‘ଅଧିକାର ନମିଳିବା ଯାଏ ରାସ୍ତାରୁ ହଟିବୁ ନାହିଁ’-ଶିକ୍ଷକଙ୍କ ଗର୍ଜନରେ କମ୍ପିଲା ଗାନ୍ଧୀମାର୍ଗ…

ଭୁବନେଶ୍ୱର:  ଗାନ୍ଧୀମାର୍ଗ ଆଜି ଜନ ସମୁଦ୍ର ପାଲଟି ଯାଇଥିଲା । ଖରା ବର୍ଷାକୁ ଖାତିରି ନକରି ହଜାର ହଜାର ଶିକ୍ଷୟିତ୍ରୀ, ଶିକ୍ଷକ ଓ
ଶିକ୍ଷାକର୍ମଚାରୀ ବିଦ୍ୟାଳୟ ଛାଡ଼ି ସମଗ୍ର ଓଡ଼ିଶାରୁ ଧାଇଁ ଆସିଛନ୍ତି । କାହା ପାଖରେ କ୍ରୋଧ, କାହାର ବୁକୁରେ କୋହ, ଆଉ କାହାର ସରକାରଙ୍କ ପ୍ରତି ଥିବା ଅସନ୍ତୋଷ ଆଜି ସମାବେଶରେ ପ୍ରତିଫଳିତ ହୋଇଥିଲା । ‘ତାଙ୍କ ବେଳକୁ ସବୁ ଅଛି ଆମ ବେଳକୁ ନାହିଁ ନାହିଁ – ଏଭଳି ପ୍ରତାରଣା ଆଉ ସହିବୁ ନାହିଁ । ହକ୍ ନମିଳିବା ଯାଏ ରାସ୍ତାରୁ ହଟିବୁ ନାହିଁ ବୋଲି ଜିଦରେ ଧାରଣା ଦେଇଥିଲେ ।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ବାନ କ୍ରମେ ଆଜି ସମଗ୍ର ଓଡ଼ିଶାରୁ ୫୦ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମବେତ ହୋଇଥିଲେ ଗାନ୍ଧୀମାର୍ଗରେ । ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ବିରାଟ ପଟୁଆରରେ ଆସି ଶିକ୍ଷକମାନେ ଗାନ୍ଧୀମାର୍ଗରେ ଏକତ୍ରିତ ହେବା ପରେ ଦିବସ ବ୍ୟାପୀ ପ୍ରତିବାଦ ସଭା ଚାଲିଥିଲା । ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି,  ସରକାର ବାରମ୍ବାର ଠକି ଚାଲିଛନ୍ତି । ବାରମ୍ବାର
ପ୍ରତିଶ୍ରୁତି ଦେଇ ରକ୍ଷା କରିନାହାଁନ୍ତି । ଏପରିକି ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଯାହା କହିଥିଲେ ତାଙ୍କ କଥା ରଖୁ ନାହାଁନ୍ତି । ଯେତେ ଅଭିଯୋଗ, ଆପରି କଲେ ମଧ୍ୟ କେହି ଶୁଣୁନାହାଁନ୍ତି । ଆଲୋଚନା ବାରମ୍ବାର ବିଫଳ ହେଉଛି । ସେଥିପାଇଁ ଏ ମହାସମାବେଶ।

ନିଷ୍ପତ୍ତି କରିଛୁ ପ୍ରଥମେ ୩ଦିନ ରାସ୍ତାରେ ଅହୋରାତ୍ର ରହିବୁ । ତା’ପରେ ବି ଯଦି ସରକାର ଉଦାସୀନ ରୁହନ୍ତି ତେବେ ଚରମ ନିଷ୍ପତି ନେବାକୁ ବାଧ୍ୟ ହେବୁ । ଆବଶ୍ୟକ ହେଲେ ଓଡ଼ିଶାର ସମସ୍ତ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ । ନିଜର ଉତ୍ତରଦାୟିତ୍ୱ ପାଳନ କରିବା ପାଇଁ ହୁଏତ ଖୋଲା ପଡ଼ିଆରେ କିମ୍ବା ଗଛତଳେ ଆମେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବୁ । କିନ୍ତୁ ବିଦ୍ୟାଳୟ ଯିବୁ ନାହିଁ । ସରକାର ତାଙ୍କର ଉତ୍ତରଦାୟିତ୍ଵ
ପାଳନ କରନ୍ତୁ ବୋଲି ଦାବି କରିଥିଲା ଓଷ୍ଟା ।

