଲେଖାକୁ ନେଇ ବିଜେଡି ନେତା ଅନୁଭବ ପଟ୍ଟନାୟକ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୌମ୍ୟରଞ୍ଜନଙ୍କ ଏହି ଲେଖାକୁ କଡା ସମାଲୋଚନା କରିଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ। ସେ ସୌମ୍ୟରଞ୍ଜନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ ତାଙ୍କ ଟୁଇଟରରେ ସୌମ୍ୟରଞ୍ଜନଙ୍କ ଉଲ୍ଲେଖରେ ଲେଖିଛନ୍ତି, “୧୫ ଦିନ ପରେ ଆପଣ ନିଜ ଖବରକାଗଜରେ ପୁଣିଥରେ ଏକ ଲେଖା ଲେଖିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଆପଣ ଅତ୍ୟଧିକ ନିରାଶ ଏବଂ ହତାସ ହୋଇ ପଡିଛନ୍ତି।”

ଅନୁଭବ ପୁଣି ଲେଖିଛନ୍ତି, “ମୁଁ ଆପଣଙ୍କୁ ୧୨ ଘଣ୍ଟା ସମୟ ଦେଉଛି, ଆପଣ କୁହନ୍ତୁ ୫-ଟି ସଚିବ କେଉଁ ସଭାରେ କହିଛନ୍ତି କି ଆମେ ନବୀନବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା। ଯଦି ସତରେ କୁହାଯାଇଛି ତେବେ ତଥ୍ୟ ଦିଅନ୍ତୁ। ଯଦି ଆପଣ ପ୍ରମାଣ କରିଦେବେ, ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି। ଆଉ ଯଦି ପ୍ରମାଣ କରିପାରିବେନି ତାହେଲେ ଆପଣ ମିଛ କହିଛନ୍ତି।”

ଅନ୍ୟପଟେ ପାଣ୍ଡିଆନଙ୍କୁ ସୌମ୍ୟଙ୍କ ସମାଲୋଚନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, “ଲାଗୁଛି ସୌମ୍ୟ ବାବୁ ଠିକ୍ ବାଟରେ ବିଜେଡିକୁ ନେବାକୁ ଚାହୁଁଛନ୍ତି। ସରକାରୀ କଳ ବ୍ୟବହାର କରି ସଚିବ ସ୍ତରର କର୍ମଚାରୀ ନିଜକୁ ଲଞ୍ଚ କରୁଛନ୍ତି। ସେ ଆଜି ନହେଲେ କାଲି ରାଜନୀତିକୁ ଯିବେ। ସେଥିପାଇଁ ସରକାରୀ ଟଙ୍କାରେ ସେ ନିଜକୁ ଲଞ୍ଚ୍‌ କରାଉଛନ୍ତି। ସାଢ଼େ ୪ କୋଟି ଲୋକ ତାହା ବୁଝି ସାରିଲେଣି।” ଦୀର୍ଘ ଦିନ ହେବ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଅନୁଭବ ପଟ୍ଟନାୟକଙ୍କ ମଧ୍ୟରେ ଏପରି ଜବାବ ପ୍ରତିଜବାବକୁ ନେଇ ଓଡିଶା ରାଜନୀତିରେ ସରଗରମ ହୋଇଉଠିଛି।


Post Views: 6

nis-ad
Leave A Reply

Your email address will not be published.