ବିବିଧତାରେ ରହିଛି ଭାରତର ସାମର୍ଥ୍ୟ: ‘ମନ୍‌ କୀ ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିବିଧତାରେ ଭାରତର ସାମର୍ଥ୍ୟ ରହିଛି ବୋଲି ଆଜି ‘ମନ୍‌ କୀ ବାତ୍‌’ର ୧୦୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ଦିନ ପୂର୍ବେ ବାରାଣସୀରେ କାଶୀ-ତେଲୁଗୁ ସଙ୍ଗମନମ୍‌ ଅନୁଷ୍ଠିତ ହୋଇଥିଲା। ଭାରତର ସାମର୍ଥ୍ୟ ରହିଛି ତା’ର ବିବିଧତାରେ। ଦେଶରେ ଅନେକ କିଛି ଦେଖିବାକୁ ରହିଛି। ଏଥିପ୍ରତି ଦୃଷ୍ଟି ଦେଇ ‘ଏକ ଭାରତ, ଶ୍ରେଷ୍ଠ ଭାରତ’କୁ ସାମର୍ଥ୍ୟ ଦେବା ପାଇଁ ଶିକ୍ଷାମନ୍ତ୍ରାଳୟ ‘ଯୁବସଙ୍ଗମ’ ନାମରେ ଚମତ୍କାର ଉଦ୍ୟମ ଆରମ୍ଭ କରିଛି। ଏହାର ପ୍ରଥମ ପର୍ଯ୍ୟାୟରେ ୧୨୦୦ ଯୁବା ଦେଶର ୨୨ଟି ରାଜ୍ୟ ଗସ୍ତ କରିଥିଲେ। ଏଥିରେ ଭାଗ ନେଇଥିବା ସମସ୍ତ ଯୁବାଙ୍କ ସ୍ମୃତିରେ ଏଭଳି କଥା ନେଇ‌ ଫେରିଛନ୍ତି, ଯାହା ସାରା ଜୀବନ ପାଇଁ ସେମାନଙ୍କ ହୃଦୟରେ ରହିଥିବ।
କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ, ଆଜିର ‘ମନ୍‌ କୀ ବାତ୍‌’ ସଂସ୍କରଣ ଦ୍ବିତୀୟ ଶତକ ପରି ମନେହେଉଛି। ଗତ ଏପ୍ରିଲ୍‌ ମାସରେ ଏହାର ୧୦୦ତମ ସଂସ୍କରଣ ପ୍ରସାରିତ ହୋଇଥିଲା। ‘ମନ୍‌ କୀ ବାତ୍‌’ର ୧୦୦ତମ ସଂସ୍କରଣ ଶୁଣିବା ଲାଗି ବହୁସଂଖ୍ୟକ ଲୋକ ସମୟ ଦେଇଥିଲେ।ଏହି କାର୍ଯ୍ୟକ୍ରମର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ଆପଣମାନଙ୍କର ଅଂଶ ଗ୍ରହଣ।
‘ମନ୍‌ କୀ ବାତ୍‌’ ପ୍ରତି ଲୋକମାନଙ୍କର ଶ୍ରଦ୍ଧା ଅଭୂତପୂର୍ବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଓ ବିଦେଶରେ ଥିବା ଲୋକମାନେ ‘ମନ୍‌ କୀ ବାତ୍‌’ ସମ୍ପର୍କରେ ସେମାନଙ୍କର ମତାମତ ଦେଇଛନ୍ତି। ଅନେକ ଲୋକ ଗଠନମୂଳକ ବିଶ୍ଳେଷଣ ବି ଦେଇଛନ୍ତି। ଜଣେ ୧୦୦ ବର୍ଷୀୟ ବୃଦ୍ଧା ମାତୃତୁଲ୍ୟ ଆଶୀର୍ବାଦ ଦେଉଥିବା ଦୃଶ୍ୟ ହଜାର ହଜାର ମାଇଲ୍‌ ଦୂର ନିଉଜିଲାଣ୍ଡ୍‌ରୁ ଉତ୍ତୋଳିତ ଏକ ଭିଡିଓରେ ଦେଖିଛି।
