ରାଷ୍ଟ୍ରପତିଙ୍କୁ ଯଦି ଏତେ ଭଲ ପାଉଥିଲ, ତେବେ କାହିଁକି…..ପ୍ରଶ୍ନ କଲେ ଗୁଲାମନବୀ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ | ତେବେ କଂଗ୍ରେସ ସମେତ ଆଉ କିଛି ବିରୋଧୀ ଦଳ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି | ସେମାନେ କହିଛନ୍ତି ଯେ ନୂତନ ସଂସଦ ଭବନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବାର ଥିଲା | ତେବେ କଂଗ୍ରେସର ଏହି ଯୁକ୍ତିକୁ ବିରୋଧ କରିଛନ୍ତି କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ | ଗୁଲାମ ନବୀ ଆଜାଦ କହିଛନ୍ତି, ବିରୋଧୀ ଦଳ କାହିଁକି ଏହାକୁ ବିରୋଧ କରୁଛନ୍ତି, ମୁଁ ବୁଝିପାରୁନାହିଁ | ଯେତେବେଳେ ଦେଶ ଏକ ନୂତନ ସଂସଦ ପାଇବାକୁ ଯାଉଛି, ସେମାନେ ଖୁସି ହେବା ଉଚିତ। ଗୁଲାମ କହିଛନ୍ତି, ଯଦି ମୁଁ ଦିଲ୍ଲୀରେ ଥାଆନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ନୂତନ ସଂସଦ ଗୃହର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥା’ନ୍ତି। ରେକର୍ଡ ସମୟ ଭିତରେ ଏକ ନୂତନ ସଂସଦ ଭବନ ନିର୍ମାଣ ହୋଇଥିବାରୁ ବିରୋଧୀମାନେ ସରକାରଙ୍କୁ ପ୍ରଶଂସା କରିବା ଉଚିତ୍, କିନ୍ତୁ ପ୍ରଶଂସା ନ କରି ସେମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି। ବିରୋଧୀ ଦଳ ଏଥିରେ ଯୋଗ ନ ଦେବାକୁ ମୁଁ ଦୃଢ ଭାବେ ବିରୋଧ କରୁଛି।
ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଯେତେବେଳେ ସେ ନରସିଂହ ରାଓଙ୍କ ସରକାରରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ଥିଲେ, ସେତେବେଳେ ସେ ଏକ ନୂତନ ସଂସଦ ଭବନ ଗଠନ କରିବାର ସ୍ୱପ୍ନ ଦେଖିଥିଲେ। ସେ କହିଛନ୍ତି ମୁଁ ଏକ ନୂତନ ସଂସଦ ଭବନ ଗଠନ ବିଷୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସହ ଆଲୋଚନା କରିଥିଲି, କିନ୍ତୁ ସେତେବେଳେ ଏହା ସମ୍ଭବ ହୋଇପାରିନଥିଲା | ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ପରେ ଦେଶର ଜନସଂଖ୍ୟା ୫ଗୁଣ ବୃଦ୍ଧି ପାଇଛି ଏବଂ ସେହି ଅନୁଯାୟୀ ଲୋକପ୍ରତିନିଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗୁଲାମ ନବୀ ଆଜାଦ କହିଛନ୍ତି, ସେଥିପାଇଁ ନୂତନ ସଂସଦ ଭବନ ନିର୍ମାଣ ହେବା ଆବଶ୍ୟକ ଥିଲା। ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ଭୁଲ ପ୍ରସଙ୍ଗ ଉଠାଉଛନ୍ତି। ଯଦି ବିରୋଧୀ ଦଳମାନେ ରାଷ୍ଟ୍ରପତିଙ୍କୁ ପ୍ରତି ଏତେ ଭଲପାଉଥିଲେ ତେବେ ରାଷ୍ଟ୍ରପତି ନିର୍ବାଚନ ବେଳେ କାହିଁକି ତାଙ୍କ ବିରୋଧରେ ପ୍ରାର୍ଥୀ ଛିଡା କରାଇଥିଲେ ?

nis-ad
Leave A Reply

Your email address will not be published.