ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ଜୋହାନ୍ସବର୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ…

modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୨-୨୪ ଯାଏ ଚାଲିବାକୁ ଥିବା ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମଙ୍ଗଳବାର ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ ଚଳିତ ବର୍ଷ ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି: ବ୍ରିକ୍ସ ଏବଂ ଆଫ୍ରିକା: ପାରସ୍ପରିକ ବିକାଶ, ନିରନ୍ତର ବିକାଶ ଏବଂ ସମାବେଶୀ ବହୁପକ୍ଷବାଦ ପାଇଁ ଭାଗିଦାରୀ। କୋଭିଡ-୧୯ ମହାମାରୀ କାରଣରୁ ଲଗାତାର ତିନି ବର୍ଷ ଧରି ଭର୍ଚୁଆଲ ବୈଠକ ପରେ ଏହା ହେଉଛି ପ୍ରଥମ ବ୍ୟକ୍ତିଗତ ବ୍ରିକ୍ସ ସମ୍ମିଳନୀ।

ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ, ଭାରତର ଏକ ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ବ୍ୟବସାୟିକ ବୈଠକ ଏବଂ ବ୍ରିକ୍ସ ବ୍ୟବସାୟିକ ପରିଷଦ ବୈଠକରେ ଯୋଗଦେବେ ବୋଲି କ୍ୱାତ୍ରା କହିଛନ୍ତି।

ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକର ସମ୍ଭାବନା ବିଷୟରେ ପଚରାଯିବାରୁ କ୍ବାତ୍ରା କହିଛନ୍ତି ଯେ ବ୍ରିକ୍ସ ସଦସ୍ୟଙ୍କ ବ୍ୟତୀତ ଆୟୋଜକ ଦେଶ ବହୁ ସଂଖ୍ୟାରେ ଅତିଥି ଦେଶକୁ ନିମନ୍ତ୍ରଣ କରିଛି।

ଦକ୍ଷିଣ ଆଫ୍ରିକାରେ ଉପସ୍ଥିତ ଥିବା ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ବ୍ରିକ୍ସ-ଆଫ୍ରିକା ଆଉଟରିଚ୍ ଆଣ୍ଡ୍ ବ୍ରିକ୍ସ ପ୍ଲସ୍ ଡାଏଲଗ୍’ ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ବ୍ରିକ୍ସ ଶିଖର ସମ୍ମିଳନୀ ପରେ ଏହାର ଆୟୋଜନ କରାଯାଉଛି ଏବଂ ଏଥିରେ ଦକ୍ଷିଣ ଆଫ୍ରିକା ଦ୍ୱାରା ନିମନ୍ତ୍ରିତ ୧୦ରୁ ଅଧିକ ଦେଶ ସାମିଲ ହେବେ, ମୁଖ୍ୟତଃ ଆଫ୍ରିକୀୟ ମହାଦେଶରୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ତୃତୀୟ ଦକ୍ଷିଣ ଆଫ୍ରିକା ଗସ୍ତ ଏବଂ ଏହି ଗସ୍ତରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କୂଟନୈତିକ ସମ୍ପର୍କର ୩୦ ବର୍ଷ ପୂର୍ତ୍ତି ହେବ।

ଜୋହାନ୍ସବର୍ଗରେ ନିଜର କାର୍ଯ୍ୟକ୍ରମ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ କିରିଆକୋସ ମିଟସୋଟାକିସଙ୍କ ନିମନ୍ତ୍ରଣ କ୍ରମେ ଅଗଷ୍ଟ ୨୫ରେ ଗ୍ରୀସକୁ ସରକାରୀ ଗସ୍ତ କରିବେ।

ଏହି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗଦେବେ। ତେବେ ୟୁକ୍ରେନରେ ଚାଲିଥିବା ବିବାଦକୁ ନେଇ ଦକ୍ଷିଣ ଆଫ୍ରିକା ସଦସ୍ୟ ଥିବା ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) କ୍ରେମଲିନ ନେତାଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କରିଥିବାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଗସ୍ତ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।


Post Views: 7

nis-ad
Leave A Reply

Your email address will not be published.