ସଂଘର ଦାବିଗୁଡିକ ହେଲା,  ଅନୁଦାନରୁ ବାଦ ପଡ଼ିଥିବା ବିଦ୍ୟାଳୟଗୁଡ଼ିକୁ ଅନୁଦାନ  ଦିଅନ୍ତୁ, ସପ୍ତମ ବେତନ କମିଶନ ଲାଗୁ କରନ୍ତୁ,  ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ  ପେନ୍‌ସନ ବ୍ୟବସ୍ଥା କରନ୍ତୁ ଓ ଚାକିରି ସର୍ଭାବଳୀ ଲାଗୁକରନ୍ତୁ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରନ୍ତୁ, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିରିକ ଶିକ୍ଷକଙ୍କୁ ୬ଟି ନାସ୍‌ନାଲ ଇନକ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରନ୍ତୁ, ୨୮୦୦, ୨୨୦୦, ୧୯୦୦ ଗ୍ରେଡ୍‌ ପେ ରେ ଥିବା ଅସଙ୍ଗତି ଦୂର କରିବା ସହିତ ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଶିକ୍ଷକ ଏବଂ ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି ସ୍କେଲ୍‌ ପ୍ରଦାନ କରନ୍ତୁ । ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା ସହିତ ସମସ୍ତ ବର୍ଗର ଶିକ୍ଷକ କର୍ମଚାରୀମାନଙ୍କର ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରନ୍ତୁ । ନୂତନ ପେନ୍‌ସନ୍‌ ବ୍ୟବସ୍ଥା ବ୍ୟତିରେକ ପୁରାତନ ପେନ୍‌ସନ୍ ବ୍ୟବସ୍ଥା ପ୍ରଚଳନ କରନ୍ତୁ ।

ଏହି ସଭାରେ ସଭାପତିତ୍ବ କରି  ସଂଘର ସଭାପତି ଅକ୍ଷୟ କୁମାର ମିଶ୍ର  କହିଥିଲେ,  ଆନ୍ଦୋଳନ ନକଲେ ଏ ରାଜ୍ୟରେ କିଛି ହେଉନାହିଁ । କେବଳ
ବିଧାୟକ ଓ ମନ୍ତ୍ରୀମାନଙ୍କର ଦରମା ଓ ପେନ୍‌ସନ୍‌ ବୃଦ୍ଧି ବିନା ଆନ୍ଦୋଳନରେ ହେଉଛି । କିନ୍ତୁ ଯେଉଁ ଶିକ୍ଷକମାନେ ଏମାନଙ୍କୁ ତିଆରି କରି ବିଧାନସଭା ଭିତରକୁ ପଠାଇଛନ୍ତି ସେମାନଙ୍କର ଅସୁବିଧା ହେଲେ ତାଙ୍କ ଦ୍ବାରସ୍ଥ ହୋଇ କାକୁତିମିନତୀ ହେବାକୁ ପଡ଼ୁଛି । ଏହି ବିଚିତ୍ର ଧାରାକୁ ଭାଙ୍ଗିବୁ । ଆଜି ଆନ୍ଦୋଳନର ଅୟମାରମ୍ଭ ।  ଦାବୀ ପୂରଣ ନହେଲେ ପୂରାତନ ଛାତ୍ର ତଥା ଅଭିଭାବକଙ୍କୁ ଏକତ୍ରିତ କରିବୁ, ଗାଆଁ
ଗାଆଁରେ, ସବୁ ପଞ୍ଚାୟତରେ, ସମସ୍ତ ଶିକ୍ଷାଧିକାରୀ ଅଫିସ୍ ଓ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ କରିବୁ । କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ସେ କହିଥିଲେ ।

nis-ad
Leave A Reply

Your email address will not be published.