ନୂତନ ଜୀବିକାର ବାଟ ଦେଖାଇଲା ବନ ସୁରକ୍ଷା ସମିତିର ଆଳୁଚାଷ…


ଟନ ଟନ ଆଳୁ ଉତ୍ପାଦନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ସ୍ବାବଲମ୍ବୀ ହେଲେ ବନ ସୁରକ୍ଷା ସମିତି ସଦସ୍ୟ
୧୨୫ ଏକର ଜମିରେ ଆଳୁଚାଷ କରୁଛନ୍ତି ୫୫୬ ବନ ସୁରକ୍ଷା ସମିତି ସଦସ୍ୟ
୨୫୦୦ କ୍ଵିଣ୍ଟାଲ ଉତ୍ପାଦନ କଲେଣି, ଆହୁରି ହେବ ୫୦୦ କ୍ଵିଣ୍ଟାଲ
ସୁନ୍ଦରଗଡ : ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ମାଧ୍ୟମରେ ଆନ୍ତଃ ବିଭାଗୀୟ ସଂଯୋଗୀକରଣ ଦ୍ଵାରା ଆଳୁଚାଷ କରି ଏକ ସ୍ଥାୟୀ ଜୀବିକା ପାଇବାରେ ସମର୍ଥ ହୋଇଛନ୍ତି ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର ୫୫୬ ଟି ପରିବାର। ସୁନ୍ଦରଗଡ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ତଥା ଏଠିକାର ଲୋକଙ୍କ ଦୈନନ୍ଦିନ ଖାଦ୍ୟଥ୍ୟାଳିର ସବୁଠାରୁ ପ୍ରମୁଖ ପରିବା ହେଉଛି ଆଳୁ। ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ କି ଧନୀ କି ଗରିବ ସମସ୍ତଙ୍କ ଦୈନନ୍ଦିନ ଖାଦ୍ଯରେ ଆଳୁର ଆବଶ୍ୟକତା ଓ ଚାହିଦା ବହୁତ ବେଶୀ। ଆଳୁଚାଷ ଏକ ଲାଭଜନକ ବ୍ୟବସାୟ ହୋଇଥିବା ସତ୍ତ୍ୱେ ସଚେତନତାର ଅଭାବ, ବିହନ ଓ ସାର ନିମନ୍ତେ ଅର୍ଥର ଅଭାବ, ଚାଷୀଙ୍କୁ ଉଚିତ ପ୍ରଶିକ୍ଷଣର ଅଭାବ ଯୋଗୁଁ ଅଧିକାଂଶ ଆଦିବାସୀ ଚାଷୀ ଏଥିନିମନ୍ତେ ଅନିଚ୍ଛା ପ୍ରକାଶ କରିଥାନ୍ତି। ଏହି ସମୟରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ବନ ସୁରକ୍ଷା ସମିତି ସଦସ୍ୟ/ସଦସ୍ୟାଙ୍କ ଆଳୁ ଚାଷ ଗରିବ