ଅଳ୍ପ ଦିନ ତଳେ ମୁଁ ଜାପାନର ହିରୋସିମାକୁ ଯାଇଥିଲି। ସେଠାରେ ମୁଁ ‘ହିରୋସିମା ଶାନ୍ତି ସ୍ମାରକୀ ସଂଗ୍ରହାଳୟ’ ଦେଖିଲି। ବେଳେ ବେଳେ ଆମେ ସଂଗ୍ରହାଳୟରୁ ନୂଆ ଶିକ୍ଷା ପାଉ, ବହୁତ କିଛି ଜାଣୁ। ଅଳ୍ପ ଦିନ ତଳେ ଭାରତରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମ୍ୟୁଜିୟମ୍‌ ଏକ୍‌ସ୍ପୋ ଆୟୋଜିତ ହୋଇଥିଲା। ଏଥିରେ ବିଶ୍ବର ୧୨୦୦ ଅଧିକ ସଂଗ୍ରହାଳୟର ବିଶେଷତା ବର୍ଣ୍ଣିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି, ଆମ ଦେଶରେ ବି ଅନେକ ପ୍ରକାରର ସଂଗ୍ରହାଳୟ ରହିଛି। ଗୁରୁଗ୍ରାମରେ ‘ମୁସେଓ କ୍ୟାମେରା’ ନାଁରେ ଗୋଟାଏ ଅଭିନବ ସଂଗ୍ରହାଳୟ ରହିଛି। ଏଥିରେ ୧୮୬୦ ମସିହା ପରର ୮ ହଜାରରୁ ଅଧିକ କ୍ୟାମେରା ରହିଛି। ଦିବ୍ୟାଙ୍ଗ ଜନତାଙ୍କ ପ୍ରତି ଧ୍ୟାନ ଦେଇ ତାମିଲ୍‌ନାଡୁରେ ‘ମ୍ୟୁଜିୟମ୍‌ ଅଫ୍‌ ପସିବିଲିଟିଜ୍‌’ ଡିଜାଇନ୍‌ କରାଯାଇଛି। ଦେଶର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଉତ୍ସର୍ଗୀକୃତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଆଜି ‌ଦିଲ୍ଲୀର ଶୋଭା ବଢ଼ାଉଛି। ଅନୁରୋଧ ସୁଯୋଗ ପାଇଲେ ଆପଣମାନେ ଦେଶରେ ଥିବା ଏହି ସଂଗ୍ରହାଳୟ ଦେଖିବାକୁ ଯିବେ। ସେଠାରୁ ଉଠାଇଥିବା ଚିତାର୍କଷକ ଫଟୋ ସବୁକୁ ‘ହାସ୍‌ଟ୍ୟାଗ୍‌ ମ୍ୟୁଜିୟମ୍‌ ମେମୋରିରେ’ ସେୟାର୍‌ କରିବେ ନିଶ୍ଚୟ। ଏହା ଆମ୍ଭମାନଙ୍କୁ ଆମ ଗୌରବମୟ ସଂସ୍କୃତି ସହିତ ଆହୁରି ନିବିଡ଼ କରିବ। ଦିଲ୍ଲୀସ୍ଥିତ ‘ଜାତୀୟ ଯୁଦ୍ଧ ସ୍ମାରକୀ’ ଏବଂ ‘ପୁଲିସ ସ୍ମାରକୀ’କୁ ଦୈନିକ ଅନେକ ଲୋକ ସହିଦମାନଙ୍କ ପ୍ରତି ସମ୍ମାନ ଜଣାଇବାକୁ ଆସୁଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଜଳ ବିନା ସବୁ ଅସାର ବୋଲି ଆମେ ଶୁଣି ଆସୁଛନ୍ତି। ଜଳ ବିହୁନେ ଜୀବନ ସଙ୍କଟରେ ପଡ଼େ। ବ୍ୟକ୍ତି ଓ ଦେଶର ବିକାଶ ସ୍ଥାଣୁ ପାଲଟିଯାଏ। ଭବିଷ୍ୟତରେ ଜଳ ସଙ୍କଟ ଏଡ଼ାଇବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ଖୋଳାଯାଉଛି। ଜଳ ସଂରକ୍ଷଣ ନିମନ୍ତେ ସମଗ୍ର ଦେଶରେ ଅଭିନବ ଓ ପ୍ରେରଣାଦାୟୀ ପଦକ୍ଷେପ ସବୁ ଦେଖିବାକୁ ମିଳୁଛି। ‘ସ୍ବାଧୀନତାର ଅମୃତ ବେଳା’ରେ ଖୋଳା ଯାଇଥିବାରୁ ଆମ ‘ଅମୃତ ସରୋବର’ ସବୁ ବିଶେଷତ୍ବ ବହନ କରନ୍ତି। କାରଣ ଏଥିରେ ଲୋକମାନଙ୍କ ଉଦ୍ୟମର ନିର୍ଯ୍ୟାସ ନିହିତ କରାଯାଇଛି।

nis-ad
Leave A Reply

Your email address will not be published.