ନୀଳକଣ୍ଠେଶ୍ବର ଆମ୍ବବଜାର ଚଳ ଚଞ୍ଚଳ : ଆସୁଛି ଆନ୍ଧ୍ର, ଓଡ଼ିଶା ସମେତ ପଶ୍ଚିମବଙ୍ଗ ରୁ ବିଭନ୍ନ କିସମର ଆମ୍ବ…

ବ୍ରହ୍ମପୁର: ମୀନାକ୍ଷୀନଗର ସ୍ଥିତ ନୀଳକଣ୍ଠେଶ୍ବର ଆମ୍ବବଜାରରେ ଏବେ ଭଳିକି ଭଳି ଆମ୍ବର ପସରା ଦେଖିବାକୁ ମିଳୁଛି, ଆଉ ଦିନ କେଇଟା ପରେ ପବିତ୍ର ସାବିତ୍ରୀ ଅମ‌ାବାସ୍ୟା ଥିବାରୁ ଆମ୍ବର ଚାହିଦା ବଢ଼ିବା ସହ ବଜାର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇପଡ଼ିଛି। ଦିନସାରା ଭିଡ଼ ପରିଲକ୍ଷିତ ହେଉଛି। ପ୍ରତିଦିନ ଶହଶହ ଟନ୍‌ର ନାନା ରକମର ଆମ୍ବ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହୋଇ ଆସୁଛି। ତାହା କେବଳ ବ୍ରହ୍ମପୁର ବଜାର ଅବା ଗଂଜାମ ଜିଲ୍ଲା ନୁହେଁ, କଟକ, ଭୁବନେଶ୍ବର ଠାରୁ ଆରମ୍ଭ କରି ବଲାଙ୍ଗୀର, ସମ୍ବଲପୁର ଆଦି ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଏପରିକି ପଶ୍ଚିମବଙ୍ଗକୁ ମଧ୍ୟ ରପ୍ତାନୀ ହେଉଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ଟ୍ରକ୍‌, ପିକ୍‌ଅପ୍ ଗାଡ଼ି ଲାଗୁଛି। କେଉଁଥିରୁ ଆମ୍ବ ପେଟି ଓହ୍ଲାଯାଉଛି ତ ଆଉ କେଉଁଥରେ ଆମ୍ବ ପେଟି ଭର୍ତ୍ତି କରାଯାଉଛି, ଅନ୍ୟସ୍ଥାନକୁ ପଠାଇବା ପାଇଁ।  ଶହଶହ ମୂଲିଆ ଏଥିରେ ନିୟୋଜିତ ଅଛନ୍ତି। ତେବେ ଚାହିଦା ମୁତାବକ ଆମଦାନୀ ବୃଦ୍ଧି ପାଇଥିବାରୁ ଏବେ ଦର ମଧ୍ୟ ପୂର୍ବାପେକ୍ଷା ହ୍ରାସ ପାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଏହି ବଜାରରେ ୮୪ଟି ଦୋକାନ ଘର ଥିବାବେଳେ ଏବେ ସବୁ ଦୋକାନରେ କେବଳ ଆମ୍ବ ହିଁ ବିକ୍ରି ହେଉଛି। ବାଇଗଣପଲେଇ, ଆଖୁରସ, କଲମ୍ବୀ, ସୁବର୍ଣ୍ଣରେଖା, ଅମୃତ କଳସୀ, ନଡ଼ିଆ ଆମ୍ବ ଏଭଳି ପ୍ରାୟ ୧୦ପ୍ରକାରର ଆମ୍ବ ଏବେ ଏହି ବଜାରରେ ଉପଲବ୍ଧ ହେଉଛି। କିଛିଦିନ ତଳେ ଦୈନିକ ୨୫-୩୦ଟ୍ରକ୍‌ (ଶହେରୁ ଦେଢ଼ ଶହ ଟନ୍)ଆମ୍ବ ଆମଦାନୀ ହୋଇ ଏହି ବଜାରକୁ ଆସୁଥିବା ବେଳେ ଆଜି ଏହି ବଜାରକୁ ୨ଶହ ଗାଡ଼ି ଅର୍ଥାତ୍ ପ୍ରାୟ ୮ଶହ ଟନ୍ ଆମ୍ବ ଆମଦାନୀ ହୋଇ ଆସିଛି।  ଖୁଚୁରା ଦରରେ ଏହି ଆମ୍ବ କେଜି ପ୍ରତି ୩୦-୪୦ଟଙ୍କାରେ ବିକ୍ରି ହେଉଥିବା ବେଳେ ପାଇକାରୀ ଦର ୧୭ରୁ ୨୨ଟଙ୍କା ରହିଛି। ସ୍ଥାନୀୟ ବଜାରରେ ଏବେ ବାଇଗଣପଲେଇ ଏବଂ ଆଖୁରସ ଆମ୍ବର ଅଧିକ ଚାହିଦା ରହିଥିବା ବ୍ୟବସାୟୀଙ୍କ ଠାରୁ ଜାଣିବାକୁ ମିଳିଛି।

ବ୍ରହ୍ମପୁର ଆମ୍ବବଜାର ପୂର୍ବରୁ ପେଟ୍ରୋଲ୍‌ପମ୍ପ ଛକ ନିକଟ ଚର୍ଚ୍ଚ ପଡ଼ିଆରେ ଅସ୍ଥାୟୀ ଭାବେ ଖୋଲାଯାଉଥିଲା। ଅନ୍ଧପସରା ରୋଡ଼ ସ୍ଥିତ ମୀନାକ୍ଷୀନଗର ଠାରେ ସ୍ଥାୟୀ ବଜାର ସ୍ଥାପନ ହୋଇ ୧୯୯୫ମସିହା ସାଧାରଣତନ୍ତ୍ର ଦିବସ‌ (ଜାନୁଆରି ୨୬)ରେ ଉଦ୍‌ଘାଟନ ହୋଇଥିଲା। ତତ୍କାଳୀନ ବ୍ରହ୍ମପୁର ପୌରପାଳିକା ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ଚନ୍ଦ୍ରଶେଖର ସାହୁ ଏହାର ଉଦ୍‌ଘାଟକ ଥିଲେ। ଏହାମଧ୍ୟରେ ୨୬ବର୍ଷ ଅତିକ୍ରାନ୍ତ ହୋଇଥିବା ବେଳେ ବ୍ୟବସାୟୀମାନେ ଏକତ୍ର ହୋଇ ଆମ୍ବ ବ୍ୟବସାୟ କରିଆସୁଛନ୍ତି। ବର୍ଷକରେ ୬ମାସ (ଫେବ୍ରୁଆରି-ଜୁଲାଇ) ଆମ୍ବ ଉପଲବ୍ଧ ହେଉଥିବାରୁ ଏହି ସମୟରେ ବ୍ୟବସାୟୀମାନେ କେବଳ ଆମ୍ବ ବ୍ୟବସାୟ କରିଥାନ୍ତି। କିନ୍ତୁ ଅନ୍ୟ ୬ମାସ ବ୍ୟବସାୟୀମାନେ ସେଓ, ଅଙ୍ଗୁରୁ, କମଳା ଆଦି ନାନାପ୍ରକାରର ଫଳ ବିକ୍ରି କରିଥାନ୍ତି। ଏଭଳି ବର୍ଷ ସାରା ଏହି ବଜାର କାର୍ଯକ୍ଷମ ରହିଥାଏ।

nis-ad
Leave A Reply

Your email address will not be published.