ଆଦିବାସୀ ଚାଷୀଙ୍କ ମୁହଁରେ ସଫଳତାର ହସ ଫୁଟାଇବା ସଙ୍ଗେ ସଙ୍ଗେ ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସହାୟକ ହୋଇଛି। ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର ଆନ୍ତଃ ବିଭାଗୀୟ ସଂଯୋଗୀକରଣ ଦ୍ଵାରା ୨୦ ଟି ବନ ସୁରକ୍ଷା ସମିତିର ୫୫୬ ଜଣ ସଭ୍ଯ/ସଭ୍ୟା ଆଳୁଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ସ୍ଥାୟୀ ଜୀବିକାର ଏକ ନୂତନ ରାହା ପାଇବାରେ ସମର୍ଥ ହୋଇଛନ୍ତି। ସହଯୋଗୀ ଅନୁଷ୍ଠାନ ରୂପେ କାର୍ଯ୍ୟରତ ସେବକର କର୍ମକର୍ତ୍ତାଙ୍କ ନିରନ୍ତର ପ୍ରୟାସ ତଥା ବିଭାଗୀୟ ଅଧିକାରୀଙ୍କ ସହଯୋଗ ଦ୍ଵାରା ଗତ ରବି ଋତୁରେ ଆଦିବାସୀ ଉନ୍ନୟନ ସଂସ୍ଥା ସୁନ୍ଦରଗଡ ସହାୟତାରେ ୨୦ ଟି ବନ ସୁରକ୍ଷା ସମିତିର ୫୪୦ ଜଣ ଚାଷୀ ୧୧୭ ଏକରରେ ଓ ଉଦ୍ୟାନ ବିଭାଗର ସହାୟତାରେ ୨ଟି ବନ ସୁରକ୍ଷା ସମିତିର ୧୬ ଜଣ ଚାଷୀ ୮ ଏକର ଜମିରେ ଆଳୁଚାଷ କରି ଏ ପର୍ଯ୍ୟନ୍ତ ୨୫୦୦ କ୍ଵିଣ୍ଟାଲରୁ ଉର୍ଦ୍ଧ ଆଳୁ ଅମଳ ସାରିଥିବା ବେଳେ ତଥ୍ୟ ସଂଗ୍ରହ ବାକି ଥିବାରୁ ଆହୁରି ୫୦୦ କ୍ଵିଣ୍ଟାଲରୁ ଉର୍ଦ୍ଧ ଅମଳର ରିପୋର୍ଟ ସଂଗ୍ରହ ବାକି ରହିଛି ବୋଲି ସୂଚନା ଦେଇଛନ୍ତି ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ। ଏଥି ସହିତ ଚାଷୀଙ୍କ ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ଯରେ ବିକ୍ରି ନିମନ୍ତେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକ ଦ୍ଵାରା ପରିଚାଳିତ ‘ବସୁଧା କୃଷି ଉତ୍ପାଦକ କମ୍ପାନୀ’ ଓ ‘ଛେଦଳଗନ କୃଷି ଉତ୍ପାଦକ କମ୍ପାନୀ’ କୁ ସାମିଲ କରାଯାଇଛି। ଚଳିତ ବର୍ଷ ଧାନ ଚାଷରେ ଚାଷୀକୁଳ ମରୁଡ଼ିର ସମ୍ମୁଖୀନ

ହୋଇଥିବାବେଳେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଏହି ଏକାଭିମୁଖୀତା କାର୍ଯ୍ୟକ୍ରମ ଗରିବ ଆଦିବାସୀ ଚାଷୀଙ୍କ ମୁହଁରେ ହସ ଫୁଟାଇବା ସଙ୍ଗେ ସଙ୍ଗେ ଏକ ନୂତନ ଜୀବିକାର ସନ୍ଧାନ ଦେଇଛି ବୋଲି କଟ୍ରା-ବୁଡାବାହାଲ ବନ ସୁରକ୍ଷା ସମିତିର ବରିଷ୍ଠ ଚାଷୀ ଗୋପାଳ ଭୋଇ କହନ୍ତି। ଗତବର୍ଷ ଏହି ଆଳୁ ଚାଷରୁ ୫ ଜଣ ଚାଷୀ ଲକ୍ଷପତି ହୋଇଥିବାବେଳେ ଏହି ବର୍ଷ ୨୦ ଜଣରୁ ଉର୍ଦ୍ଧ ଚାଷୀ ଲକ୍ଷାଧିକ ଟଙ୍କା ରୋଜଗାର କରିବାର ଆଶା ରହିଛି। ଶହ ଶହ କ୍ଵିଣ୍ଟାଲ ଆଳୁ ଅମଳ କରି ଜଙ୍ଗଲ ଉପରେ ନିର୍ଭର କରୁଥିବା ଅଧିବାସୀ, ପାରମ୍ପରିକ ବନବାସୀ ମାନେ ଜୀବିକାର ଏକ ନୂତନ ବାଟ ପାଇ ପାରିଛନ୍ତି। ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ର ଆନ୍ତଃ ବିଭାଗୀୟ ସଂଯୋଗୀକରଣ ଦ୍ଵାରା ସୁନ୍ଦରଗଡ ବନଖଣ୍ଡରେ ହଜାର ହଜାର ପରିବାର ଉପକୃତ ହେଉଥିବାବେଳେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ନୂତନ ଜଙ୍ଗଲ ସୁରକ୍ଷା ତଥା ବିଭିନ୍ନ ଆୟଭିତ୍ତିକ କାର୍ଯ୍ୟକ୍ରମ ଦ୍ଵାରା ଜଙ୍ଗଲ ଉପରେ ନିର୍ଭରଶୀଳତା ଅନେକାଂଶରେ କମିଛି ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ।
ବିଶ୍ବରଂଜନ ହୋତା
ସୁନ୍ଦରଗଡ

nis-ad
Leave A Reply

Your email address will not be published.